ନୟାଗଡ଼,ତା-୨.୯.୨୫ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ। ନୟାଗଡ଼ ପୈାର ପରିଷଦ ନଗର ସଭାପତି ତଥା ଅବସରପ୍ରାପ୍ତ ପୋଲିସ୍ ଅଧିକାରୀ ଅମୁଲ୍ୟ କୁମାର ମହାନ୍ତିଙ୍କ ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଇହଳୀଳା ସମ୍ବରଣ କରିଛନ୍ତି । ଦୀର୍ଘଦିନ ହେବ ସେ ଅସୁସ୍ଥ ରହିଥିଲେ । ତାଙ୍କର ଚିକିତ୍ସା କରାଯାଉଥିଲା । ଗତକାଲି ତାଙ୍କ ସ୍ୱାସ୍ଥ୍ୟରେ ଅବନତୀ ଘଟିଥିଲା । ତାଙ୍କ ପରଲୋକ ଖବର ପାଇ ନୟାଗଡ଼ରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି । ସେ ଜଣେ ଭଦ୍ର, ଅମାୟିକ, ପରପୋକାରୀ ମଣିଷ ଥିଲେ । ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ବୋରିଗିନା ନିକଟସ୍ଥ ଓଳାସ ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଶ୍ରୀଯୁକ୍ତ ମହାନ୍ତି ପୋଲିସ ବିଭାଗରେ ଦୀର୍ଘଦିନ ଧରି କାର୍ଯ୍ୟ କରିଥିଲେ । ଅଭିଭୁକ୍ତ ପୁରୀ ଜିଲ୍ଲାରେ ସେ କାର୍ଯ୍ୟ କରି ସୁନାମ ଅର୍ଜ୍ଜନ କରିଥିଲେ ।

ପୁରୀ ଟାଉନଥାନା, ସମୁଦ୍ରକୂଳ ଥାନା, ବୋଲଗଡ଼ ଥାନା ଓ ନୟାଗଡ଼ ଥାନାରେ ଅଧିକାରୀ ଭାବେ ସେ କାର୍ଯ୍ୟ କରିଥିଲେ । ସେ ସମୟରେ ସେ ଅନେକ ଦୁର୍ଦ୍ଦାନ୍ତ ଅପରାଧିଙ୍କୁ ସାବାଡ଼ କରିଥିଲେ । ଅବସର ସମୟରେ ସେ ଭିଜିଲାନ୍ସ ଏସପି ଭାବେ କାର୍ଯ୍ୟ କରିଥିଲେ । ଦୁଇ ଦୁଇ ଥର ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିଲେ । ନୟାଗଡ଼ ସହର ୩ନଂ ୱାର୍ଡ଼ ଲକ୍ଷ୍ମଣନଗରରେ ସେ ସ୍ଥାୟୀ ବାସିନ୍ଦା ଭାବେ ଅବସ୍ଥାନ କରୁଥିଲେ । ଅବସର ପରେ ନୟାଗଡ଼ ସହରରେ ସମାଜସେବା ତଥା ବିଜେଡି ସାଂଗଠନିକ ଦାୟିତ୍ୱ ନିର୍ବାହ କରିଥିଲେ । ବରିଷ୍ଠ ନାଗରିକଙ୍କ କଲ୍ୟାଣ ପାଇଁ ସେ ଅନେକ କାର୍ଯ୍ୟ କରିଛନ୍ତି । ବରିଷ୍ଠ ନାଗରିକ ସଂଘ ସଭାପତି ଦାୟିତ୍ୱ ସମାପନ କରି ସୁନାମ ଅର୍ଜ୍ଜନ କରିଛନ୍ତି । ବିଜୁ ଜନତା ଦଳ ସଂଗଠନକୁ ସେ ମଜବୁତ କରିବା ସହ ଗତ ପୈାର ନିର୍ବାଚନରେ ବିଜେଡି ୧୬ଟି ୱାର୍ଡ଼ କାଉନସିଲର ବିଜୟୀ ହୋଇଥିଲେ । ତାଙ୍କ ପରଲୋକ ଖବର ପାଇ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଗଭୀର ଶୋକ ବ୍ୟକ୍ତି କରିଛନ୍ତି । ତାଙ୍କ ଭଳି ଜଣେ ଦୃଢ଼ ସଂଗଠକଙ୍କ ପରଲୋକରେ ଦଳର ବ୍ୟାପକ କ୍ଷତି ହୋଇଥିବା କହିଛନ୍ତି । ଭଗବାନ ତାଙ୍କ ପରିବାରକୁ ଧୈର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ବିଧାୟକ କାମନା କରିଛନ୍ତି । ବିଧାୟକଙ୍କ ପରାମର୍ଶ କ୍ରମେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, କାଉନସିଲର ସ୍ୱୟଂପ୍ରଭା ମିଶ୍ର, ଅଳକା ମଞ୍ଜରୀ ନାୟକ ଓ ପ୍ରଭାସିନୀ ନନ୍ଦଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରିଛନ୍ତି ।











