ନୟାଗଡ,ତା- ୧୨.୯.୨୫ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ। – ନୟାଗଡ଼ସ୍ଥ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ଓଡିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ ଦାସିଆ ଅଜାଙ୍କ ୨୮ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ବିଦ୍ଯାଳୟର ବରିଷ୍ଠ ସେବାବ୍ରତୀ ଆଚାର୍ଯ୍ୟା ଅର୍ଚ୍ଚନା ରଥଙ୍କ ଅଧ୍ଯକ୍ଷତାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ବିଦ୍ଯାଳୟର ବରିଷ୍ଠ ସେବାବ୍ରତୀ ଆଚାର୍ଯ୍ୟ ପବିତ୍ର ସାହୁ ପ୍ରଦୀପ ପ୍ରଜ୍ବଳନ କରି ସଭାକାର୍ଯ୍ୟକୁ ଆରମ୍ଭ କରିଥିଲେ। ଧରାପୃଷ୍ଠରେ ଏପରି ଜଣେ ଜଣେ ଯୋଗଜନ୍ମା ଜନ୍ମ ନେଇଥାନ୍ତି, ଯାହାଙ୍କର ଅଲୌକିକ କାର୍ଯ୍ୟ କଳାପକୁ ଗୋଟିଏ ଜାତି ସବୁଦିନ ପାଇଁ ମନେ ରଖିଥାଏ। ସେହି ଚର୍ଚ୍ଚିତ ବିସ୍ମୟ ବ୍ଯକ୍ତିତ୍ବ ହେଉଛନ୍ତି ଓଡିଶା ପାଠାଗାର ଆନ୍ଦୋଳନର ପ୍ରବର୍ତ୍ତକ ପ୍ରଖ୍ୟାତ ସଂଗ୍ରହାକ ସାରସ୍ୱତ ସାଧକ ଐତିହାସିକ ଦାଶରଥି ପଟ୍ଟନାୟକ ଦଶ ପଇସାର ରଜା ଖୁଣ୍ଟାତଡା ରଜା ଦାସିଆ ଅଜା। ଦାସିଆ ଅଜା ଅତି ସାଧାରଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ଦୁଇ ଖଣ୍ଡ ଶୁଖିଲା ରୁଟି, ଦୁଇ ମୁଠା ଚୁଡା, ମୁଠାଏ ମୁଢି ଓ କପେ ନାଲି ଚା ଥିଲା ତାଙ୍କ ଜୀବନର ଖାଦ୍ୟ ପ୍ରଣାଳୀ।

ଜୀବନ ପ୍ରଣାଳୀ ଥିଲା ଅତି ସରଳ ଓ ସାଧାରଣ। ଜୀବନର ଅବସର ସମୟରେ ଦାସିଆ ଅଜା ଆରମ୍ଭ କରିଥିଲେ ସାଧନା। ହାତ ପାତି ମାଗିଲେ ସମସ୍ତଙ୍କୁ ପୁସ୍ତକ, ପତ୍ରପତ୍ରିକା, ତାଳପତ୍ର ପୋଥି, ବହୁ ପୁରାତନ ସଂସ୍କୃତିର ସନ୍ତକ ଓ ଦଶ ପଇସାର ଭିକ୍ଷା। ବୟସ ହାର ମାନିଲା ତାଙ୍କ ପାଖରେ। ଜାତି ପାଇଁ ମାଗିଆଣି ସୃଷ୍ଟି କଲେ ଏକ ମହାନ ସଂସ୍କୃତିର ସମ୍ଭାର। ଯାହା ଶହ ଶହ ,ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଜନମାନସକୁ ନୂତନ ଆଲୋକ ଯୋଗାଉଛି ବୋଲି ବରିଷ୍ଠ ସେବାବ୍ରତୀ ଆଚାର୍ଯ୍ୟ ରଂଜନ କୁମାର ପରିଡା ସଭାରେ ଆଲୋଚନା କରିଥିଲେ। ସକାଳ ୦୮ ଘଟିକା ସମୟରେ କଚେରୀ ବଜାର ସ୍ଥିତ ଦାସିଆ ଅଜାଙ୍କ ପ୍ରତିମୂର୍ତ୍ତି ନିକଟରେ ଦାସିଆ ପ୍ରେମୀ ସଂଗଠନ ସମୂହ ଦ୍ବାରା ଆୟୋଜିତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ବିଦ୍ଯାଳୟର ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ନେତୃତ୍ବରେ ସ୍କାଉଟ୍ ଗାଇଡ୍ ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ।
ସକାଳ ୧୦ ଘଟିକା ସମୟରେ ବିଦ୍ଯାଳୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ସମସ୍ତ ଛାତ୍ରଛାତ୍ରୀ ଓ ଗୁରୁଜୀ ଗୁରୁମା ମାନେ ଭାଗନେଇ ସ୍ବର୍ଗତ ଦାସିଆ ଅଜାଙ୍କ ସ୍ମୃତି ଚାରଣ କରିଥିଲେ।










