କାକଟପୁର ୧୩ /୯ ( ତୁଷାର ଦୀକ୍ଷିତ ) ପୁରୀ ଜିଲ୍ଲା କାକଟପୁର ଠାରେ ୧୯୭୮ ମସିହାରେ ସ୍ଥାନୀୟ ଲୋକଙ୍କ ଶ୍ରମ ଓ ବହୁ ବଦାନ୍ୟ ବ୍ୟକ୍ତିଙ୍କ ଦାନ ଅର୍ଥରେ ମଙ୍ଗଳା ମହାବିଦ୍ୟାଳୟ ପ୍ରତିଷ୍ଠା ଲାଭ କରିଥିଲା l ଦିନ ଥିଲା ଏହି ମହାବିଦ୍ୟାଳୟରେ ଅଧ୍ୟୟନ ଶୈଳୀ ଓ ପାଠପଢାରେ ଅନୁକୂଳ ପରିବେଶ ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ଛାତ୍ର ଛାତ୍ରୀ ଆସି ଏଠାରେ ଅଧ୍ୟୟନ କରୁଥିଲେ l ଏବେ କିନ୍ତୁ ଅବସ୍ଥା ଅନ୍ୟ ପ୍ରକାର l ଏହି ମହାବିଦ୍ୟାଳୟ ତାର ପୂର୍ବ ଗୌରବ ଆଉ ଗାରିମା ହରାଇବାକୁ ବସିଲାଣି ବୋଲି ବହୁ ଅଭିଭାବକ ଅଭିଯୋଗ କରିଛନ୍ତି l କିଛି ଅଧ୍ୟାପକ ଅଧ୍ୟାପିକାଙ୍କ ମନମୁଖି କାର୍ଯ୍ୟ କଳାପ ଓ ନିଦ୍ଦିଷ୍ଟ ସମୟରେ କଲେଜରେ ପହଞ୍ଚୁନଥିବା କାରଣରୁ ଶିକ୍ଷାଦାନରେ ଗୁରୁତର ବ୍ୟାହତ ସୃଷ୍ଟି ହେଉଛି ବୋଲି ବିଭିନ୍ନ ମହଲରେ ଅଭିଯୋଗ ହେଉଛି l ଏହି କଲେଜର ଵୟୋମେଟ୍ରିକ୍ ପଦ୍ଧତିକୁ ଉଦାହରଣକୁ ନେଲେ ଜଣାପଡିବ ଯେକେଉଁ କର୍ମଚାରୀ ଓ କେଉଁ ଅଧ୍ୟାପକ , ଅଧ୍ୟାପିକା କେଉଁ ସମୟରେ କଲେଜକୁ ଆସୁଛନ୍ତି l ଏହି କଲେଜର ବହୁ ଅଧ୍ୟାପକ ଅଧ୍ୟାପିକା ଏଠାରେ ନରହି ପ୍ରତିଦିନ ଭୁବନେଶ୍ୱର , କଟକ, ପୁରୀରୁ ଯିବା ଆସିବା କରୁଛନ୍ତି l ସେମାନେ ୧0 ଟା ପୂର୍ବରୁ ଆସି କଲେଜରେ ଵୟୋମେଟ୍ରିକ ଦେବା ବଦଳରେ କିଏ ଦିନ ୧୨ ଟା ବେଳେତ ଆଉ କିଏ ୧୨ ଟା ୩0 ମିନିଟରେ ଵୟୋମେଟ୍ରିକ ଦେଉଥିବା ଦେଖିବାକୁ ମିଳୁଛି l କିଛି ହାତ ଗଣତି କର୍ମଚାରୀଙ୍କୁ ବାଦ ଦେଲେ ଅନ୍ୟ ସମସ୍ତ କର୍ମଚାରୀ ଵୟୋମେଟ୍ରିକ ଦେଇ ନିଜ ବ୍ୟକ୍ତିଗତ କାର୍ଯ୍ୟରେ କଲେଜରୁ ଗାୟବ ହୋଇଯିବା ନିତିଦିନିଆ ଘଟଣାରେ ପରିଣତ ହୋଇଛି l ଏମିତିକି ନିଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ କେଉଁ କର୍ମଚାରୀ , ଅଧ୍ୟାପକ , ଅଧ୍ୟାପିକା କଲେଜରେ ରହି ସେମାନଙ୍କ କାର୍ଯ୍ୟ ଠିକ ଭାବେ ସଂପାଦିତ କରୁଛନ୍ତି କି ନାହିଁ ଏହାର ତାଗିଦ କରିବାକୁ କେହି ନାହିଁ l ଏମିତିକି ଏହି କଲେଜ ପରିସରରେ ଅଧ୍ୟକ୍ଷଙ୍କ ବାସଭବନ ଥିଲେ ମଧ୍ୟ ସେ ମହାଶୟ ଏଠାରେ ନରହି ଦୈନିକ ଭୁବନେଶ୍ୱର ରୁ କଲେଜକୁ ଯିବା ଆସିବା କରୁଛନ୍ତି l ନିଜେ କଲେଜ ଅଧ୍ୟକ୍ଷ ଦିନ ୧0 ପୂର୍ବରୁ କଲେଜରେ ପହଞ୍ଚୁନଥିବା ଅଭିଭାବକ ଓ କର୍ମଚାରୀ ମହଲରେ ଅଭିଯୋଗ ହେଉଛି l ଅପରପକ୍ଷରେ ଏହି କଲେଜର କିଛି ଅଧ୍ୟାପକ , ଅଧ୍ୟାପିକା ବିଭିନ୍ନ କୋଚିଂ ସେଣ୍ଟରରେ ଅଧିକାଂଶ ସମୟ ବ୍ୟସ୍ତ ରହୁଥିବା ଦେଖାଯାଇଛି l ନିୟମ ମୁତାପକ ସେମାନେ ୭ ଘଣ୍ଟା ଧରି କ୍ଲାସ ନେବା ସହ ଛାତ୍ର ଛାତ୍ରୀଙ୍କର ଦକ୍ଷତା ବିକାଶ ଓ ପାଠ ପଢ଼ାରେ ଦୁର୍ବଳ ରହିଥିବା ଛାତ୍ର ଛାତ୍ରୀଙ୍କ ଡାଉଟ୍ କ୍ଳିଅର ନିମନ୍ତେ ସ୍ୱତନ୍ତ୍ର ଶ୍ରେଣୀ ନେଇ ପାଠ ପଢାଇବାକୁନିୟମ ଥିବା ବେଳେ ଏହି କଲେଜର ଅଧ୍ୟାପକ ଅଧ୍ୟାପିକା ମାନେ ଏଦିଗରେ ଆଦୌ ଧ୍ୟାନ ଦେଉନାହାନ୍ତି l ଅନେକ ସମୟରେ ଦେଖାଯାଇଛି କେତେକ ଅଧ୍ୟାପକ ଅଧ୍ୟାପିକାଙ୍କ ଅନୁପସ୍ଥିତି ଯୋଗୁଁ ଛାତ୍ର ଛାତ୍ରୀ ମାନେ କଲେଜରେ ଉପସ୍ଥିତି ନରହି ଘରମୁହାଁ ହେଉଛନ୍ତି l ଯାହାକି ମଙ୍ଗଳା ମହାବିଦ୍ୟାଳୟରେ ବର୍ତ୍ତମାନ ଶିକ୍ଷା ବ୍ୟବସ୍ଥାକୁ ନେଇ ଅଞ୍ଚଳର ବହୁ ଶିକ୍ଷାବିତ ତଥା ବୁଦ୍ଧିଜୀବୀ ମାନେ ଘୋର ଚିନ୍ତା ପ୍ରକଟ କରିଛନ୍ତି l ଅଭିଯୋଗ ସଂକ୍ରାନ୍ତରେ କଲେଜ ଅଧ୍ୟକ୍ଷଙ୍କୁ ପଚାରିବାରେ ସେ ମହାଶୟ କହିଥିଲେଯେ ତାଙ୍କ ବାସଭବନର ମରାମତି କାର୍ଯ୍ୟ ସରିନଥିବାରୁ ବର୍ତ୍ତମାନ ସେ ଯିବା ଆସିବା କରୁଛନ୍ତି l କିନ୍ତୁ ଏକାଧିକ ଅଧ୍ୟାପକ ଅଧ୍ୟାପିକା କଣ ପାଇଁ ପ୍ରତିଦିନ ବହୁ ବିଳମ୍ବ ରେ କଲେଜ ଆସୁଛନ୍ତି ବୋଲି ପଚାରିବାରୁ ଅଧ୍ୟକ୍ଷ କହିଥିଲେଯେ ବର୍ତ୍ତମାନ ବର୍ଷା ଦିନ ଏବଂ କେତେବେଳେ କେମିତି ବସ ଫେଲ ଯୋଗୁଁ ସେମାନେ କଲେଜରେ ପହଞ୍ଚିବାରେ ବିଳମ୍ବ ହେଉଛି l ରାଜ୍ୟ ମୁଖ୍ୟମନ୍ତ୍ରୀ , ଉଚ୍ଚଶିକ୍ଷାମନ୍ତ୍ରୀ, ପୁରୀ ଜିଲ୍ଲାପାଳ ଏ ଦିଗରେ ଦୃଷ୍ଟି ଦେବା ସହ କଲେଜରେ ଲାଗିଥିବା ଵୟୋମେଟ୍ରିକ୍ ଉପସ୍ଥାନକୁ ଯାଞ୍ଚ କଲେ ପ୍ରକୃତରେ ଏହି କଲେଜର କେଉଁ ଅଧାପକ, ଅଧ୍ୟାପିକା ଓ କର୍ମଚାରୀ କେଉଁ ଦିନ କେତେ ସମୟ ବିଳମ୍ବରେ କଲେଜ ଆସୁଛନ୍ତି ଜଣାପଡନ୍ତା ବୋଲି ଅଭିଭାବକ ମହଲରେ ଦୃଢ଼ ଦାବୀ ହୋଇଛି l
ମଙ୍ଗଳା ମହାବିଦ୍ୟାଳୟରେ ନାମକୁ ମାତ୍ର ଵୟୋମେଟ୍ରିକ୍ ନିୟମ ମାନୁନାହାନ୍ତି କର୍ମଚାରୀ ତଦନ୍ତ ଦାବୀ











