କାକଟପୁର,୧୩/୯ (ତୁଷାର ଦୀକ୍ଷିତ ): କାକଟପୁର ମୁଖ୍ୟ ବଜାରରେ ନିର୍ଦ୍ଧିଷ୍ଟ ପାର୍କିଂ ବ୍ୟବସ୍ଥା ନଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ପୂଜା ବଜାର ସମୟରେ ଭିଡ଼ ବଢିଥିବାବେଳେ, ଲୋକମାନେ ଗାଡ଼ି ରାସ୍ତା ସାଇଡ୍ରେ ରଖୁଥିବା ସମୟରେ, ପୋଲିସ ଗାଡ଼ିର ନମ୍ବର ପ୍ଲେଟ ଫଟୋ ଧରି ଇ-ଚାଲାଣ କାଟୁଥିବା ଦେଖାଯାଇଛି। ପୋଲିସ କାର୍ଯ୍ୟକଳାପ ଆଇନ ସମ୍ମତ । ନିୟମ ଅନୁଯାୟୀ ସଡ଼କରେ କିମ୍ବା ସଡ଼କ ପାଖରେ ଗାଡ଼ି ରଖି, ଯାତାୟାତକୁ ବାଧା କିମ୍ବା ବିପଦ ସୃଷ୍ଟି କରିବା ଆଇନ ସପକ୍ଷ ନୁହେଁ । ରାସ୍ତାରେ ଅବରୋଧ ସୃଷ୍ଟି କରିଲେ, ପୋଲିସ ଚାଲାଣ କାଟିବା ସହିତ ଗାଡ଼ି ଉଠାଇ ନେବା ପର୍ଯ୍ୟନ୍ତ ଅଧିକାର ରଖିଥାଏ। ତେଣୁ, ମୁଖ୍ୟ ରାସ୍ତାରେ ଗାଡ଼ି ପାର୍କିଂ କରିବା ବେନିୟମ ।

ସେହିପରି, ପୋଲିସ ଚାଲାଣ କାଟିବା ସମ୍ପୂର୍ଣ ଆଇନ ସମ୍ମତ। କାକଟପୁରରେ ପାର୍କିଂ ବ୍ୟବସ୍ଥାର ଅଭାବ ହେତୁ, ଏପରି ଅସନ୍ତୋଷ ସାଧାରଣରେ ସୃଷ୍ଟି ହେଉଛି । ଆଜି ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ନିର୍ଦ୍ଧିଷ୍ଟ ପାର୍କିଂ ସ୍ଥାନ ଚିହ୍ନଟ ହୋଇନଥିବାରୁ, ସାଧାରଣ ଲୋକ ବାଧ୍ୟ ହୋଇ ରାସ୍ତା ସାଇଡ୍ରେ ଗାଡ଼ି ରଖୁଛନ୍ତି। ଏହାର ପରିଣାମ ଟ୍ରାଫିକ୍ ଜାମ୍ ସମସ୍ୟା , ଆମ୍ବୁଲାନ୍ସ ଫସିଯିବା, ଦୁର୍ଘଟଣା ଘଟିବା ପରି ଦୃଶ୍ୟ ସାମ୍ନା କୁ ଆସୁଛି । କିନ୍ତୁ ଚାଲାଣ କାଟିବା ଦ୍ଵାରା ମଧ୍ୟ ଜୋରିମାନା ପ୍ରତି ଗ୍ରାମାଞ୍ଚଳ ଲୋକମାନଙ୍କ ଅସନ୍ତୋଷ ସୃଷ୍ଟି ହେଉଛି । ସ୍ଥାନୀୟ ବ୍ୟବସାୟୀ ଓ ସାଧାରଣ ଲୋକଙ୍କ ଦାବୀ ଯେ, “ଆଇନ୍, ନିୟମ ମାନିବାରେ କୌଣସି ଆପତ୍ତି ନାହିଁ, କିନ୍ତୁ କାକଟପୁର ପ୍ରଶାସନ ଗାଡ଼ି ପାର୍କିଂ ବ୍ୟବସ୍ଥା କରିନଥିବାରୁ, ସାଧାରଣ ଲୋକଙ୍କୁ ବେଆଇନ୍ ପାର୍କିଂ କରିବାକୁ ବାଧ୍ୟ ହେବାକୁ ପଡ଼ୁଛି। ପ୍ରଶାସନ ତୁରନ୍ତ ନିର୍ଦ୍ଧିଷ୍ଟ ପାର୍କିଂ ସ୍ଥାନ ଚିହ୍ନଟ କରାଯିବା ଦରକାର।” ଯାହା ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେବ ନାହିଁ l











