କାକଟପୁର ତା ୨୮/୯,(ତୁଷାର ଦୀକ୍ଷିତ )ପୁରୀଜିଲ୍ଲା କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ଙ୍କର ଶାରଦୀୟ ପାର୍ବଣ ପୂଜା ମହାସମାରୋହରେ ପାଳିତ ହୋଇ ଆସୁଛି l ନବପତ୍ରିକା ଠାରୁ ମା ଙ୍କୁ ବିଭିନ୍ନ ବେଶରେ ସଜ୍ଜିତ କରାଯିବା ସହିତ ଆଜି ସପ୍ତମୀ ତିଥିରେ ମା ମଙ୍ଗଳା ଙ୍କ ପ୍ରସିଦ୍ଧ ସିଂହବାହିନୀ ବେଶ ଅନୁଷ୍ଠିତ ହୋଇଛି l ରାତ୍ର ଚାରି ଘଟିକା ଠାରୁ ମା ଙ୍କର ମଙ୍ଗଳ ଆଳତୀ, ସ୍ନାନ ମାର୍ଜନା, ବେଶ ହେବା ପରେ ସର୍ବସାଧାରଣ ଦର୍ଶନ ପାଇଁ ପହୁଡ଼ ଖୋଲି ଥିଲା l ଅପରାହ୍ନରେ ସୂର୍ଯ୍ୟପୂଜା, ବଲ୍ଲଭ, ସିଂହପୂଜା ସରିବା ପରେ ମା ଙ୍କର ଧୂପ ନୀତି ଅନୁଷ୍ଠିତ ହୋଇଥିଲା ପରେ ରାତ୍ର ୮ ଘଟିକା ବେଳକୁ ମା ଙ୍କୁ ପ୍ରସିଦ୍ଧ ସିଂହ ବାହିନୀ ବେଶରେ ସଜ୍ଜିତ କରାଯାଇଥିଲା l ପୌରାଣିକ ତଥ୍ୟ ଅନୁସାରେ ଦେବତା ମାନେ ସମସ୍ତ ଅସ୍ତ୍ର ଶସ୍ତ୍ର ମାଙ୍କୁ ଅର୍ପଣ କରିବା ପରେ ବାହାନ ଭାବେ ପଶୁରାଜ ସିଂହ କୁ ଅର୍ପଣ କରିଥିଲେ l ମନ୍ଦିର ରୂ ମଣି ବିମାନରେ ମା ଙ୍କ ଚଳନ୍ତି ପ୍ରତିମା କୁ ରତ୍ନଗିରି ବିଜେ କରିବା ପରେ ସର୍ବସାଧାରଣ ଙ୍କ ନିମନ୍ତେ ପହୁଡ଼ ଖୋଲିଥିଲା l ଏହି ଦୁର୍ଲ୍ଲଭ ବେଶ ଦେଖିବାକୁ ଦୂରଦୂରାନ୍ତରୁ ମାତୃଭକ୍ତଙ୍କ ସମାଗମ ହୋଇଥିଲା l ମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିରର ଚାରି ଦ୍ଵାରକୁ ଫୁଲରେ ସଜ୍ଜିତ କରାଯିବା ସହିତ ମନ୍ଦିର କୁ ବିଭିନ୍ନ ଆଲୋକ ମାଳାରେ ସଜ୍ଜିତ କରାଯାଇଥିଲା l ଭକ୍ତ ମାନଙ୍କ ଶୃଙ୍ଖଂଳିତ ଦର୍ଶନ ପାଇଁ କାକଟପୁର ଆଇଆଇସି ବସନ୍ତ କୁମାର ସାହୁ ଙ୍କ ନେତୃତ୍ୱ ରେ ୧ ଫ୍ଲାଟୁନ ଫୋର୍ସ ମୁତୟନ କରାଯିବା ସହିତ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା l ଆଜିର ପୂଜାପଣ୍ଡା ଭାବେ ସର୍ବେଶ୍ୱର ପାଢ଼ୀ ଏବଂ ଶୋଡଷ ଉପଚାର ପୂଜାପଣ୍ଡା ଭାବେ ପ୍ରକାଶ ଚନ୍ଦ୍ର ପଣ୍ଡା ଦାୟିତ୍ୱ ନିର୍ବାହ କରିଥିଲେ l ଏହି ଦୁର୍ଲ୍ଲଭ ସିଂହବାହିନୀ ବେଶ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳେ ବୋଲି କିମ୍ବଦନ୍ତୀ ରହିଛି l
ମା ମଙ୍ଗଳାଙ୍କ ପ୍ରସିଦ୍ଧ ସିଂହ ବାହିନୀ ବେଶ ଦେଖି ଭକ୍ତ ବିମୋହିତ,ଶାରଦୀୟ ପାର୍ବଣର ସପ୍ତମୀ ତିଥି











