Home / ମୁଖ୍ୟ ଖବର / ହବିଷ୍ୟାଳୀ ମା ମାନେ ଆମ ମହାନ ସଂସ୍କୃତି ର ସୁରକ୍ଷା କବଚ।

ହବିଷ୍ୟାଳୀ ମା ମାନେ ଆମ ମହାନ ସଂସ୍କୃତି ର ସୁରକ୍ଷା କବଚ।

whatsapp image 2025 10 24 at 19.16.47 43886448

ପୁରୀ ୨୪/୧୦ ହୁଳହୁଳି ଧ୍ବନି ରେ କମ୍ପିଯାଏ ଆକାଶ ଦୀପ ଟଙ୍ଗା ହୋଇଥିବା ସ୍ଥଳ।ସେଇଠି ତୁଳସୀ ଚଉରା ସ୍ଥାପନ କରି ହବିଷ୍ୟାଳୀ ମା ମାନେ ଜାଳୁଥାନ୍ତି ପ୍ରଦୀପ।ଆଉ କିଏ ସବୁ ନାଚୁଥାନ୍ତି ହବିଷ ପୁରାଣ ର ତାଳେ ତାଳେ।ଦଳ ଦଳ ହୋଇ ବୃତ୍ତାକାରରେ ସେମାନେ ବିଭୂ ପ୍ରେମରେ ବିଭୋର ହୋଇ ନାଚୁଥାନ୍ତି।ଜଣେ ହେଉଥାନ୍ତି କୃଷ୍ଣ ମଥାରେ ମୁକୁଟ ସହ ମୟୂର ଚୁଳ ଲଗେଇ, ହାତରେ ବଂଶୀ ଧରି।ଆଉ ଜଣେ ମଥାରେ ଚୁନରୀ ପକେଇ ସାଜୁଥାନ୍ତି ରାଧାରାଣୀ।ଅନ୍ୟ ମାନେ ଗୋପ,ବୃନ୍ଦାବନ ର ସଖୀ ହୋଇ ଆଧ୍ୟାତ୍ମିକ ଭାବରେ ନିମଗ୍ନ ହୋଇ ନୃତ୍ୟ କରୁଥାନ୍ତି।ବୟସ ର ଅପରାହ୍ନ ରେ ପହଞ୍ଚି ଥିଲେ ମଧ୍ୟ ସେମାନଙ୍କ ମନରେ ନ ଥାଏ ଲଜ୍ଜା ବା ସରମର ଚିହ୍ନ।

whatsapp image 2025 10 24 at 19.16.48 0103c604

ଏ ଚିତ୍ର ପୁରୀ ପ୍ରଶାସନ ପକ୍ଷରୁ ଆୟୋଜିତ ସମସ୍ତ ୫ ଗୋଟି ହବିଷ୍ୟାଳୀ କେନ୍ଦ୍ର ର।ବିଭିନ୍ନ ଜିଲ୍ଲାର ମା ମାନଙ୍କ ପାଇଁ ସରକାର ଙ୍କ ନିର୍ଦ୍ଦେଶ ରେ ପୁରୀ ଜିଲ୍ଲା ପ୍ରଶାସନ ର ତତ୍ବାବଧାନ ରେ ଖୋଲା ଯାଇଛି ହବିଷ୍ୟାଳୀ କେନ୍ଦ୍ର।ବୃନ୍ଦାବତୀ ନିବାସ,ବଗଲା ଧର୍ମଶାଳା, ମୋଚିସାହି କଲ୍ୟାଣ ମଣ୍ଡପ, ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ ଓ ରେଲୱେ କଲ୍ୟାଣ ମଣ୍ଡପ ରେ ରହିଛନ୍ତି ମା ମାନେ।ସଞ୍ଜ ରୁ ସକାଳ ଗୋଟିଏ ଚିନ୍ତା,ଗୋଟିଏ ଭାବନା।ମହାପ୍ରଭୁ ଆଉ ମହାପ୍ରଭୁ।
ଆମ ଆଖିରେ ନିଦ ନାହିଁ।ଦିନ ରେ ଯେହେତୁ ଭଜନ କୀର୍ତ୍ତନ କରି ସାମାନ୍ୟ ଜଳଖିଆ ଇତ୍ୟାଦି ଖାଇ ଆମେ ଶୋଇ ପଡିଥାଉ।ରାତି ତିନି ରୁ ଉଠି ଗାଧୁଆ ପାଧୁଆ କରି ପ୍ରସ୍ତୁତ ହୋଇ ରହିଥାଉ।ଭୋର ୪ ଟା ବାଜିବା ମାତ୍ରେ ମନ ଛଟପଟ ହୁଏ।

whatsapp image 2025 10 24 at 19.16.48 2266573e

ଆମକୁ ମନ୍ଦିର ନେବାକୁ ସ୍ବେଚ୍ଛାସେବୀ ଝିଅ ମାନେ, ପୁଅ ମାନେ ଗାଡି ସହ ହାଜିର ହେବା କ୍ଷଣି ଆମେ ଗାଡି ରେ ଚଢିଯାଉ ବୋଲି କହନ୍ତି ବୃନ୍ଦାବତୀ ନିବାସରେ ରହୁଥିବା ବଲାଙ୍ଗୀର ର ବୀଣାପାଣି ମିଶ୍ର ଓ ଅନ୍ୟ ମା ମାନେ।ଆମେ ସବୁ ବୁଢ଼ୀ ଦିଶୁଥିଲେ ବି ମହାପ୍ରଭୁଙ୍କ ଦର୍ଶନ ପାଇଁ ଗଲାବେଳେ ଆମ ଦିହରେ ଯେମିତି ବଳ ପଶିଆସେ।ବେଗି ବେଗି ପାଦରେ ଧାଇଁ ମହାପ୍ରଭୁଙ୍କ ଦର୍ଶନ କରି ଆମେ ଧନ୍ୟ ହୋଇ ଯାଉ ବୋଲି କହନ୍ତି ଖୋର୍ଦ୍ଧା ରୁ ଆସିଥିବା ବାସନ୍ତୀ ସାହୁ,ବଲାଙ୍ଗୀର ର ସୁଷମା ସାଏ।ସକାଳୁ ଉଠି ସେହି ଠାକୁର ଙ୍କ ନାମ ନେଇ ଆମେ ମନ୍ଦିର ଯାଉ।ଆଉ ସଞ୍ଜ ରେ ତାଙ୍କ ଉଦ୍ଦେଶ୍ୟ ରେ ଭଜନ କୀର୍ତ୍ତନ କରୁ,ଆକାଶ ଦୀପ ଜାଳୁ,ଭଜନ ପ୍ରବଚନ,ପାଲା ଇତ୍ୟାଦି ଶୁଣୁ ବୋଲି କହନ୍ତି ଗଞ୍ଜାମ ର ସୁଜ୍ଞାନୀ ସାହୁ,ପୁରୀ ର ସରସ୍ବତୀ ବେହେରା।ସଞ୍ଜ ସକାଳେ ମହାପ୍ରଭୁଙ୍କ ନାମ ଗାଇ ଆମେ ଆମ ପରିବାର କୁ ଭୁଲି ଗଲାଣୁ।ଆମେ ଅନୁଭବ କରୁ ନାହୁଁ ଯେ ଆମେ ବୁଢ଼ୀ ହୋଇ ଯାଇଛୁ।ଆମେ କିଏ କୋଉଠୁ ଆସିଛୁ।କିନ୍ତୁ ଏତେ ମିଶିଗଲାଣୁ ଯେ ନିଜ ଭଉଣୀ ବା ସମ୍ପର୍କୀୟ ଭଳି ଲାଗୁଚି ବୋଲି କହନ୍ତି ପୁରୀ ର ହାଡିଦେଇ ପାତ୍ର,ଅନୁଗୁଳ ର ସୁଲୋଚନା ପ୍ରଧାନ ପ୍ରମୁଖ।ସଂଧ୍ୟା ପୂର୍ବରୁ ମହାପ୍ରସାଦ ଖାଉଛୁ।ପ୍ରସାଦ ବାଣ୍ଟୁଥିବା ପୁଅ ମାନେ ବଳେଇ ବଳେଇ ଖୁଆନ୍ତି।ଏକାଦଶୀ ରେ ଫଳ ଦେଇଥିଲେ ଆମକୁ।ସମସ୍ତେ ଆମ ଦାୟିତ୍ୱ ଖୁବ ଭଲରେ ନେଉଛନ୍ତି।ନିଜେ ଜିଲ୍ଲାପାଳ ଦୁଇ ତିନି ଥର ଆମ ପାଖକୁ ଆସି ଭଲ ମନ୍ଦ ବୁଝି ଯାଇଛନ୍ତି। ଅନ୍ୟ ଅଫିସର ମାନେ ପ୍ରାୟ ସବୁଦିନ ଆମ ଖବର ବୁଝୁଛନ୍ତି।ସ୍ବେଚ୍ଛାସେବୀ ମା ମାନଙ୍କ ଆଦର ଯତ୍ନର ତୁଳନା ନାହିଁ।ଯିବା କଥା ଭାବିଲା ବେଳକୁ ଛାତି ରୁ କୋହ ଉଠୁଛି ବୋଲି କୁହନ୍ତି ଏହି ହବିଷ୍ୟାଳୀ ମା ମାନେ।


ସନ୍ଧ୍ୟା ର ଆଗମନରେ ଆକାଶ କୁ ଉଠୁଥାଏ ଆକାଶ ଦୀପ।ପ୍ରତ୍ୟେକ ଟି ସଜ୍ଜଳ ଆଖି ମହାଶୂନ୍ୟ କୁ ଚାହିଁ ନୀରବ ନିବେଦନ କରୁଥାନ୍ତି ପ୍ରିୟ ପରିଜନ ଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ବା ମହାପ୍ରଭୁଙ୍କୁ ଭକ୍ତି ନିବେଦନ ରେ।ଏଇ ହବିଷ୍ୟାଳୀ ମା ମାନେ ତ ଆମ ସଂସ୍କୃତି ଓ ପରମ୍ପରା ର ଜୀବନ୍ତ ଦସ୍ତାବିଜ,ସୁରକ୍ଷା କବଚ।ଏହି ମାନେ ତ ଆଗାମୀ ପିଢି ର ଆଦର୍ଶ ଓ ମାର୍ଗଦର୍ଶକ ମଧ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply