ପୁରୀ ତା ୧୧/୧୧/୨୦୨୫ – ‘ପୁରୀ ସାଂସ୍କୃତିକ ସମ୍ବଳ କେନ୍ଦ୍ର’ ପକ୍ଷରୁ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ନବେ ଦଶକର ଲୋକପ୍ରିୟ ହିନ୍ଦୀଗୀତର ମନଛୁଆଁ ଓ ଅଭୁଲା ଗୀତକୁ ନେଇ ‘ହୃଦୟରେ କଳାକାର’ ସଙ୍ଗୀତ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି I ରାଜ୍ୟସଭା ସାଂସଦ ସୁଭାଶିସ ଖୁଣ୍ଟିଆ ମୁଖ୍ୟଅତିଥି ରୂପେ ଯୋଗ ଦେଇ ମହାପ୍ରଭୁ ଙ୍କ ପାଦପଦ୍ମରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ଘାଟନ କରିଥିଲେ I

ଅନ୍ୟମାନଙ୍କ ମଧ୍ୟରେ ବର୍ଷିୟାନ୍ ଗୀତିକାର ଆର୍ତ୍ତତ୍ରାଣ ଶତପଥୀ, ବରିଷ୍ଠ ସେବାୟତ ରବି ଶଙ୍କର ପ୍ରତିହାରୀ, ବରିଷ୍ଠ ଶିକ୍ଷାବିତ୍ ପ୍ରଫେସର ହୃଷୀକେଶ ସାହୁ,ବରିଷ୍ଠ କଳାକାର ଯାମିନୀକାନ୍ତ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର ଉଦ୍ୟମ କୁ ଭୂୟସୀ ପ୍ରଶଂସା କରିଥିଲେ I ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ‘ହୃଦୟରେ କଳାକାର’ ଏବଂ ଡକ୍ଟର ହୃଷୀକେଶ ସାହୁ ଙ୍କ ଗୀତି କବିତା ସଂକଳନ ‘ଇପ୍ସିତ ବର୍ଣ୍ଣ ବିଭା’ ଉନ୍ମୋଚିତ ହୋଇଥିଲା I ଏଥି ସହିତ ‘ମନି ରୂପିଆ ଟଙ୍କା’ ଏବଂ ‘ଦିଲ୍ ମୋ ଯାଏ ଦୋହଲି’ ଶୀର୍ଷରେ ଦୁଇଟି ସି ଡ଼ି ଲୋକାର୍ପିତ ହେବା ସହ ବିଶିଷ୍ଟ ଚକ୍ଷୁ ବିଶେଷଜ୍ଞ ଡାକ୍ତର ବରେନ ପଟ୍ଟନାୟକ,ଗୀତିକାର ପଞ୍ଚାନନ ନାୟକ, ସଫଳ ଉଦ୍ୟୋଗୀ ସୁମିତ୍ରା ମହଲ ଏବଂ ରୀତା ସାହୁ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ଅନୁଷ୍ଠାନର ସଭାପତି କୃଷ୍ଣଚନ୍ଦ୍ର ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ସାହୁ ସ୍ଵାଗତ ଭାଷଣ, ସାଂସ୍କୃତିକ ସମ୍ପାଦକ ଗୁରୁ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ଉପସଭାପତି ପ୍ରକାଶିନୀ ସାହୁ, ସଂଗଠନ ସମ୍ପାଦକ ସନାତନ ଦାସ ମଞ୍ଚାସୀନ ଥିଲେ I କଣ୍ଠଶିଳ୍ପୀ କାର୍ତ୍ତିକ କୁମାର, ପ୍ରକାଶିନୀ ସାହୁ, ସୁଭଦ୍ରା ସିଂ, ଯଜ୍ଞଦତ୍ତ ଦାଶ, ଦର୍ଶନା କର, ମୀରାମ୍ବିକା ପାତ୍ର, ସିଦ୍ଧି ସାନିକା, ଜେମ୍ ସ, ସଚିନ୍, ରୋଜାଲିନ ପ୍ରମୁଖ ସୁମଧୁର ସଙ୍ଗୀତ ପରିବେଷଣ କରିଥିଲେ I ଅନୁଷ୍ଠାନର ଉପଦେଷ୍ଟା ତଥା ଉଦଘୋଷକ ଶ୍ୟାମ ପ୍ରକାଶ ସେନାପତି ମଞ୍ଚ ସଞ୍ଚାଳନ କରିଥିଲେ I











