Home / ମୁଖ୍ୟ ଖବର / ଭାରତୀୟ ଶିଶୁ ଶଲ୍ୟ ଚିକିତ୍ସକ ସଂଘର ୫୧ତମ ବାର୍ଷିକ ସମ୍ମିଳନୀ ଏବଂ ୬୦ତମ ହୀରକ ଜୟନ୍ତୀ ଉଦ୍ଯାପିତ

ଭାରତୀୟ ଶିଶୁ ଶଲ୍ୟ ଚିକିତ୍ସକ ସଂଘର ୫୧ତମ ବାର୍ଷିକ ସମ୍ମିଳନୀ ଏବଂ ୬୦ତମ ହୀରକ ଜୟନ୍ତୀ ଉଦ୍ଯାପିତ

whatsapp image 2025 11 13 at 21.52.36 abff5ae0


ଭୁବନେଶ୍ୱର, ୧୨/୧୧/୨୦୨୫: ଭାରତୀୟ ଶିଶୁ ଶଲ୍ୟ ଚିକିତ୍ସକ ସଂଘ (ଆଇଏପିଏସ୍ସିଓଏନ୍ ୨୦୨୫) ର ୫୧ତମ ବାର୍ଷିକ ସମ୍ମିଳନୀ ଏବଂ ୬୦ତମ ହୀରକ ଜୟନ୍ତୀ ସଫଳତାର ସହିତ ଉଦ୍ଯାପିତ ହୋଇଯାଇଛି। ପବିତ୍ର ଜଗନ୍ନାଥଧାମ ପୁରୀ ଭାରତୀୟ ଶିଶୁ ଶଲ୍ୟ ଚିକିତ୍ସକ ସଂଘ, ଓଡ଼ିଶା ଚାପ୍ଟରର ସହଯୋଗରେ ଶିଶୁ ଚିକିତ୍ସକ ବିଭାଗ, ଏମ୍ସ ଭୁବନେଶ୍ୱର ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଭାରତ ଏବଂ ବିଦେଶରୁ ପ୍ରଖ୍ୟାତ ଶିଶୁ ଶଲ୍ୟ ଚିକିତ୍ସକ, ଗବେଷକ, ଶିକ୍ଷାବିତ୍ ଏବଂ ପ୍ରଶିକ୍ଷାର୍ଥୀଙ୍କ ସମେତ ୫ଶହରୁ ଅଧିକ ପ୍ରତିନିଧି ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ।
ଭାରତରେ ଶିଶୁ ରୋଗ ଏବଂ ମୃତ୍ୟୁର ଏକ ପ୍ରମୁଖ କାରଣ ଭାବେ ଜଣାଶୁଣା ଜନ୍ମଗତ ତ୍ରୁଟି ବା ଜନ୍ମଗତ ଅସଙ୍ଗତି। ଏହାକୁ ସମୟୋଚିତ ଅସ୍ତ୍ରୋପଚାର ସହାୟତାରେ ସଫଳତାର ସହିତ ଚିକିତ୍ସା କରାଯାଇପାରିବ। ଏଥିସହିତ ପ୍ରଭାବିତ ପିଲାମାନଙ୍କୁ ଏକ ନୂତନ ଜୀବନ ପ୍ରଦାନ କରିପାରିବ। ଆଇଏପିଏସ୍ସିଓଏନ୍-୨୦୨୫ରେ ଉପସ୍ଥିତ ବିଶେଷଜ୍ଞମାନେ ଏହି ଆହ୍ବାନକୁ ସମାଧାନ କରିବା ଏବଂ ଦୀର୍ଘକାଳୀନ ଫଳାଫଳକୁ ଉନ୍ନତ କରିବାରେ ଶିଶୁ ଶଲ୍ୟ ଚିକିତ୍ସକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ଚଳିତ ବର୍ଷର ସମ୍ମିଳନୀର ବିଷୟବସ୍ତୁ ଥିଲା “ଜନ୍ମ ତ୍ରୁଟି ପାଇଁ ଶିଶୁ ସର୍ଜନ: ବିକଶିତ ରାଷ୍ଟ୍ର ଦିଗରେ ଏକ ରାସ୍ତା,”। ନିରନ୍ତର ଶିକ୍ଷା, ଅଭ୍ୟାସରେ ଉତ୍କର୍ଷତା ଏବଂ ଶିଶୁ ଶଲ୍ୟ ଚିକିତ୍ସା କ୍ଷେତ୍ରରେ ନବସୃଜନ ପ୍ରତି ପ୍ରତିବଦ୍ଧତାକୁ ଗୁରୁତ୍ୱ ପ୍ରଦାନ କରିଥିଲା ଏହି ଅଭିନବ ସମ୍ମିଳନୀ। ଯୁବ ସର୍ଜନମାନଙ୍କୁ ତାଲିମ ଦେବା, ଗବେଷଣା ସହଯୋଗକୁ ପ୍ରୋତ୍ସାହିତ କରିବା ଏବଂ ଉତ୍ତମ ଶଲ୍ୟଚିକିତ୍ସା ଫଳାଫଳ ହାସଲ କରିବା ପାଇଁ ପ୍ରଯୁକ୍ତିବିଦ୍ୟାକୁ ସମନ୍ୱିତ କରିବା ଉପରେ ଧ୍ୟାନ ଦିଆଯାଇଥିଲା। ଶିଶୁ ଶଲ୍ୟ ଚିକିତ୍ସା କ୍ଷେତ୍ରରେ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ, ଭ୍ରୁଣ ଶଲ୍ୟଚିକିତ୍ସା, ଶିଶୁ ମୁତ୍ରରୋଗ, ଆଘାତ ଯତ୍ନ, ଅଙ୍କୋଲୋଜି ଏବଂ ନବଜାତ ଶଲ୍ୟଚିକିତ୍ସା ଯତ୍ନରେ ଅତ୍ୟାଧୁନିକ ବିକାଶ ଉପରେ ବିଭିନ୍ନ ଅଧିବେଶନରେ ବ୍ୟାପକ ଆଲୋଚନା ହୋଇଥିଲା। ଅଂଶଗ୍ରହଣକାରୀମାନେ ଏକାଧିକ ହ୍ୟାଣ୍ଡ୍ସ-ଅନ୍ ତାଲିମ କର୍ମଶାଳାରୁ ମଧ୍ୟ ଉପକୃତ ହୋଇଥିଲେ। ଉକ୍ତ କର୍ମଶାଳାରେ ଏଣ୍ଡୋ ଟ୍ରେନର ଅନ୍ ହ୍ୱିଲ୍ସ, ରୋବୋଟିକ୍ ଅନ୍ ହ୍ୱିଲ୍ସ କର୍ମଶାଳା, ବ୍ରୋଙ୍କୋସ୍କୋପି ହ୍ୟାଣ୍ଡସ୍-ଅନ୍ କର୍ମଶାଳା, ୟୁରୋଡାଇନାମିକ୍ସ କର୍ମଶାଳା, ମେଟା-ଆନାଲିସିସ୍ ଆଦି ଅନ୍ତର୍ଭୁକ୍ତ ଥିଲା। ଏମ୍ସ ଭୁବନେଶ୍ୱର ଶିଶୁ ଶଲ୍ୟ ଚିକିତ୍ସା ବିଭାଗ ମୁଖ୍ୟ ତଥା ଆୟୋଜନ କମିଟି ଅଧ୍ୟକ୍ଷ ଡ. ମନୋଜ କୁମାର ମହାନ୍ତି, ସଂଗଠନ ସମ୍ପାଦକ ଡ. ବିକାଶ ବିହାରୀ ତ୍ରିପାଠୀ, ସହ-ସଂଗଠନ ସମ୍ପାଦକ ଏବଂ କୋଷାଧ୍ୟକ୍ଷ ଡ. ସୁବ୍ରତ କୁମାର ସାହୁ, ଡ. ଆକାଶ ବିହାରୀ ପତି, ଡ. ସନ୍ତୋଷ କୁମାର ମହାଳିକ, ଡ. ଆଦିତ୍ୟ ଅରବିନ୍ଦ ମାନେକରଙ୍କୁ ନେଇ ଗଠିତ ଆୟୋଜନ କମିଟି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲା। ଏହି କାର୍ଯ୍ୟକ୍ରମ ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ପେଡିଆଟ୍ରିକ୍ ସର୍ଜନ୍ସ (ଆଇଏପିଏସ)ର ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା, ଯାହାର ନେତୃତ୍ୱ ସଭାପତି ଡ. ସୁମିତ୍ରା କୁମାର ବିଶ୍ୱାସ ଏବଂ ମହାସଚିବ ଡ. ବିକେଶ ଅଗ୍ରୱାଲଙ୍କ ସହାୟତାରେ ଅନୁଷ୍ଠିତ ହୋଇଥିଲା।

SPREAD YOUR LOVE WITH YOUR FRIENDS AND FAMILY

Leave a Reply