ପୁରୀ ୨୨/୧୧/୨୦୨୫ – : ଶବବାହକ ଓ ଶବଦାହ ନାମରେ ଦୁଇ ଲକ୍ଷ ରୁ ଅଧିକ ଥର “ରାମ ନାମ ସତ୍ୟ ହୈ:ହରି ନାମ ସତ୍ୟ ହୈ”କହି ରାମ ଓ ହରିଙ୍କ ନାମ ନେବାର ସୁଯୋଗ ଠାକୁର ମୋତେ ଦେଇଛନ୍ତି।୬୭ ବର୍ଷ ବୟସରେ ଶବବାହକ ହେବାର ବଳ ଦେଇ , ଠାକୁର ନିରୋଗ ରଖିଛନ୍ତି,ଏହାଠାରୁ ଅଧିକ ସୌଭାଗ୍ୟ ଜୀବନ ରେ ଆଉ କଣ ଥାଇପାରେ ବୋଲି କହିଛନ୍ତି ୫୦ ବର୍ଷ ଭିତରେ ୧୩୬୬ଟି ଶବଦାହ କରିଥିବା ଓଡ଼ିଶା ସରକାରଙ୍କ ରାଜ୍ୟ ପୁରସ୍କାରପ୍ରାପ୍ତ ସମାଜସେବୀ ଜଗନ୍ନାଥ ପୁରୀ ର ବଦ୍ରି ମିଶ୍ର। ୧୯୭୪ ମସିହାରେ ଅର୍ଥାତ୍ ୧୫ ବର୍ଷ ବୟସରେ କଲେଜ ଆନ୍ଦୋଳନ ରେ ମୃତ ବନ୍ଧୁଙ୍କ ଶବଦାହ କରିଥିବା ଶ୍ରୀ ମିଶ୍ର, କେବଳ ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର, ପଦ୍ମଭୂଷଣ ରମାକାନ୍ତ ରଥ, ପଦ୍ମଶ୍ରୀ ସଦାଶିବ ରଥଶର୍ମା, ପଦ୍ମଶ୍ରୀ ପ୍ରଫୁଲ୍ଲ କର, ପଦ୍ମଶ୍ରୀ ରଘୁନାଥ ପାଣିଗ୍ରାହୀ ଓ ପଦ୍ମଶ୍ରୀ ରଜତ କର ନୁହେଁ,ଦାହ କରିଛନ୍ତି ସଡକ ଦୁର୍ଘଟଣାରେ ଓ ଡାକ୍ତରଖାନାରେ ମରୁଥିବା ଶହଶହ ଅଜଣା – ଅଚିହ୍ନା ଶବ। କେବଳ ପୁରୀ ସ୍ୱର୍ଗଦ୍ୱାର , କଟକର ସତୀଚୌରା,କାଳିଆବୋଦା କି’ଭୁବନେଶ୍ଵର ର ସତ୍ୟନଗର ଶ୍ମଶାନ ନୁହେଁ, କାଶ୍ମୀର ର ଗୁଲମାର୍ଗ, ପଶ୍ଚିମବଙ୍ଗର ଚନ୍ଦନ ନଗର ଓ ଆନ୍ଧ୍ର ପ୍ରଦେଶ ର ସିମାଚଳମ୍ ଠାରେ ଦାହ କରିଛନ୍ତି ଅନେକ ଶବ। ବିଶେଷକରି ଯେତେବେଳେ କରୋନା ର ଭୟାବହତା ଭିତରେ ଲୋକେ ବାହାରକୁ ଆସିବାକୁ ଡରୁଥିଲେ ସେ ସମୟରେ ଜୀବନ କୁ ଭ୍ରୁକ୍ଷେପ ନକରି ସେ କରୁଥିଲେ ଶବଦାହ। ଏଯାବତ୍ ୧୨୧୧ଜଣଙ୍କ ବ୍ୟକ୍ତିଗତ ଶବଦାହ କରିଥିବା ଶ୍ରୀ ମିଶ୍ର,୩୧ ଅକ୍ଟୋବର ୧୯୯୯ ରେ ଏରସମା ରେ ୪୬, ଗୁଜରାଟର ଭୂକଂପରେ ୩୦ ଜାନୁଆରୀ ୨୦୦୧ ରେ କଛ ର ଛୋବରୀ ରେ ୮୨ ଓ ନେପାଳସ୍ଥ କାଠମାଣ୍ଡୁ ନିକଟ ଦରବାର ଚୌକ୍ ରେ ୩୦ ଏପ୍ରିଲ ୨୦୧୫ ରେ ୨୭ ଜଣ , ଏପରି ମୋଟ ୧୫୫ଟି ଶବକୁ ସମୂହଦାହ କରି, ଏଯାଏଁ ୧୩୬୬ଟି ଶବ ର ଶବବାହକ ଓ ଶବଦାହ କରି, ଓଡ଼ିଶା ରେ ହୋଇଛନ୍ତି ଚର୍ଚ୍ଚିତ ଶ୍ମଶାନସାଥି। ଏକ ଲକ୍ଷ ରୁ ଉର୍ଦ୍ଧ୍ବ ବୃକ୍ଷରୋପଣ କରି ଗଛମଣିଷ, ଶହେରୁ ଅଧିକ ରକ୍ତଦାନ କରି ରକ୍ତବୀର ଓ ରାଜ୍ୟ ବାହାରେ ଅନେକ ଭାଗବତ ଟୁଙ୍ଗି ପ୍ରତିଷ୍ଠା ସହ ଗାଁ ଗାଁ ରେ ଓ ଘରେ ଘରେ ଭାଗବତ କରି ସେ ଓଡ଼ିଶା ରେ ଭାଗବତ ପୁରୁଷ ଭାବେ ପରିଚିତ।
୫୦ ବର୍ଷରେ ୧୩୬୬ଶବ ର ଶବବାହକ ବଦ୍ରି ମିଶ୍ର











