Home / ମୁଖ୍ୟ ଖବର / ଷଷ୍ଠ ରାଜ୍ୟସ୍ତରୀୟ ସାରସ୍ଵତ ସମାରୋହ ଓ ସମ୍ବର୍ଦ୍ଧନା ଉତ୍ସବ -୨୦୨୫ ଅନୁଷ୍ଠିତ

ଷଷ୍ଠ ରାଜ୍ୟସ୍ତରୀୟ ସାରସ୍ଵତ ସମାରୋହ ଓ ସମ୍ବର୍ଦ୍ଧନା ଉତ୍ସବ -୨୦୨୫ ଅନୁଷ୍ଠିତ

img 20251201 wa0002

ନୟାଗଡ଼,ତା-୩୦.୧୧.୨୫ରିଖଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ।ନୟାଗଡ଼ ଶରଣକୁଳ ସମ୍ବର୍ଦ୍ଧନା ପରିବାରର ପ୍ରତିଷ୍ଠାତା ସଦସ୍ୟ ଦିନବନ୍ଧୁ ମହାପାତ୍ର, ଗୋଦାବରୀ ବସନ୍ତିଆ ଓ ରାଜେଶ କୁମାର ଷଡଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ୩୦ ତାରିଖ ରବିବାର ଦିନ କୁସୁମୀ ନଦୀର ପାର୍ଶ୍ଵରେ ଅବସ୍ଥିତ ହରିହରପୁର ଗ୍ରୀନ କ୍ଳବ୍ ପରିସରରେ “ସମ୍ବର୍ଦ୍ଧନା “ପରିବାର ଦ୍ବାରା ଆୟୋଜିତ ରାଜ୍ୟସ୍ତରୀୟ ସାରସ୍ଵତ ସମାରୋହ ଓ ସମ୍ବର୍ଦ୍ଧନା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।

159875

ଉକ୍ତ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧନା ପରିବାରର ସଭାପତି କବି କୁସୁମ ନିରାକାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ମୁଖ୍ୟ ଅତିଥି ଭାବରେ ଡକ୍ଟର ଶାନ୍ତନୁ କୁମାର ରଥ, ପ୍ରାକ୍ତନ ନିର୍ଦ୍ଦେଶକ ଆକାଶବାଣୀ କଟକ ଓ ଦୂରଦର୍ଶନ କେନ୍ଦ୍ର, ଭୁବନେଶ୍ୱର, ଏବଂ ସମ୍ମାନିତ ଅତିଥି ଭାବରେ ଡକ୍ଟର ଯଦୁନାଥ ପ୍ରଧାନ, ପ୍ରାକ୍ତନ ଅଧ୍ୟକ୍ଷ ସରକାରୀ ସ୍ବୟଂ ଶାସିତ ମହାବିଦ୍ୟାଳୟ, ଭବାନୀପାଟଣା, ମୁଖ୍ୟ ଉପଦେଷ୍ଟା ଭାବରେ ଡକ୍ଟର ବେଣୁଧର ଦାସ, ପ୍ରାକ୍ତନ ମୁଖ୍ୟ ସ୍ନାତକୋତ୍ତର ଓଡ଼ିଆ ବିଭାଗ, କ୍ଷେତ୍ରବାସୀ ଡି.ଏ.ଭି. ମହାବିଦ୍ୟାଳୟ ନିରାକାରପୁର , ଉପଦେଷ୍ଟା ଭାବରେ ଅଧ୍ୟାପିକା ଗୀତାଶ୍ରୀ ପ୍ରିୟମ୍ବଦା , ଖଡ଼ିଆଳ ମହାବିଦ୍ୟାଳୟ, ଖଡ଼ିଆଳ ଓ ସମ୍ମାନିତ ଅତିଥି ଭାବରେ ବିଭୁଦତ୍ତ ମହାପାତ୍ର ଯୋଗଦାନ କରି ସାରସ୍ବତ କବି ଓ କବୟିତ୍ରୀ ମାନଙ୍କ ମଧ୍ୟରେ ଉତ୍ସାହ ଭରିଦେଇ ଥିଲେ। ବିଶେଷ ଭାବରେ ମୁଖ୍ୟ ଅତିଥି ଡକ୍ଟର ଶାନ୍ତନୁ କୁମାର ରଥ ମହୋଦୟ ସାରସ୍ୱତ ସମାରୋହ ର ଅର୍ଥକୁ ସରଳ ସାବଲୀଳ ଭାଷାରେ ବୁଝାଇବା ସହିତ ସମାରୋହ କରିବାର ମହତ ଉଦ୍ଦେଶ୍ୟ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ତତ୍ ସହିତ କବି ଓ କବୟିତ୍ରୀ ମାନେ ସେମାନଙ୍କ କବିତା ପାଠ କରିବା ସମୟରେ ସେମାନଙ୍କୁ ସ୍ବଳ୍ପ ସମୟ ନ ଦେଇ କବିତାର ‘ରାଗ’ ଅନୁଯାୟୀ ପାଠ କରିବା ପାଇଁ ସମୟ ଦେଲେ ସେମାନେ ସେମାନଙ୍କ କବିତା ଆବୃତ୍ତି କରିବା ସନ୍ତୋଷ ଜନକ ହୋଇ ପାରିବ ବୋଲି ଆୟୋଜକ ମାନଙ୍କୁ ପରାମର୍ଶ ଦେବା ସଙ୍ଗେ ସଙ୍ଗେ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ସମ୍ବର୍ଦ୍ଧନା ପରିବାରର ଅନୁରୋଧ କ୍ରମେ ଯଦୁମଣି ସାହିତ୍ୟର ଉପସ୍ଥାପନା କରି ପ୍ରଥମ ଅଧ୍ୟାୟର କେତୋଟି ପଦ ଆବୃତ୍ତି କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଅତିଥି ମାନେ ପ୍ରଭୁ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପ ଓ ଧୂପ ଦେଇ ସଭାକୁ ଉଦଘାଟନ କରିଥିଲେ। କବି ତଥା ପ୍ରତିଷ୍ଠାତା ସଦସ୍ୟ ଦିନବନ୍ଧୁ ମହାପାତ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ଏବଂ ସମ୍ପାଦିକା ହରପ୍ରିୟା ଦ୍ବିବେଦୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଉତ୍ତମ କାର୍ଯ୍ୟ ଲାଗି ସାରସ୍ବତ ସମ୍ମାନ, ବିବିଧ ସମ୍ମାନ,ସାହିତ୍ୟ ସମ୍ମାନ , ପ୍ରତିଭା ସମ୍ମାନ, ଗୌରବ ସମ୍ମାନ ଇତ୍ୟାଦି ଶ୍ରେଷ୍ଠ ବ୍ୟକ୍ତି ବିଶେଷ ମାନଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା ବେଳେ ଶ୍ରେଷ୍ଠ ସାମ୍ବାଦିକତା ପାଇଁ ଅନୁପମ ଭାରତର ଖଣ୍ଡପଡା ସାମ୍ବାଦିକ ଶ୍ରୀ ଯୁକ୍ତ ଶାନ୍ତି ଶେଖର ରଥଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ସ୍ବର୍ଗତ ବ୍ୟକ୍ତି ବିଶେଷଙ୍କ ସ୍ମୃତି ଉଦ୍ଦେଶ୍ୟରେ ଚାରିଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପ୍ରାୟ ୭୫ ଜଣ କବି ଓ କବୟିତ୍ରୀ ନିଜସ୍ବ କବିତା ମାନ ପାଠ କରିଥିଲେ। କବିତା ପାଠ କରିଥିବା ସମସ୍ତ ପ୍ରତିଭୁ ମାନଙ୍କୁ ପ୍ରଶଂସା ପତ୍ର ଓ ଉପହାର ପ୍ରଦାନ କରାଯାଇଥିଲା। ଗ୍ରୀନ କ୍ଳବ୍ ହରିହରପୁରର ସମସ୍ତ ସଦସ୍ୟ ସ୍ବେଚ୍ଛାସେବୀ ଭାବରେ ସମସ୍ତ ସାହାଯ୍ୟ ସହଯୋଗ କରିଥିଲେ। ପରିଶେଷରେ ସାଂସ୍କୃତିକ ସମ୍ପାଦକ ରାଜେଶ କୁମାର ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply