Home / ମୁଖ୍ୟ ଖବର / ସାଇବର ସୁରକ୍ଷା ସଚେତନତା କର୍ମଶାଳା- ବର୍ଷକୁ ୨୫,୦୦୦ ଯୁବବର୍ଗଙ୍କୁ ଡିଜିଟାଲ ସାକ୍ଷରତା ଲକ୍ଷ୍ୟ

ସାଇବର ସୁରକ୍ଷା ସଚେତନତା କର୍ମଶାଳା- ବର୍ଷକୁ ୨୫,୦୦୦ ଯୁବବର୍ଗଙ୍କୁ ଡିଜିଟାଲ ସାକ୍ଷରତା ଲକ୍ଷ୍ୟ

whatsapp image 2025 12 09 at 16.49.24 b4bf1172

ପୁରୀ ୯/୧୨ ସଂପର୍କ ସାମାଜିକ ଅନୁଷ୍ଠାନ ତରଫରୁ ପୁରୀ ଆଇଟିଆଇରେ ସାଇବର ସୁରକ୍ଷା ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଡିଜିଟାଲ ଭାରତ ଗଠନ ଗତି ସହିତ ସାଇବର ଅପରାଧ, ଠକେଇ, ତଥ୍ୟ ଚୋରି, ଅନଲାଇନ ଶୋଷଣ ଘଟଣା ଦିନକୁ ଦିନ ବଢ଼ୁଛି।ଏହି ସମୟରେ ଡିଜିଟାଲ ସୁରକ୍ଷା ଓ ସାଇବର ସଚେତନତା ଆଜିର ସମୟର ଆବଶ୍ୟକତା।ଏହି ପରିପ୍ରେକ୍ଷରେ ସ୍ବେଛାସେବୀ ସଂଗଠନ ସଂପର୍କ ଓ ନିଟ୍‌ ଫାଉଣ୍ଡେସନ ର ସହଯୋଗରେ ଆଜି ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ପୁରୀରେ ସାଇବର ସୁରକ୍ଷା ସଚେତନତା କର୍ମଶାଳା ଆୟୋଜିତ ହୋଇଛି।ଏହି କର୍ମଶାଳାରେ ଶିକ୍ଷାର୍ଥୀ, ଶିକ୍ଷକ ଓ ଯୁବପିଢ଼ୀଙ୍କ ଉପସ୍ଥିତି ଥିଲା। ସଂପର୍କର ସଚିବ ସୌମେନ୍ଦ୍ର ଦାସ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଆଇ.ଟିଆଇ ପୁରୀର ଅଧ୍ୟକ୍ଷ ଇଂଜିନିୟର ପ୍ରମୋଦ କୁମାର ସାମଲ ସମସ୍ତଙ୍କୁ ସ୍ବାଗତ କରିଥିଲେ।ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଯୁବ ବର୍ଗ କିପରି ସାଇବର ଶୋଷଣ ଓ ଅନଲାଇନ ଅପରାଧରୁ ସୁରକ୍ଷା ପାଇ ପାରିବେ ସେ ସମ୍ପର୍କରେ ଆଲୋକପାତ କରିବା ସହ ଲୋଭ ଓ ଅଧିକ ଲାଭ ଆଶା ରେ ଠକାମୀର ଶିକାର ରୁ ବର୍ତ୍ତିବା ଉପରେ ସୂଚନା ଦେଇଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମନୋଜ ତ୍ରିପାଠୀ ସଚେତନ ଓ ସତର୍କତା ଉପରେ ଗୁରୁତ୍ୱ ଦେଇଥିଲେ।ସାଇବର ସୁରକ୍ଷା ବିଶେଷଜ୍ଞ ଲିଙ୍ଗରାଜ ସେଠୀ ଓଟିପି ଠକେଇରୁ ଆରମ୍ଭ କରି ଡାଟା ପ୍ରାଇଭେସି, ପ୍ରବେଶପତ୍ର ସୁରକ୍ଷା, ଭୁଲ ଲିଙ୍କ, ଫିଶିଂ, ଅନଲାଇନ ଗେମିଂ ଆସକ୍ତି, ନକଲି ଆପ୍‌ ଓ ସୋସିଆଲ ମିଡିଆ ନୈତିକତା ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ।

whatsapp image 2025 12 09 at 16.49.24 1465b689

ଆଜିର ଡିଜିଟାଲ ଯୁଗରେ ମୋବାଇଲ, ଇଣ୍ଟରନେଟ୍ ଓ ସୋସିଆଲ ମିଡିଆ ଆମ ଜୀବନର ଅଂଶ ହୋଇପଡ଼ିଛି। କିନ୍ତୁ ଏହି ବିକାଶ ସହ ଅନେକ ସାଇବର ଫ୍ରଡ ମଧ୍ୟ ଆସୁଛି। ପିଲା ଓ ଯୁବପିଢି ସବୁଠାରୁ ଅଧିକ ସୋସିଆଲ ପ୍ଲାଟଫର୍ମ ବ୍ୟବହାର କରୁଛନ୍ତି, ତେଣୁ ସେମାନଙ୍କୁ ସାଇବର ସୁରକ୍ଷା ବିଷୟରେ ଶିକ୍ଷା ଦେବା ଆଜିର ସମୟର ଆବଶ୍ୟକ। ଭୁଲ ଲିଙ୍କ୍, ଲୋଭ ଓ ଫେକ୍ ଆଇଡି ଦ୍ୱାରା ଲୋକଙ୍କୁ ଠକାଯାଉଛି। ଏଥିରୁ ନିଜକୁ, ପରିବାରକୁ ଓ ଦେଶର ଡିଜିଟାଲ ପ୍ରଗତିକୁ ସୁରକ୍ଷିତ ରଖିବା ପାଇଁ ସଚେତନତା ହେଉଛି ଏକମାତ୍ର ଅସ୍ତ୍ର।ପ୍ରତ୍ୟେକ ଶକ୍ତିଶାଳୀ ପାସୱାର୍ଡ ବ୍ୟବହାର କରିବା, ଅଜଣା ଲିଙ୍କ୍ କ୍ଲିକ୍ ନକରିବା ଓ ସୋସିଆଲ ମିଡିଆରେ ଅବାଞ୍ଛିତ ସୂଚନା ଶେୟାର ନକରିବାକୁ ଶିଖିବା ଦରକାର।ସଚେତନ ହୁଅନ୍ତୁ, ସୁରକ୍ଷିତ ରୁହନ୍ତୁ, ଡିଜିଟାଲ ଭାବେ ଶକ୍ତିଶାଳୀ ହୁଅନ୍ତୁ ବୋଲି ସେ ଆହ୍ୱାନ ଦେଇଥିଲେ।ପରେ ପିଲାମାନେ ସାଇବର ସୁରକ୍ଷା କୁ ନେଇ ଭିଡିଓ କନଫରେସିଙ୍ଗ ରେ ଯୋଗ ଦେଇ ସାଇବର ସୁରକ୍ଷାକୁ ନେଇ ବିଭିନ୍ନ ବିଷୟ ଜାଣିବାକୁ ପାଇଥିଲେ ।ଆସନ୍ତା ୧ ବର୍ଷ ମଧ୍ୟରେ ଓଡ଼ିଶାରେ ଅନ୍ତତଃ ୨୫,୦୦୦ ଯୁବ ବର୍ଗଙ୍କୁ ଡିଜିଟାଲ ଲିଟରେସି ଜରିଆରେ ସାଇବର ସୁରକ୍ଷା ଓ ସୋସିଆଲ ମିଡିଆ ସମ୍ବନ୍ଧରେ ଶିକ୍ଷା ଦିଆଯିବ ବୋଲି ସଂପର୍କ ଅନୁଷ୍ଠାନ ଲକ୍ଷ୍ୟ ରଖିଛି । ଦେବେନ୍ଦ୍ର ରଥ ମଞ୍ଚ ସଂଯୋଜନା କରିଥିଲେ। ସମାପନୀ ଅନୁଷ୍ଠାନରେ ଅନିତା ଜଗଦେବ ଧନ୍ୟବାଦ ଜଣାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ମୁଖ୍ୟ ପ୍ରଶିକ୍ଷକ ଶ୍ରୀକାନ୍ତ ସାର, ସଂପର୍କର ସ୍ୱେଚ୍ଛାସେବୀ ଅଶ୍ରୁଜିତ ମହାପାତ୍ର, ରାକେଶ ସେଠି ପ୍ରମୁଖ ଯୋଗ ଦେଇଥିଲେ ।ପ୍ରାରମ୍ଭରେ ବନ୍ଦେ ମାତରଂ ପରିବେଷଣ କରାଯାଇଥିଲା।

SPREAD YOUR LOVE WITH YOUR FRIENDS AND FAMILY

Leave a Reply