Home / ମୁଖ୍ୟ ଖବର / ପୁରୀ ପୋଲିସ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ

ପୁରୀ ପୋଲିସ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ

img 20251220 wa0003

ପୁରୀ :୨୦/୧୨ ଆସନ୍ତା ପର୍ଯ୍ୟଟକ ଋତୁକୁ ଦୃଷ୍ଟିରେ ରଖି ଶ୍ରୀଜଗନ୍ନାଥ ମନ୍ଦିର ପରିସର ଏବଂ ବଡଦାଣ୍ଡ ଅଞ୍ଚଳରେ ଥିବା ନିରାଶ୍ରୟ, ଅସହାୟ ଓ ଭିକ୍ଷୁକ ବ୍ୟକ୍ତିମାନଙ୍କର କଲ୍ୟାଣ, ସୁରକ୍ଷା, ଉଦ୍ଧାର ଏବଂ ପୁନର୍ବାସ ସମ୍ପର୍କିତ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆଜି ପୁରୀ ପୋଲିସ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ସମନ୍ୱୟ ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକର ଅଧ୍ୟକ୍ଷତା କରିଥିଲେ ପୁରୀ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରତୀକ ସିଂହ।ବୈଠକରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ସୁଶୀଲ ମିଶ୍ର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଦେବୀ ପ୍ରତାପ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ସଚିନ ପଟେଲ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ସୌମ୍ୟ ରଞ୍ଜନ ମଲ୍ଲିକ, ଡିଏସପି ସିଟି ଶ୍ରୀ ପ୍ରଶାନ୍ତ ସାହୁ, ଟ୍ରାଫିକ ଡିଏସପି ଶ୍ରୀ ରାଜକୁମାର ପରିଡ଼ା, ସହିତ ସହର ସମସ୍ତ ଥାନାର ଭାରପ୍ରାପ୍ତ ଅଧିକାରୀ (IIC) ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ (DSSO) ଶ୍ରୀମତୀ ନମିତା ଚାନ୍ଦ ନାୟକ ଉପସ୍ଥିତ ଥିଲେ। ଏହାସହ ବିଭିନ୍ନ ସ୍ୱେଚ୍ଛାସେବୀ ସଂସ୍ଥା ଓ ସମାଜସେବୀଙ୍କ ପ୍ରତିନିଧିମାନେ ମଧ୍ୟ ବୈଠକରେ ଯୋଗଦେଇଥିଲେ। ବୈଠକରେ ମୁଖ୍ୟତଃ ଶ୍ରୀମନ୍ଦିର ଓ ବଡଦାଣ୍ଡ ଅଞ୍ଚଳରେ ଥିବା ଅସହାୟ ଓ ନିରାଶ୍ରୟ ବ୍ୟକ୍ତିମାନଙ୍କ ପ୍ରତି ମାନବିକ, ସମ୍ବେଦନଶୀଳ ଏବଂ କଲ୍ୟାଣମୁଖୀ ଆଭିଗମ ଗ୍ରହଣ କରି କାର୍ଯ୍ୟ କରିବା ଉପରେ ଗଭୀର ଆଲୋଚନା କରାଯାଇଥିଲା। କୌଣସି ପ୍ରକାର ହେରାସମେଣ୍ଟ କିମ୍ବା ବଳପୂର୍ବକ କାର୍ଯ୍ୟବାହୀ ନ କରି, ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ସୁରକ୍ଷିତ ଭାବେ ଚିହ୍ନଟ କରି ସରକାରୀ ଓ ସ୍ୱେଚ୍ଛାସେବୀ ସଂସ୍ଥାମାନଙ୍କ ସହଯୋଗରେ ପୁନର୍ବାସନ କରିବା ଉପରେ ଜୋର ଦିଆଯାଇଥିଲା।ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂହ ବୈଠକରେ କହିଥିଲେ ଯେ, ପୁରୀ ହେଉଛି ଏକ ଆନ୍ତର୍ଜାତୀୟ ଧାର୍ମିକ ଓ ପର୍ଯ୍ୟଟନ କ୍ଷେତ୍ର। ଏଠାକୁ ଆସୁଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନଙ୍କ ସୁରକ୍ଷା ସହିତ ସହିତ ସ୍ଥାନୀୟ ଅସହାୟ ଲୋକମାନଙ୍କ ମର୍ଯ୍ୟାଦା ଓ ମାନବିକ ଅଧିକାର ସୁରକ୍ଷା କରିବା ସମସ୍ତଙ୍କର ମୁଖ୍ୟ ଦାୟିତ୍ୱ। ଏହି କାର୍ଯ୍ୟରେ DSSO, ସ୍ୱେଚ୍ଛାସେବୀ ସଂସ୍ଥା ଓ ସମସ୍ତ ସମ୍ପୃକ୍ତ ବିଭାଗର ସମନ୍ୱୟ ଅତ୍ୟନ୍ତ ଆବଶ୍ୟକ ବୋଲି ସେ ଉଲ୍ଲେଖ କରିଥିଲେ।ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଯେ, ଆସନ୍ତା ଦିନଗୁଡ଼ିକରେ ନିୟମିତ ଭାବେ ସମନ୍ୱିତ ଅଭିଯାନ ଚାଲିବ, ଯାହା ମାଧ୍ୟମରେ ନିରାଶ୍ରୟ ଓ ଅସହାୟ ବ୍ୟକ୍ତିମାନଙ୍କୁ ଆଶ୍ରୟଗୃହ, ଚିକିତ୍ସା ସୁବିଧା, ପରାମର୍ଶ ଓ ପୁନର୍ବାସନ ସୁବିଧା ମିଳିପାରିବ। ଏହା ସହିତ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନଙ୍କ ପାଇଁ ଏକ ସୁରକ୍ଷିତ, ସୁସଂଗଠିତ ଓ ମାନବିକ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟ ରହିବ। ପୁରୀ ପୋଲିସ ଆଗାମୀ ଦିନରେ ମଧ୍ୟ ଏପରି ସମନ୍ୱୟମୂଳକ ବୈଠକ ଓ କାର୍ଯ୍ୟକ୍ରମ ମାଧ୍ୟମରେ ସାମାଜିକ କଲ୍ୟାଣ ଓ ଜନସୁରକ୍ଷା ପାଇଁ ପ୍ରତିବଦ୍ଧ ରହିବ ବୋଲି ବୈଠକରେ ପୁନରୁଚ୍ଚାରଣ କରାଯାଇଥିଲା।

SPREAD YOUR LOVE WITH YOUR FRIENDS AND FAMILY

Leave a Reply