Home / ମୁଖ୍ୟ ଖବର / ଆସନ୍ତା ୩୧ ଡିସେମ୍ବର ଓ ନୂତନ ବର୍ଷ ୨୦୨୬ ଅବସରରେ ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷା ନିମନ୍ତେ ବଡଦାଣ୍ଡ ଅଗ୍ନିଶମ କେନ୍ଦ୍ରର ସମୀକ୍ଷା

ଆସନ୍ତା ୩୧ ଡିସେମ୍ବର ଓ ନୂତନ ବର୍ଷ ୨୦୨୬ ଅବସରରେ ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷା ନିମନ୍ତେ ବଡଦାଣ୍ଡ ଅଗ୍ନିଶମ କେନ୍ଦ୍ରର ସମୀକ୍ଷା

whatsapp image 2025 12 27 at 8.33.54 pm

ପୁରୀ:୨୭ /୧୨/୨୦୨୫ – ପୁରୀ ସହରରେ ଆସନ୍ତା ୩୧ ଡିସେମ୍ବର ଓ ନୂତନ ବର୍ଷ ୨୦୨୬ ଅବସରରେ ଅଧିକ ସଂଖ୍ୟକ ଭକ୍ତ ଓ ପର୍ଯ୍ୟଟକଙ୍କ ଆଗମନ ହେବାକୁ ଥିବା ପରିପ୍ରେକ୍ଷିତରେ, ସାର୍ବିକ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆଜି ପୁରୀ ଏସ୍ପି ଶ୍ରୀ ପ୍ରତୀକ ସିଂହଙ୍କ ନେତୃତ୍ୱରେ ବଡଦାଣ୍ଡସ୍ଥିତ ଅଗ୍ନିଶମ କେନ୍ଦ୍ରର ଏକ ବିସ୍ତୃତ ସମୀକ୍ଷା କରାଯାଇଛି। ଏହି ସମୀକ୍ଷା କାର୍ଯ୍ୟକ୍ରମରେ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀ, ଅଗ୍ନିଶମ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ମୁଖ୍ୟତଃ ବଡଦାଣ୍ଡ, ଶ୍ରୀମନ୍ଦିର ଆସପାସ, ଚାରି ଦ୍ୱାର, ମୁଖ୍ୟ ଭକ୍ତ ଚଳାଚଳ ମାର୍ଗ ଓ ଜନସମାଗମ ଅଧିକ ଥିବା ସ୍ଥାନଗୁଡ଼ିକରେ ଅଗ୍ନିଜନିତ ଦୁର୍ଘଟଣା ପ୍ରତିରୋଧ ଓ ଆପାତକାଳୀନ ସେବା ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ସମୀକ୍ଷା ସମୟରେ ଅଗ୍ନିଶମ କେନ୍ଦ୍ରର ଉପଲବ୍ଧ ଯାନବାହନ, ଅଗ୍ନିନିର୍ବାପଣ ଉପକରଣ, ଜଳସ୍ରୋତ, ଆପାତକାଳୀନ ସହାୟତା ବ୍ୟବସ୍ଥା ଓ ତ୍ୱରିତ ପ୍ରତିକ୍ରିୟା କ୍ଷମତାକୁ ନିକଟରୁ ଦେଖିଥିଲେ। ଅଗ୍ନିଶମ କର୍ମଚାରୀମାନଙ୍କୁ ସଦା ସଚେତନ ଓ ସତର୍କ ରହିବା ସହ ଯେକୌଣସି ଆପାତକାଳୀନ ପରିସ୍ଥିତିକୁ ତୁରନ୍ତ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

image

ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂହ ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବ ବୋଲି ଜଣାଇଥିଲେ। ନୂତନ ବର୍ଷ ଉତ୍ସବ ସମୟରେ ହୋଟେଲ, ଲଜ୍, ଧର୍ମଶାଳା, ବଜାର ଅଞ୍ଚଳ, ଆଲୋକସଜ୍ଜା ଥିବା ସ୍ଥାନ ଓ ଭିଡ଼ ଅଧିକ ଥିବା ଅଞ୍ଚଳଗୁଡ଼ିକରେ ଅଗ୍ନିସୁରକ୍ଷା ନିୟମକୁ କଡାକଡି ପାଳନ କରାଯିବ ବୋଲି ସୂଚନା ଦିଆଯାଇଥିଲା। ସେହିପରି, ପୁଲିସ, ଅଗ୍ନିଶମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ ଓ ପୌର ପ୍ରଶାସନ ମଧ୍ୟରେ ଆନ୍ତଃବିଭାଗୀୟ ସମନ୍ୱୟକୁ ଆହୁରି ମଜବୁତ କରିବାକୁ ଜୋର ଦିଆଯାଇଥିଲା। ଆପାତକାଳୀନ ସ୍ଥିତିରେ ତ୍ୱରିତ ସୂଚନା ଓ ରେସ୍ପନ୍ସ ପାଇଁ ଏକ ସୁସ୍ପଷ୍ଟ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ପୁରୀ ପୁଲିସ ପକ୍ଷରୁ ସାଧାରଣ ଜନସାଧାରଣ, ଭକ୍ତ ଓ ପର୍ଯ୍ୟଟକମାନଙ୍କୁ ଅନୁରୋଧ କରାଯାଉଛି ଯେ ନୂତନ ବର୍ଷ ଉତ୍ସବ ସମୟରେ ସମସ୍ତ ସୁରକ୍ଷା ନିୟମ ମାନିବେ, ପ୍ରଶାସନଙ୍କ ସହ ସହଯୋଗ କରିବେ ଓ କୌଣସି ସନ୍ଦେହଜନକ କିମ୍ବା ଆପାତକାଳୀନ ପରିସ୍ଥିତି ଦେଖିଲେ ତୁରନ୍ତ ପୁଲିସ କିମ୍ବା ଅଗ୍ନିଶମ ବିଭାଗକୁ ସୂଚନା ଦେବେ।
ପୁରୀ ପୁଲିସ ଆସନ୍ତା ୩୧ ଡିସେମ୍ବର ଓ ନୂତନ ବର୍ଷ ୨୦୨୬ ଅବସରରେ ସହରରେ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଓ ସୁସଂଗଠିତ ପରିବେଶ ରଖିବା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply