Home / ମୁଖ୍ୟ ଖବର / ସିନ୍ଥେଟିକ୍‌ ପନିର ଏବଂ ଅପମିଶ୍ରିତ କ୍ଷୀରର କବ୍‌ଜାରେ କାକଟପୁର, ନିଷ୍କ୍ରିୟ ଖାଦ୍ୟ ନିରାପତ୍ତା ଅଧିକାରୀ, ଚିନ୍ତାରେ ଖାଉଟି

ସିନ୍ଥେଟିକ୍‌ ପନିର ଏବଂ ଅପମିଶ୍ରିତ କ୍ଷୀରର କବ୍‌ଜାରେ କାକଟପୁର, ନିଷ୍କ୍ରିୟ ଖାଦ୍ୟ ନିରାପତ୍ତା ଅଧିକାରୀ, ଚିନ୍ତାରେ ଖାଉଟି

paneer

କାକଟପୁର ତା ୪/୧, ( ତୁଷାର ଦୀକ୍ଷିତ ) ପୁରୀଜିଲ୍ଲା କାକଟପୁର ବଜାର ସମେତ ବିଭିନ୍ନ ଅଞ୍ଚଳରେ ନକଲି ପନିର, ଛେନା ଏବଂ ଅପମିଶ୍ରିତ କ୍ଷୀର ବହୁଳ ମାତ୍ରାରେ ବିକ୍ରି କରାଯାଉଥିବା ଖବର ଏବେ ଖାଉଟିଙ୍କୁ ଚିନ୍ତାରେ ପକାଇଛି l ଦୁଗ୍ଧଜାତ ଦ୍ରବ୍ୟ ଲୋକଙ୍କ ଆବଶ୍ୟକତା ମେଣ୍ଟାଇ ପାରୁନି। ଏହାର ସୁଯୋଗ ନେଇ ଅସାଧୁ ବେପାରୀମାନେ ଅପମିଶ୍ରଣର ଆଶ୍ରୟ ନେଲେଣି। ନିମ୍ନମାନର କ୍ଷୀର ପାଉଡର୍ ସାଙ୍ଗକୁ ଭେଜିଟେବଲ୍ ଫ୍ୟାଟ୍ ମିଶ୍ରଣ କରି ଛେନା, ପନିର୍‌ ପ୍ରସ୍ତୁତ କରି ବଜାରକୁ ଛାଡ଼ୁଛନ୍ତି। ବିଶେଷ କରି କାକଟପୁର ବଜାରକୁ ସିନ୍ଥେଟିକ୍‌ ପନିର କବ୍‌ଜା କରି ସାରିଥିବା ଅଭିଯୋଗ ହେଉଛି। ଲୋକଙ୍କୁ ଆବଶ୍ୟକ ପରିମାଣର କ୍ଷୀର ମିଳୁ ନଥିବା ବେଳେ ପ୍ରଚୁର ପରିମାଣର ପନିର ମିଳିବାକୁ ନେଇ ଏପରି ସନ୍ଦେହ କରିବାକୁ ଖାଉଟିଙ୍କୁ ବାଧ୍ୟ କରୁଛି। ଏହି ଅପମିଶ୍ରିତ କ୍ଷୀର, ଛେନା, ପନିର ଆଦି ବଜାରକୁ ଆସିବା ପଛରେ ଏକ ଅନ୍ତଃରାଜ୍ୟ ରୢାକେଟ୍ କାମ କରୁଥିବା ଅଭିଯୋଗ ହୋଇଛି। ଯେଉଁମାନେ କି ରାଜଧାନୀ ସମେତ ବିଭିନ୍ନ ଜାଗାରୁ ଏହି କ୍ଷୀର ପାଉଡର୍‌ ଆଣି କାକଟପୁରରେ ପନିର ଓ ଛେନା ପ୍ରସ୍ତୁତ କରି ବିକ୍ରି କରୁଛନ୍ତି। ଏହି ଛେନା, ପନିର ଶସ୍ତା ଓ ଲାଭଜନକ ହୋଇଥିବାରୁ ଅଞ୍ଚଳର କେତେକ ବେପାରୀ ଏହାକୁ ସେମାନଙ୍କ ବୃତ୍ତି କରିସାରିଲେଣି। ଶସ୍ତା କ୍ଷୀରପାଉଡର୍‌ରେ ହେଉଛି ଛେନା, ପନିର l କିନ୍ତୁ ଏବେ କୃତିମ ମିଲ୍‌କ ପାଉଡର ବଜାରରେ ହାଉଯାଉ ହେଲାଣି। ସ୍କିମ୍‌ଡ ମିଲ୍‌କ ପାଉଡର(ଏସ୍‌ଏମ୍‌ପି) କୁହାଯାଉଥିବା ଏହି ସାମଗ୍ରୀରେ ମିଲ୍‌କ ଫ୍ୟାଟ୍ ବଦଳରେ ଭେଜିଟେବଲ୍ ଫ୍ୟାଟ୍ ମିଶାଯାଉଛି। ନକଲି ଛେନା, ପନିର ପ୍ରସ୍ତୁତ ପାଇଁ ନାଇଟ୍ରିକ୍ ଏସିଡ୍ ବ୍ୟବହାର ହେଉଛି। ଏହାକୁ ଖାଇଲେ ଶରୀରରେ ହରମୋନ୍‌ଜନିତ ଅସନ୍ତୁଳନ ଭଳି ରୋଗ ଦେଖାଦିଏ। ନିମ୍ନମାନର ମିଲ୍‌କ ପାଉଡର ବଜାରରେ ୨୫ କିଲୋଗ୍ରାମ, ୫ କିଲୋଗ୍ରାମର ପ୍ୟାକେଟ୍ ଉପଲବ୍ଧ ହେଉଛି। ଯେଉଁଥିରୁ ମିଠା, ଛେନା ଓ ପନିର ପ୍ରସ୍ତୁତ ହୋଇଥାଏ। ଯେହେତୁ ଶସ୍ତା, ପୂଜା ଓ ବିବାହ ଆଦି ଭୋଜିରେ ଏହାର ପ୍ରବଳ ବ୍ୟବହାର ହେଉଥିବା ଜଣାପଡିଛି l ଅପମିଶ୍ରିତ କ୍ଷୀର, ଛେନା, ପନିର୍ ଆଦି ଦୁଗ୍ଧଜାତ ଦ୍ରବ୍ୟର ଯାଞ୍ଚ ଓ କଳାବଜାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ନିଷ୍କ୍ରିୟ ହୋଇପଡିଛି ଜିଲ୍ଲା ଖାଦ୍ୟ ନିରାପତ୍ତା ବିଭାଗ l ସିନ୍ଥେଟିକ୍‌ ପନିର କ୍ଷତିକାରକ ନକଲି ଛେନା, ପନିର ଆଦି ସେବନ ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ। ପାଉଡର୍ ସହ ମାଇକ୍ରୋ ପ୍ଲାଷ୍ଟିକ୍ କ୍ଷୀରରେ ମିଶ୍ରଣ କରାଯାଉଛି। ଏହା ଶରୀରରେ ଜମା ହୋଇ ନାନାଦି ରୋଗ ସୃଷ୍ଟି କରେ। କ୍ୟାନସର ଓ କିଡ୍‌ନି ଜନିତ ରୋଗ ସୃଷ୍ଟି କରିବାର ଆଶଙ୍କା ରହିଛି। କୋଲେଷ୍ଟ୍ରଲ୍ ବୃଦ୍ଧି ସହ ହୃଦ୍‌ଘାତର ଆଶଙ୍କା ବଢ଼ିଯାଏ। ଆଇସିଏମ୍‌ଆର୍‌ ତଥ୍ୟ କହୁଛି, ଦେଶରେ ଉତ୍ପାଦିତ କ୍ଷୀର ମୁଣ୍ଡପିଛା ମାତ୍ର ୧୨୦ରୁ ୧୩୦ ଗ୍ରାମ। କିନ୍ତୁ ଲୋକେ ଖାଉଛନ୍ତି ୩୦୦ରୁ ୩୨୦ ଗ୍ରାମ। ୧ ଲିଟର କ୍ଷୀରରେ ସାଧାରଣତଃ ୮୦ ପ୍ରତିଶତ ପାଣି। ଏହାସତ୍ତ୍ବେ ଏତେ ପରିମାଣର ଦୁଗ୍ଧଜାତ ଦ୍ରବ୍ୟ ବିଶେଷ କରି ପନିର, ଛେନା ବଜାରରେ ବିକ୍ରି ପାଇଁ କୁଆଡ଼ୁ ଆସୁଛି? ଅପମିଶ୍ରଣ ପନିର ଖାଇବା ପରେ ଯଦି ୩ରୁ ୬ ଘଣ୍ଟା ଭିତରେ ନିଃଶ୍ବାସପ୍ରଶ୍ବାସ କଷ୍ଟ, ଝାଡ଼ାବାନ୍ତି, ପେଟ କାଟିବା, ପରିଶ୍ରା ନହେବା ଭଳି ଲକ୍ଷଣ ଦେଖାଯାଏ ତେବେ ତୁରନ୍ତ ଡାକ୍ତର ଙ୍କ ପରାମର୍ଶ କରିବା ଆବଶ୍ୟକ ବୋଲି ବାଙ୍ଗୁରୀଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡଃ ଶାନ୍ତିଭୂଷଣ ଜେନା ପ୍ରକାଶ କରିଛନ୍ତି l

SPREAD YOUR LOVE WITH YOUR FRIENDS AND FAMILY

Leave a Reply