Home / ମୁଖ୍ୟ ଖବର / ଗୋପ ସାଗର ସ୍ନାନ ମେଳଣ ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର : ରାଜ୍ୟସ୍ତରୀୟ ଉତ୍ସବ ଘୋଷଣା ପାଇଁ ଅନୁରୋଧ

ଗୋପ ସାଗର ସ୍ନାନ ମେଳଣ ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର : ରାଜ୍ୟସ୍ତରୀୟ ଉତ୍ସବ ଘୋଷଣା ପାଇଁ ଅନୁରୋଧ

whatsapp image 2026 01 08 at 7.38.41 pm

ଗୋପ, ଜାନୁଆରୀ ୭/୧/୨୦୨୬ : ଓଡ଼ିଶାର ପୁରୀ ଜିଲ୍ଲା ଅନ୍ତର୍ଗତ ଗୋପ ଅଞ୍ଚଳରେ ଆୟୋଜିତ ଐତିହାସିକ ଗୋପ ସାଗର ସ୍ନାନ ମେଳଣର ପୁନରୁଦ୍ଧାର ଓ ସଂରକ୍ଷଣ ପାଇଁ ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସମ୍ପାଦକ ପ୍ରଶାନ୍ତ ସ୍ୱାଇଁ (ଲୁଲୁ) ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ଲେଖି ତୁରନ୍ତ ସରକାରୀ ହସ୍ତକ୍ଷେପର ଦାବି କରିଛନ୍ତି। ଏହି ମେଳଣକୁ ରାଜ୍ୟସ୍ତରୀୟ ସାଂସ୍କୃତିକ ଉତ୍ସବ ଭାବେ ଘୋଷଣା କରିବା ସହ ଏହାର ସ୍ଥାୟୀ ବିକାଶ ପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ ସେ ଅନୁରୋଧ କରିଛନ୍ତି।

image
image

ପତ୍ରରେ ସ୍ୱାଇଁ ଉଲ୍ଲେଖ କରିଛନ୍ତି ଯେ, ଗୋପ ସାଗର ସ୍ନାନ ମେଳଣ ଓଡ଼ିଶାର ଜୀବନ୍ତ ସାଂସ୍କୃତିକ ଐତିହ୍ୟର ଏକ ଅମୂଲ୍ୟ ପ୍ରତୀକ। କୁଶଭଦ୍ରା ନଦୀ ଓ ସାଗରର ସଙ୍ଗମସ୍ଥଳୀରେ ଆୟୋଜିତ ଏହି ମେଳଣ ପ୍ରାୟ ୨୦୦ ବର୍ଷ ପୂର୍ବରୁ ‘ମୁନି ମେଳଣ’ ନାମରେ ପରିଚିତ ଥିଲା। ଏହା ଦୀର୍ଘ ସମୟ ଧରି ହିନ୍ଦୁ–ମୁସଲିମ ସାମ୍ପ୍ରଦାୟିକ ସମନ୍ୱୟର ଏକ ଦୃଷ୍ଟାନ୍ତ ଭାବେ ଚାଲିଥିବା ସହ କୃଷି ଉପକରଣ, ହସ୍ତଶିଳ୍ପ, ଲୋକନୃତ୍ୟ ଓ ଲୋକସଙ୍ଗୀତର ଏକ ବିଶାଳ ମଞ୍ଚ ଥିଲା।

ତଥାପି, ପ୍ରଶାସନିକ ଅବହେଳା, ରାଜନୈତିକ ଅନାଗ୍ରହ ଓ ପର୍ଯ୍ୟାପ୍ତ ସରକାରୀ ସମର୍ଥନର ଅଭାବ ଯୋଗୁଁ ଏହି ଐତିହାସିକ ମେଳଣ ଆଜି ନାମମାତ୍ରରେ ସୀମିତ ହୋଇପଡ଼ିଛି ବୋଲି ସ୍ୱାଇଁ ଦୁଃଖ ପ୍ରକାଶ କରିଛନ୍ତି। ପତ୍ରରେ ସେ କହିଛନ୍ତି, “କୋଣାର୍କ ନୃତ୍ୟ ମହୋତ୍ସବ ଓ ନିମାପଡ଼ା ମହୋତ୍ସବ ଭଳି ଉତ୍ସବଗୁଡ଼ିକୁ କୋଟି କୋଟି ଟଙ୍କାର ସରକାରୀ ସହାୟତା ମିଳୁଥିବା ବେଳେ, ଗୋପ ସାଗର ସ୍ନାନ ମେଳଣ ପାଇଁ ନ୍ୟୁନତମ ଅନୁସଙ୍ଗିକ ବ୍ୟବସ୍ଥା ମଧ୍ୟ ନାହିଁ। ଏହା ଓଡ଼ିଶାର ‘ଧରୋହର ରାଜ୍ୟ’ ପରିଚୟକୁ ପ୍ରଶ୍ନବାଚୀ କରୁଛି।” ସେ ଆହୁରି ମତ ପ୍ରକାଶ କରିଛନ୍ତି ଯେ, ଏହି ମେଳଣର ପୁନରୁଦ୍ଧାର ଗୋପ–କୋଣାର୍କ ଅଞ୍ଚଳର ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ପୁନରୁତ୍ଥାନର ମୁଖ୍ୟ ଆଧାର ହୋଇପାରିବ।

ପତ୍ରରେ ସ୍ୱାଇଁ ଚାରିଟି ପ୍ରମୁଖ ଦାବି ରଖିଛନ୍ତି—ଗୋପ ସାଗର ସ୍ନାନ ମେଳଣକୁ ରାଜ୍ୟସ୍ତରୀୟ ସାଂସ୍କୃତିକ ଉତ୍ସବ ଭାବେ ଘୋଷଣା,ସ୍ଥାୟୀ ଢାଞ୍ଚା, ସ୍ୱଚ୍ଛତା ଓ ସୁରକ୍ଷା ସହିତ ଆବଶ୍ୟକ ଅନୁସଙ୍ଗିକ ବ୍ୟବସ୍ଥା,ଗୋପ–କୋଣାର୍କ ଅଞ୍ଚଳକୁ ସ୍ୱତନ୍ତ୍ର ବିଧାନସଭା ମଣ୍ଡଳୀ ଭାବେ ବିଚାର,ଏକ ସ୍ୱତନ୍ତ୍ର ଲୋକଧରୋହର ସଂରକ୍ଷଣ ପ୍ରାଧିକରଣର ଗଠନ। ଏହି ସମସ୍ତ ପଦକ୍ଷେପକୁ ଇଣ୍ଟାକ୍ ଓ ୟୁନେସ୍କୋର ସାଂସ୍କୃତିକ ସଂରକ୍ଷଣ ନୀତି ସହ ସମନ୍ୱୟ କରି କାର୍ଯ୍ୟାନ୍ବୟନ କରାଯାଇପାରିବ ବୋଲି ସେ ପତ୍ରରେ ଉଲ୍ଲେଖ କରିଛନ୍ତି। ଏହି ପତ୍ର ଏକ ସମ୍ପାଦକୀୟ ଲେଖାରୁ ପ୍ରେରିତ, ଯେଉଁଥିରେ ଗୋପ ସାଗର ସ୍ନାନ ମେଳଣର ଅବହେଳାକୁ ଓଡ଼ିଶାର ଜୀବନ୍ତ ସାଂସ୍କୃତିକ ଆତ୍ମାର ହ୍ରାସ ଭାବେ ଅଭିହିତ କରାଯାଇଥିଲା। ସ୍ୱାଇଁ କହିଛନ୍ତି, “ଏହି ମେଳଣକୁ ବଞ୍ଚାଇବା ମାନେ ଓଡ଼ିଶାର ଆତ୍ମାକୁ ବଞ୍ଚାଇବା। ଅବହେଳା କଲେ ଆଗାମୀ ପିଢ଼ି ଆମକୁ କ୍ଷମା କରିବେ ନାହିଁ।”

ଏହି ପତ୍ର ଉପରେ ସରକାରୀ ସ୍ତରରେ କି ପ୍ରତିକ୍ରିୟା ଆସିବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ। ତେବେ ଏହି ପଦକ୍ଷେପ ଓଡ଼ିଶାର ସାଂସ୍କୃତିକ ସଂରକ୍ଷଣ ଆନ୍ଦୋଳନକୁ ନୂଆ ଗତି ଦେବ ବୋଲି ଆଶା ପ୍ରକାଶ ପାଉଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply