ନୟାଗଡ଼,ତା-୧.୨.୨୬ରିଖ – ଭାସ୍କର ଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ – ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ନୂଆଗାଁ ପଞ୍ଚୁପାଣ୍ଡବ ମହୋତ୍ସବର ତୃତୀୟ ସନ୍ଧ୍ୟାର ଅପରାହ୍ନରେ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନୂଆଗାଁ ବନ୍ଦନା,ପାଇକ ଆଖଡା ଖୋର୍ଦ୍ଧା,ମା ମଙ୍ଗଳା ଯୋଡ଼ି ଶଙ୍ଖ ନଟରାଜ ଡ୍ୟାନ୍ସ ଏକାଡେମୀ,କଟକ ତରଫରୁ ପାଇକ ଆଖଡା ଠାରୁ ଆରମ୍ଭ କରି ଓଡିଶୀ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା । କଳାକାର ମାନଙ୍କ ଅଭିନୟ ଅତ୍ୟନ୍ତ ଜୀବନ୍ତ ଲାଗୁଥିଲା । ମହୋତ୍ସବ କମିଟିର ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ଜୂନାଗଡ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଯୋଗ ଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବେ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ

ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଦଶପଲ୍ଲା ଏନଏସି ଅଧ୍ୟକ୍ଷା ପୁନମ ପ୍ରିୟଦର୍ଶିନୀ,ଗଣିଆ ବ୍ଳକ ଅଧ୍ୟକ୍ଷା ଝୁନା ଜେନା,୧୧ ନ° ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ବସନ୍ତ କୁମାର ପ୍ରଧାନ, ସଂଯୋଜକ ଗୋଲଖ ବିହାରୀ ଗୋଛାୟତ ପ୍ରମୁଖ ମଞ୍ଚାସୀନ ଥିଲେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଧୁପ, ଦୀପ, ପୁଷ୍ପ ଅର୍ପଣ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା । ମହୋତ୍ସବ କମିଟି ତରଫରୁ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ମହୋତ୍ସବ ପାଳନ ଦ୍ବାରା ସାହିତ୍ୟ, ସଂସ୍କୃତି ଏବଂ ପରମ୍ପରା ଉଜ୍ଜୀବିତ ହୋଇପାରିବ ବୋଲି ମୁଖ୍ୟ ଅତିଥି

ପ୍ରକାଶ କରିଥିଲେ । ନିଜ ନିଜ ଭିତରେ ତିକ୍ତତାକୁ ଭୁଲି ବନ୍ଧୁତ୍ୱ ସ୍ଥାପନ କରିବା ପାଇଁ ଏଭଳି ମେଳା ମହୋତ୍ସବର ଆୟୋଜନ ନିତ୍ୟାନ୍ତ ଆବଶ୍ୟକ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । କଷ୍ଟି ଡାକୁଆଙ୍କ ମାଟିର ସ୍ବତନ୍ତ୍ର ବାସ୍ନା ରହିଛି ବୋଲି ସେମାନେ ପ୍ରକାଶ କରିଥିଲେ । ପଲ୍ଲୀଶ୍ରୀ ମେଳାରେ ନିଜ ମନ ପସନ୍ଦର ଘରକରଣା ସାମଗ୍ରୀ କ୍ରୟ କରିବାକୁ ମହିଳା ମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା । ବିଭିନ୍ନ ଖାଦ୍ୟ ଷ୍ଟଲରେ ଭିଡ ଜମିଥିଲା । କଣ୍ଠଶିଳ୍ପୀ ଶକ୍ତି ମିଶ୍ରଙ୍କ ସୁମଧୁର ସଙ୍ଗୀତ ଏବଂ ନୃତ୍ୟରେ ମତୁଆଲା ହୋଇଯାଇଥିଲେ ଯୁବଗୋଷ୍ଠୀ । ହଜାର ହଜାର ଦର୍ଶକ ଏହି ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇଥିଲେ । ମହୋତ୍ସବ କମିଟିର ସମସ୍ତ ସଦସ୍ୟ ସଂପୂର୍ଣ୍ଣ ସହଯୋଗ କରିଥିଲେ । ବିଧାୟକ ଶ୍ରୀ ବେହେରାଙ୍କ ପ୍ରଚେଷ୍ଟାରେ ଏହି ମହୋତ୍ସବ ଆଶାତୀତ ସଫଳତା ଲାଭ କରିଛି ।











