ସାକ୍ଷୀଗୋପାଳ, ୨/୨: ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତର ଚଉଦଗୁଣ୍ଡ ଗ୍ରାମସ୍ଥିତ ବହୁ ପୁରାତନ ରାଧାକୃଷ୍ଣ ମଠ ସମ୍ମୁଖରେ ପ୍ରତିବର୍ଷର ଭଳି ଚଳିତ ବର୍ଷ ମଧ୍ୟ ଭକ୍ତିମୟ ପରିବେଶ ମଧ୍ୟରେ ଅଷ୍ଟମ ପ୍ରହର ନାମଯଜ୍ଞ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
ଅଷ୍ଟମ ପ୍ରହର ନାମଯଜ୍ଞ ଅବସରରେ ଅଧିବାସ ଦିନ ପାରମ୍ପରିକ ନିତି-ନିୟମ ଅନୁସାରେ ସଂକୀର୍ତ୍ତନ ସହିତ ଏକ ଭବ୍ୟ ଶୋଭାଯାତ୍ରା ଗଠିତ ହୋଇଥିଲା। ଗ୍ରାମର ବଡ଼ ପୋଖରୀରୁ ଶ୍ରଦ୍ଧାଳୁମାନେ ପାଣି ଆଣି ଘଟ ସ୍ଥାପନ କରିବା ପରେ ଅଧିବାସ କାର୍ଯ୍ୟ ଆରମ୍ଭ ହୋଇଥିଲା।
ଗ୍ରାମବାସୀଙ୍କ ଦ୍ୱାରା ଆୟୋଜିତ ଏହି ଅଷ୍ଟମ ପ୍ରହର ନାମଯଜ୍ଞରେ ପ୍ରାୟ ୧୨ଟି ସୁନାମଧନ୍ୟ ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେଇ ଭକ୍ତିର ସ୍ରୋତକୁ ଆହୁରି ଗଭୀର କରିଥିଲେ।
ଏହି କାର୍ଯ୍ୟକ୍ରମରେ କର୍ତ୍ତା ଭାବେ ସୁଦର୍ଶନ ମହାପାତ୍ର ଦାୟିତ୍ୱ ପାଳନ କରିଥିବା ବେଳେ, ପୂଜକ ଭାବେ ଭୁବନେଶ୍ୱର ତ୍ରିପାଠୀ ଅରୁପଣ୍ଡା ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ।
ଗ୍ରାମର ପୁରୁଷ ଓ ମହିଳା ଶ୍ରଦ୍ଧାଳୁମାନେ ଦିନ-ରାତି ଧରି ଉପସ୍ଥିତ ରହି ଅଷ୍ଟମ ପ୍ରହର ନାମଯଜ୍ଞର ଆନନ୍ଦ ଉପଭୋଗ କରିଥିଲେ। ଦୀର୍ଘ ବର୍ଷଧରି ଗ୍ରାମରେ ଏହି ପାରମ୍ପରିକ ଧାର୍ମିକ ଅନୁଷ୍ଠାନ ଅବିରତ ଭାବେ ଚାଲିଆସୁଛି ବୋଲି ଗ୍ରାମ କମିଟିର ସଭାପତି ପ୍ରଭାତ ମହାପାତ୍ରଙ୍କ ସହ ଧନେଶ୍ୱର ମହାପାତ୍ର, ଭାଗବତ ମହାପାତ୍ର, ଆଲୋକ ମହାପାତ୍ର ଓ ସଚ୍ଚିକାନ୍ତ ମହାପାତ୍ର ସୂଚନା ଦେଇଛନ୍ତି।
ନାମଯଜ୍ଞ ଅବସରରେ ମଠ ପରିସର ଓ ଆସପାସ ଅଞ୍ଚଳ ଆଧ୍ୟାତ୍ମିକ ପରିବେଶରେ ମହକିଉଠିଥିଲା। ମଠ ନିକଟରେ ଆନନ୍ଦ ବଜାର ଖୋଲାଯାଇଥିବା ବେଳେ ଶ୍ରଦ୍ଧାଳୁ ଓ ଗ୍ରାମବାସୀମାନେ ଅର୍ଣ୍ଣ ପ୍ରସାଦ ସେବନ କରିଥିଲେ। ସମଗ୍ର ଗ୍ରାମ ଧାର୍ମିକ ଉତ୍ସବର ଆନନ୍ଦ ଓ ଭକ୍ତିରେ ଉତ୍ସାହିତ ହୋଇଉଠିଥିଲା।











