ସତ୍ୟବାଦୀ, ୬/୨ : ସତ୍ୟବାଦୀ ମହୋତ୍ସବ–୨୦୨୬ର ଦ୍ଵିତୀୟ ସନ୍ଧ୍ୟା ବିଶେଷ ଆଡମ୍ବର ଓ ଉତ୍ସାହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ସନ୍ଧ୍ୟାରେ ମୂଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଶ୍ରୀ ଓମପ୍ରକାଶ ମିଶ୍ର ଉପସ୍ଥିତ ରହିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ରତିକାନ୍ତ ମିଶ୍ର, ଆତ୍ମା ଅଧ୍ୟକ୍ଷ ଶ୍ରୀ ସୁରେନ୍ଦ୍ର ପ୍ରଧାନ, ତହସିଲଦାର ଶ୍ରୀ ସନ୍ତୋଷ ପାଣିଗ୍ରାହୀ, ଅତିରିକ୍ତ ତହସିଲଦାର ଶ୍ରୀ ଓମପ୍ରକାଶ ପରିଡା, ବିଡିଓ ଶ୍ରୀ ଦେବାଶିଷ ନାୟକ ଓ ଉପଖଣ୍ଡ

ଆରକ୍ଷୀ ଅଧିକାରୀ ଶ୍ରୀ ଦେବାଶିଷ ମିଶ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମହୋତ୍ସବ ଆୟୋଜକଙ୍କ ପକ୍ଷରୁ ପୂର୍ବରୁ ଆୟୋଜିତ ବ୍ଲକ ସ୍ତରୀୟ ବିଭିନ୍ନ ସ୍କୁଲ ପ୍ରତିଯୋଗିତାରେ ସଫଳ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ହାତରେ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା।

ଏହା ପରେ ସଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସଂସ୍କୃତି ବିଭାଗର ସହଯୋଗରେ ସିଂଘମ କ୍ରିଏଟିଭ୍ ଗ୍ରୁପର କଳାକାରମାନେ ବାରମାସୀ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ଆକର୍ଷିତ କରିଥିଲେ। ଏହା ସହ ରାମହରି ଦାସ ଓଡ଼ିଶୀ ଗୁରୁକୁଳ, ଡାଇନାମିକ ଡ୍ୟାନ୍ସ ଏକାଡେମୀ ଓ ସାରସ୍ୱତ କଳା କେନ୍ଦ୍ର, ଭୁବନେଶ୍ୱରର କଳାକାରମାନେ ଓଡ଼ିଶୀ ନୃତ୍ୟ ସହ ବିଭିନ୍ନ ନୃତ୍ୟ ଉପସ୍ଥାପନା କରି ମଞ୍ଚକୁ ଜୀବନ୍ତ କରିଥିଲେ।

ରାତ୍ରିର ମୁଖ୍ୟ ଆକର୍ଷଣ ଭାବେ ଓଲିଉଡ଼ ନାଇଟ୍ ଅନୁଷ୍ଠିତ ହୋଇଥିଲା। ଏଠାରେ ଖ୍ୟାତିସମ୍ପନ୍ନ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ ଓ ତାଙ୍କ ଦଳ, ସହିତ କୁଳଦୀପ ପଟ୍ଟନାୟକ ଓ ଗ୍ରୁପ ମନମୋହକ ସଙ୍ଗୀତ ପରିବେଷଣ କରି ଉପସ୍ଥିତ ହଜାର ହଜାର ଦର୍ଶକଙ୍କୁ ମନୋରଞ୍ଜନ ପ୍ରଦାନ କରିଥିଲେ।

ମଞ୍ଚରେ ସଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜନା ଦାୟିତ୍ୱ ଅଞ୍ଜନ କୁମାର ହୋତା ନିର୍ବାହ କରିଥିଲେ। ସମ୍ପାଦକ ଦୀପକ ଶତପଥୀ, ସହ-ସମ୍ପାଦକ ଭବାନୀ ଶଙ୍କର ନନ୍ଦ, କୋଷାଧ୍ୟକ୍ଷ ପ୍ରିୟରଞ୍ଜନ ସହ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ସମଗ୍ର କାର୍ଯ୍ୟକ୍ରମ ସୁଚାରୁ ଭାବେ ପରିଚାଳନାରେ ସହଯୋଗ କରିଥିଲେ। ଏହା ପୂର୍ବରୁ, ସତ୍ୟବାଦୀ ମହୋତ୍ସବ କମିଟିର ଆନୁକୂଲ୍ୟରେ ସ୍ଥାନୀୟ ପଞ୍ଚସଖା ସ୍ମୃତି ପାଠାଗାରରେ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏହି ଶିବିରକୁ ରେଡକ୍ରସ, ଭୁବନେଶ୍ୱର ପକ୍ଷରୁ ପରିଚାଳନା କରାଯାଇ ୯୬ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ସୂଚନା ମିଳିଛି।











