Home / ମୁଖ୍ୟ ଖବର / ପୁରୀର ପାରମ୍ପରିକ ଆଖଡ଼ା ସଂସ୍କୃତି ପୁନରୁଦ୍ଧାର ପାଇଁ ସରକାରଙ୍କୁ ଅନୁରୋଧ

ପୁରୀର ପାରମ୍ପରିକ ଆଖଡ଼ା ସଂସ୍କୃତି ପୁନରୁଦ୍ଧାର ପାଇଁ ସରକାରଙ୍କୁ ଅନୁରୋଧ

whatsapp image 2026 02 22 at 7.36.41 pm

ପୁରୀ: ୨୩-୨-୨୬ – ପୁରୀର ପାରମ୍ପରିକ ଆଖଡ଼ା ସଂସ୍କୃତି ଓ କୁସ୍ତି(ମଲ୍ଲଯୁଦ୍ଧ)ର ସୁରକ୍ଷା, ପୁନରୁଦ୍ଧାର ଓ ପ୍ରଚାର-ପ୍ରସାର ସମ୍ପର୍କରେ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ବିଷୟରେ ସ୍ପଷ୍ଟତା ଆହ୍ୱାନ କରି ରାଜ୍ୟ ମୁଖ୍ୟ ସଚିବଙ୍କୁ ଏକ ସ୍ମରଣ ପତ୍ର ପ୍ରେରଣ କରାଯାଇଛି।

ବିଜେପି କୃଷକ ମୋର୍ଚ୍ଚା, ଓଡ଼ିଶାର ରାଜ୍ୟ ସମ୍ପାଦକ ପ୍ରଶାନ୍ତ ସ୍ଵାଇଁ (ଲୁଲୁ) ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ୧୫ ଅପ୍ରେଲ ୨୦୨୫ ତାରିଖରେ ସେ ମୁଖ୍ୟମନ୍ତ୍ରୀ ଓ କ୍ରୀଡ଼ାମନ୍ତ୍ରୀଙ୍କୁ ପତ୍ର ଲେଖି ପୁରୀର ସାହି ପରମ୍ପରା ସହ ଜଡିତ ଆଖଡ଼ା ସଂସ୍କୃତିର ପୁନରୁଜ୍ଜୀବନ ପାଇଁ ଗଠନାତ୍ମକ ପ୍ରସ୍ତାବ ରଖିଥିଲେ। କିନ୍ତୁ ପ୍ରାୟ ନଅ ମାସ ଅତିତ ହେବା ସତ୍ତ୍ୱେ ସରକାର ପକ୍ଷରୁ କୌଣସି ନିଷ୍କର୍ଷାତ୍ମକ ସୂଚନା ମିଳିନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।

ପୁରୀ ଶ୍ରୀଜଗନ୍ନାଥଙ୍କ ପବିତ୍ର ପୀଠ ଭାବେ ବିଶ୍ୱବ୍ୟାପୀ ପରିଚିତ ହେଲେ ମଧ୍ୟ, ଏଠାର ସାହି ପରମ୍ପରାରେ ଆଖଡ଼ା ସଂସ୍କୃତି ଏକ ଅବିଚ୍ଛିନ୍ନ ଅଂଶ ଭାବେ ପ୍ରାଚୀନକାଳରୁ ବର୍ତ୍ତମାନ ପର୍ଯ୍ୟନ୍ତ ଅବସ୍ଥିତ। ଦୋଳମଣ୍ଡପ ସାହି, ମାର୍କଣ୍ଡେଶ୍ୱର ସାହି, ହରଚଣ୍ଡୀ ସାହି ପ୍ରମୁଖ ଅଞ୍ଚଳରେ ଅବସ୍ଥିତ ଆଖଡ଼ାଗୁଡ଼ିକ କେବଳ କ୍ରୀଡ଼ା କେନ୍ଦ୍ର ନୁହେଁ; ସେଗୁଡ଼ିକ ଶାରୀରିକ ସାମର୍ଥ୍ୟ, ଶୃଙ୍ଖଳା, ସାମାଜିକ ସମନ୍ୱୟ ଓ ସାହି ଗର୍ବର ପ୍ରତୀକ ଭାବେ ପରିଚିତ।

ଇତିହାସ ଅନୁସାରେ ମଲ୍ଲଯୁଦ୍ଧ ଭାରତର ପ୍ରାଚୀନ କ୍ରୀଡ଼ା ପରମ୍ପରାର ଏକ ଅଂଶ ଓ ଗୁରୁ-ଶିଷ୍ୟ ପ୍ରଣାଳୀ ଆଧାରିତ ଆଖଡ଼ା ବ୍ୟବସ୍ଥା ଏହାକୁ ଶତାବ୍ଦୀ ଧରି ଜୀବନ୍ତ ରଖିଛି। ରଥଯାତ୍ରା ଓ ଚନ୍ଦନଯାତ୍ରା ଭଳି ପର୍ବପର୍ବାଣୀ ସମୟରେ ଏହି ପରମ୍ପରାର ସ୍ପଷ୍ଟ ପ୍ରତିଫଳନ ଦେଖିବାକୁ ମିଳେ।

ଶ୍ରୀ ସ୍ଵାଇଁ ତାଙ୍କ ପ୍ରସ୍ତାବରେ ପୁରୀରେ ଆଧୁନିକ ସୁବିଧା ସହିତ ଏକ କୁସ୍ତି ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ କରିବା,ପାରମ୍ପରିକ ଆଖଡ଼ାଗୁଡ଼ିକର ପୁନରୁଦ୍ଧାର ଓ ଆବଶ୍ୟକ ଢାଞ୍ଚାଗତ ସୁବିଧା ପ୍ରଦାନ କରିବା, ରଥଯାତ୍ରା, ଚନ୍ଦନଯାତ୍ରା ଆଦି ପର୍ବ ସମୟରେ ନିୟମିତ କୁସ୍ତି ପ୍ରତିଯୋଗିତା ଆୟୋଜନ କରିବା, ସ୍କୁଲ ଓ କଲେଜରେ କୁସ୍ତିକୁ ଐଚ୍ଛିକ ବିଷୟ ଭାବେ ଅନ୍ତର୍ଭୁକ୍ତ କରାଇବା ସହ ପର୍ଯ୍ୟଟନ ନୀତି ସହ ଆଖଡ଼ା ସଂସ୍କୃତିର ସମନ୍ୱୟ ରକ୍ଷାକରି ପ୍ରଶିକ୍ଷକ ଓ ଯୁବ ଖେଳାଳିଙ୍କ ପାଇଁ ଆର୍ଥିକ ସହାୟତା, ସ୍କଲାରସିପ୍ ଓ ପ୍ରଶାସନିକ ସମର୍ଥନ ଦେବାକୁ ଅନୁରୋଧ କରିଛନ୍ତି।

ସେ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ ଏପର୍ଯ୍ୟନ୍ତ କେଉଁ ପଦକ୍ଷେପ ଗ୍ରହଣ କରାଯାଇଛି, କୌଣସି ନୂତନ ଯୋଜନା କିମ୍ବା ବଜେଟ୍ ବିନିୟୋଗ ହୋଇଛି କି ନାହିଁ ଓ କାର୍ଯ୍ୟନ୍ବୟନରେ କୌଣସି ବାଧା ରହିଥିଲେ ତାହା ସ୍ପଷ୍ଟ କରାଯାଉ।

ପତ୍ରରେ ସେ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲା ସରକାରୀ ପ୍ରୋତ୍ସାହନ ଓ ସୁଠାମ ପ୍ରଶିକ୍ଷଣ ବ୍ୟବସ୍ଥା ମାଧ୍ୟମରେ ହକି କ୍ଷେତ୍ରରେ ରାଜ୍ୟକୁ ଜାତୀୟ ଓ ଆନ୍ତର୍ଜାତୀୟ ପରିଚୟ ଦେଇପାରିଛି। ସେହିପରି ପୁରୀରେ ମଧ୍ୟ ଯଦି ପାରମ୍ପରିକ ଆଖଡ଼ା ସଂସ୍କୃତିକୁ ଆଧୁନିକ ପ୍ରଶିକ୍ଷଣ ପ୍ରଣାଳୀ ସହ ସମନ୍ୱୟ କରାଯାଏ, ତେବେ ଏଠାରୁ ମଧ୍ୟ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର କୁସ୍ତିବାଜ ତିଆରି ହେବା ସମ୍ଭବ।

ଶ୍ରୀ ସ୍ଵାଇଁ ଆଶା ବ୍ୟକ୍ତ କରିଛନ୍ତି ଯେ ଏହି ଐତିହାସିକ ଓ ସାଂସ୍କୃତିକ ପରମ୍ପରାର ସୁରକ୍ଷା ଓ ପୁନରୁଦ୍ଧାର ପାଇଁ ସରକାର ଶୀଘ୍ର ଏକ ସ୍ପଷ୍ଟ ରୋଡମ୍ୟାପ ପ୍ରକାଶ କରିବେ। ଏହା ଦ୍ୱାରା ପୁରୀର ଯୁବପିଢ଼ି ନିଜ ଐତିହ୍ୟ ସହ ଜଡିତ ହୋଇ ଖେଳ କ୍ଷେତ୍ରରେ ନୂତନ ସଫଳତା ଅର୍ଜନ କରିପାରିବ ବୋଲି ସେ ମତ ପ୍ରକାଶ କରିଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply