ସାକ୍ଷୀଗୋପାଳ, ୨୭ ଫେବୃଆରୀ (ନିଜସ୍ୱ ପ୍ରତିନିଧି): ଓଡ଼ିଶାର ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ସତ୍ୟବାଦୀ ସଙ୍ଗୀତ ମହାବିଦ୍ୟାଳୟ’ର ୪୯ତମ ପ୍ରତିଷ୍ଠା ବର୍ଷ ପୂର୍ତ୍ତି ଅବସରରେ ଏକ ବିଶେଷ ଓଡ଼ିଶୀ ନୃତ୍ୟ କର୍ମଶାଳା ଆଜିଠାରୁ ନିଜସ୍ଵ ପରିସରରେ ଶୁଭାରମ୍ଭ ହୋଇଯାଇଛି। ବିଶ୍ୱପ୍ରସିଦ୍ଧ ଓଡ଼ିଶୀ ଗୁରୁ ଶ୍ରୀଯୁକ୍ତ ରତିକାନ୍ତ ମହାପାତ୍ର ଏବଂ ବିଶିଷ୍ଟ ନୃତ୍ୟାଙ୍ଗନା ଶ୍ରୀମତୀ ରାଜଶ୍ରୀ ପ୍ରହରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ୩-ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଉଛି।
ସୃଜନ ଦ୍ଵାରା ଆୟୋଜିତ ଏହି କର୍ମଶାଳାକୁ ସୃଜନ ଅନୁଷ୍ଠାନର ନିର୍ଦେଶକ, ଓଡ଼ିଶୀ ଗୁରୁ ଶ୍ରୀଯୁକ୍ତ ରତିକାନ୍ତ ମହାପାତ୍ର ଙ୍କ ସହିତ ସତ୍ୟବାଦୀ ସଙ୍ଗୀତ ମହାବିଦ୍ୟାଳୟ ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ଦୁର୍ଗାପ୍ରସାଦ ମହାପାତ୍ର ଏବଂ ଉପସଭାପତି ଶ୍ରୀଯୁକ୍ତ ବ୍ରଜକିଶୋର ମହାପାତ୍ର ଉଦ୍ଘାଟନ କରିଥିଲେ।

ଏହି କର୍ମଶାଳା ମୁଖ୍ୟତଃ ପ୍ରଶିକ୍ଷିତ ଓଡ଼ିଶୀ ନୃତ୍ୟଶିଳ୍ପୀମାନଙ୍କ ପାଇଁ ଆୟୋଜନ କରାଯାଇଛି। ଏଥିରେ ଓଡ଼ିଶୀ ନୃତ୍ୟର ଶାସ୍ତ୍ରୀୟ ବ୍ୟାକରଣ ସହିତ, ଓଡିଶୀ ନୃତ୍ୟର ଶୈଳୀଗତ ସୂକ୍ଷ୍ମତା ଓ ପାରମ୍ପରିକ ଗଠନର ଆଧୁନିକ ରୂପାନ୍ତର ଉପରେ ଗୁରୁତ୍ୱ ଦେଇଛନ୍ତି । ଶିକ୍ଷାର୍ଥୀମାନେ ଏହି ଅବସରରେ ‘ବନ୍ଦେ କୃଷ୍ଣମ୍’ ଏବଂ ‘ମେଘ ପଲ୍ଲବୀ’ ଶିକ୍ଷା କରିବା ସହ ନୃତ୍ୟର ସୂକ୍ଷ୍ମ କଳା କୌଶଳ ସମ୍ପର୍କରେ ଜ୍ଞାନ ଆହରଣ କରିବେ।

ସାକ୍ଷୀଗୋପାଳ ଭଳି ଏକ ଗ୍ରାମାଞ୍ଚଳରେ ବିଶ୍ୱସ୍ତରୀୟ ଗୁରୁଙ୍କ ଦ୍ୱାରା ପ୍ରଶିକ୍ଷଣ ପ୍ରଦାନ କରି ଓଡ଼ିଶୀ ନୃତ୍ୟକଳାକୁ ଘରେ ଘରେ ପହଞ୍ଚାଇବା ହେଉଛି ଏହି ଅନୁଷ୍ଠାନର ମୁଖ୍ୟ ଆଭିମୁଖ୍ୟ। କର୍ମଶାଳାରେ ଗୁରୁ ଲିଙ୍ଗରାଜ ସ୍ୱାଇଁ ଏବଂ ଶ୍ରୀମତୀ ଚିରଶ୍ରୋତା ଖୁଣ୍ଟିଆଙ୍କ ଅଭିଜ୍ଞ ଶିଷ୍ୟମାନେ ଯୋଗଦେଇ ନିଜର ଦକ୍ଷତା ବୃଦ୍ଧି କରୁଛନ୍ତି। ପ୍ରତିଦିନ ଦୁଇଟି ପର୍ଯ୍ୟାୟରେ ଏହି କର୍ମଶାଳା ଚାଲୁଥିବା ବେଳେ ଆସନ୍ତା ମାର୍ଚ୍ଚ ୧ ତାରିଖରେ ଏହା ଉଦ୍ଯାପିତ ହେବ। ସମସ୍ତ ଅଂଶଗ୍ରହଣକାରୀଙ୍କୁ ସୃଜନ ଅନୁଷ୍ଠାନ ପକ୍ଷରୁ ସମାପନ ଦିବସରେ ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।
ସତ୍ୟବାଦୀ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବଦ୍ରିନାରାୟଣ ଖୁଣ୍ଟିଆ ଏହି ଅବସରରେ, ଗୁରୁ ଶ୍ରୀଯୁକ୍ତ ରତିକାନ୍ତ ମହାପାତ୍ର ଓ ତାଙ୍କ ସହଯୋଗୀଙ୍କୁ, କାର୍ମଶାଳା ପାଇଁ ସତ୍ୟବାଦୀ ସଙ୍ଗୀତ ମହାବିଦ୍ୟାଳୟକୁ ଚୟନ କରିଥିବାରୁ, କୃତଜ୍ଞତା ଜଣାଇବା ସହ ସମସ୍ତ ଗୁରୁ ଓ ଶିକ୍ଷାର୍ଥୀଙ୍କ ନିଷ୍ଠାପର ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଛନ୍ତି। ସତ୍ୟବାଦୀ ଅଞ୍ଚଳରେ ଓଡ଼ିଶୀ ସଂସ୍କୃତିର ପ୍ରସାର ଦିଗରେ ଏହି କର୍ମଶାଳା ଏକ ମାଇଲଖୁଣ୍ଟ ସଦୃଶ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।











