Home / ମୁଖ୍ୟ ଖବର / ପୁରୀରେ ବୋମା ମାଡ଼ ଘଟଣାରେ ଆଉ ୨ ଗିରଫ, ଦାଦାବଟି ଆଦାୟ ପାଇଁ ଆତଙ୍କ ସୃଷ୍ଟି ଅଭିଯୋଗ

ପୁରୀରେ ବୋମା ମାଡ଼ ଘଟଣାରେ ଆଉ ୨ ଗିରଫ, ଦାଦାବଟି ଆଦାୟ ପାଇଁ ଆତଙ୍କ ସୃଷ୍ଟି ଅଭିଯୋଗ

whatsapp image 2026 02 27 at 10.38.42 pm

ପୁରୀ: ୨୭/୨/୨୦୨୬ – ବାଲିଆପଣ୍ଡା ଥାନା ଅଧୀନ ବୋମା ମାଡ଼ ଘଟଣାରେ ପୋଲିସ ଆଉ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଛି। ବାଲିଆପଣ୍ଡା ଥାନା କେସ୍ ନଂ–୩୫, ତା. ୧୧.୦୨.୨୦୨୬ ଅନୁଯାୟୀ ଏହି ମାମଲାର ତଦନ୍ତ ଚାଲିଛି।

ଅଭିଯୋଗ ଅନୁସାରେ, ତା. ୧୦.୦୨.୨୦୨୬ ରାତି ପ୍ରାୟ ୧୦ଟା ସମୟରେ ବିର୍ଲା ଛକ୍‌, ଗୌଡ଼ବାଡ଼ ସାହିର ବସିନ୍ଦା ସିବୁନା ପଲେଇ ତାଙ୍କ “ସ୍ୱପ୍ନା ଇନ୍” ହୋଟେଲ୍ ସାମ୍ନାରେ ଦଣ୍ଡାୟମାନ ଥିବାବେଳେ ଲୋକନାଥ ରୋଡ୍ ପକ୍ଷରୁ ଏକ ସ୍କୁଟିରେ ଆସିଥିବା ଦୁଇ ଅଜଣା ବ୍ୟକ୍ତି ତାଙ୍କ ଓ ତାଙ୍କ ସଙ୍ଗୀମାନଙ୍କ ଉପରେ ୩ଟି ବୋମା ନିକ୍ଷେପ କରିଥିଲେ। ହତ୍ୟା ଉଦ୍ଦେଶ୍ୟରେ ଏହି ଆକ୍ରମଣ ହୋଇଥିବା ଅଭିଯୋଗ ରହିଛି।

ତଦନ୍ତ ସମୟରେ ପୂର୍ବରୁ ୪ ଜଣ ଅଭିଯୁକ୍ତ — ବିଶାଲ ପାତ୍ର ଅର୍ଥାତ୍ ଓମ ପାତ୍ର ଅର୍ଥାତ୍ ବିଷ୍ଣୁ ପାତ୍ର, ପିଣ୍ଟୁ ଅର୍ଥାତ୍ ସମୀର ସାମନ୍ତରାୟ, ଟେମା ଅର୍ଥାତ୍ ସଞ୍ଜୟ ସର୍କାର ଓ ପ୍ରିୟବ୍ରତ ଜେନା — କୁ ପୋଲିସ ଗିରଫ କରିଥିଲା। ଆଜି ତା. ୨୭.୦୨.୨୦୨୬ ରେ ଆଉ ୨ ଜଣ ଅଭିଯୁକ୍ତ ପାପୁ ଅର୍ଥାତ୍ ଧୀରେନ୍ଦ୍ରନାଥ ବାରାଲ (୪୯) ଓ ସଙ୍କର ଅର୍ଥାତ୍ ସଙ୍କର୍ଷଣ ସାହୁ (୩୯) କୁ ଗିରଫ କରାଯାଇ କୋର୍ଟକୁ ଚାଲାଣ କରାଯାଇଛି।

ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ଦାଦାବଟି ଆଦାୟ ପାଇଁ ସ୍ଥାନୀୟ ଲୋକଙ୍କୁ ଭୟଭୀତ କରିବା ଉଦ୍ଦେଶ୍ୟରେ ଏହି ଷଡଯନ୍ତ୍ର ରଚିଥିଲେ ଓ ବୋମା ମାଡ଼ କରିଥିଲେ। ସିବୁନା ପଲେଇ ତାଙ୍କ ଦାବି ପୂରଣ ନ କରିବାରୁ ତାଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଆକ୍ରମଣ କରାଯାଇଥିବା ପୋଲିସ କହିଛି।

ଘଟଣାରେ ଜଡିତ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସର ତଲାଶି ଜାରି ରହିଛି। ମାମଲାର ତଦନ୍ତ ବାଲିଆପଣ୍ଡା ଥାନା ଆଇଆଇସି ଇନ୍ସପେକ୍ଟର ସୁନୀଲ ଯାଦବଙ୍କ ନେତୃତ୍ୱରେ ଚାଲିଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply