ପୁରୀ, ମାର୍ଚ୍ଚ ୬: ପୁରୀର ଗଙ୍ଗାଧର ମହାପାତ୍ର ଆଇନ ମହାବିଦ୍ୟାଳୟରେ ଓଡ଼ିଆ ଉଇକିପିଡିଆ ସମ୍ପର୍କିତ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାଟି ଓଡ଼ିଆ ଉଇକିମିଡିଆନ୍ସ ଇଉଜର୍ ଗ୍ରୁପ୍ର ପକ୍ଷରୁ ଆୟୋଜିତ ହୋଇଥିଲା। କଲେଜର ଅଧ୍ୟାପକ ଡ଼ଃ ଲୋକନାଥ ସୁଆରଙ୍କ ଅଧ୍ୟକ୍ଷତାରେ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଅନୁଭବୀ ଉଇକିପିଡିଆନ୍ ଅଲିଭା ସାହୁ ଏହି କାର୍ଯ୍ୟକ୍ରମର ସମ୍ପାଦନା କରିଥିବା ସହିତ ଅଂଶଗ୍ରହୀମାନଙ୍କୁ ଉଇକିପିଡିଆ ସମୁଦାୟ ଓ ତାହାର କାର୍ଯ୍ୟକଳାପ ସମ୍ପର୍କରେ ପରିଚିତ କରାଇଥିଲେ। ଅନ୍ୟ ଜଣେ ପ୍ରମୁଖ ଉଇକିପିଡିଆନ୍ ସଂଗ୍ରାମ କେଶରୀ ସେନାପତି ପ୍ରଶିକ୍ଷକ ଭାବେ ଯୋଗଦେଇ ଉଇକିପିଡିଆ ଓ ଅନ୍ୟାନ୍ୟ ଉଇକିମିଡିଆ ପ୍ରକଳ୍ପରେ କିପରି ଅବଦାନ ରଖିବାଯାଏ ସେନେଇ ପ୍ରାୟୋଗିକ ପ୍ରଶିକ୍ଷଣ ଦେଇଥିଲେ। ସେ ଉଇକିପିଡିଆରେ ଲେଖା ସମ୍ପାଦନା, ନୂତନ ବିଷୟବସ୍ତୁ ସୃଷ୍ଟି କରିବା ଏବଂ ବିଶ୍ୱବ୍ୟାପୀ ଉଇକିମିଡିଆ ସମୁଦାୟରେ ଅଂଶଗ୍ରହଣ କରିବା ବିଷୟରେ ବିସ୍ତାରରେ ବୁଝାଇଥିଲେ।
ସମାଜସେବୀ ଅଭିଷେକ ଶ୍ରୀଚନ୍ଦନ ଓ କଲେଜ ଛାତ୍ର ତନ୍ମୟ କୁମାରଙ୍କ ସହଯୋଗରେ ଏହି କର୍ମଶାଳାଟି ଆୟୋଜିତ ହୋଇଥିଲା। କଲେଜର ୪୦ରୁ ଅଧିକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମଟି ଉଇକିପିଡିଆର ୨୫ତମ ବାର୍ଷିକୀ ଉତ୍ସବ ଅବସରରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମର ଏକ ଅଂଶ ଥିଲା। ଏହି ଅବସରରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଓଡ଼ିଆ ଭାଷାର ଜ୍ଞାନ ସମ୍ପଦକୁ ସମୃଦ୍ଧ କରିବା ପାଇଁ ଲୋକମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ବିଭିନ୍ନ ମିଟଅପ୍ ଓ କର୍ମଶାଳା ଆୟୋଜନ କରାଯାଉଛି। ଏହାପୂର୍ବରୁ ଭୁବନେଶ୍ୱର ଓ ଭଦ୍ରକ ଜିଲ୍ଲା ମହୋତ୍ସବରେ ମଧ୍ୟ ଉଇକିପିଡିଆ ସମ୍ପର୍କିତ ପ୍ରଦର୍ଶନୀ ଓ ବାର୍ଷିକୀ ଉତ୍ସବ ଆୟୋଜିତ ହୋଇଥିଲା, ଯାହା ମାଧ୍ୟମରେ ଉଇକିପିଡିଆ ଓ ଏହାର ସମୁଦାୟ ଭିତ୍ତିକ ଉଦ୍ୟମ ବିଷୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଛି।











