Home / ମୁଖ୍ୟ ଖବର / ଆନ୍ତର୍ଜାତୀୟ ନାରୀ ଦିବସରେ ‘ସମ୍ପର୍କ’ ପକ୍ଷରୁ ଆୟୁର୍ବେଦ ସ୍ୱାସ୍ଥ୍ୟ ପରାମର୍ଶ ଓ ନିଶୁଳ୍କ ଚିକିତ୍ସା ଶିବିର

ଆନ୍ତର୍ଜାତୀୟ ନାରୀ ଦିବସରେ ‘ସମ୍ପର୍କ’ ପକ୍ଷରୁ ଆୟୁର୍ବେଦ ସ୍ୱାସ୍ଥ୍ୟ ପରାମର୍ଶ ଓ ନିଶୁଳ୍କ ଚିକିତ୍ସା ଶିବିର

whatsapp image 2026 03 07 at 9.08.33 pm

ପୁରୀ:୭/୩/୨୦୨୬ ଆନ୍ତର୍ଜାତୀୟ ନାରୀ ଦିବସ ଅବସରରେ ନାରୀମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି କରିବା ସହ ପାରମ୍ପରିକ ଆୟୁର୍ବେଦ ଚିକିତ୍ସା ପ୍ରଣାଳୀକୁ ସାଧାରଣ ଲୋକଙ୍କ ନିକଟକୁ ପହଞ୍ଚାଇବା ଉଦ୍ଦେଶ୍ୟରେ ସ୍ୱେଚ୍ଛାସେବୀ ସଂଗଠନ ‘ସମ୍ପର୍କ’ ପକ୍ଷରୁ ଏକ ଆୟୁର୍ବେଦ ସ୍ୱାସ୍ଥ୍ୟ ପରାମର୍ଶ ଓ ନିଶୁଳ୍କ ଚିକିତ୍ସା ଶିବିର ଆୟୋଜିତ ହୋଇଯାଇଛି। ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ପ୍ରସୂତି ତନ୍ତ୍ର ଓ ସ୍ତ୍ରୀରୋଗ ବିଭାଗର ସହଯୋଗରେ ଆୟୋଜିତ ଏହି ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଥିଲା।

ଶିବିରରେ ନାରୀମାନଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଯଥା ସ୍ତ୍ରୀରୋଗ, ସନ୍ଧି ଓ ସ୍ନାୟୁ ବେଦନା, ଚର୍ମ ସମସ୍ୟା, ପାଚନ ତନ୍ତ୍ରର ଅସୁବିଧା, ଉଚ୍ଚ ରକ୍ତଚାପ ଓ ମଧୁମେହ ଆଦି ପାଇଁ ଆୟୁର୍ବେଦିକ ପରାମର୍ଶ ଓ ଔଷଧ ପ୍ରଦାନ କରାଯାଇଥିଲା। ଅନୁଭବୀ ଆୟୁର୍ବେଦ ଚିକିତ୍ସକ ପ୍ରଫେସର ସୁଦେଶ୍ନା ମେହେର, ଡ଼ଃ ମନଶିୟୁଶ୍ରୀ ସାହୁ, ଡ଼ଃ ଜସ୍ମିତା ପ୍ରିୟଦର୍ଶିନୀଡ଼ଃ ଶିବାନୀ ଦାସ ଉପସ୍ଥିତ ରହି ରୋଗୀମାନଙ୍କର ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ଏବଂ ଆବଶ୍ୟକ ଚିକିତ୍ସା ପରାମର୍ଶ ଦେଇଥିଲେ। ଏହି ଶିବିର ମାଧ୍ୟମରେ ସ୍ଥାନୀୟ ଅଞ୍ଚଳର ୧୫୦ରୁ ଅଧିକ ନାରୀ ଲାଭାନ୍ୱିତ ହୋଇଥିବା ସୂଚନା ମିଳିଛି।

ଏହି ଅବସରରେ ‘ସମ୍ପର୍କ’ ସଂଗଠନର ମହାସଚିବ ସୌମେନ୍ଦ୍ର ଦାସ କହିଥିଲେ ଯେ ସମାଜରେ ସ୍ୱାସ୍ଥ୍ୟ ସଚେତନତା ବଢ଼ାଇବା ଓ ପାରମ୍ପରିକ ଚିକିତ୍ସା ପ୍ରଣାଳୀ ପ୍ରତି ଲୋକମାନଙ୍କର ଆସ୍ଥା ଦୃଢ଼ କରିବା ପାଇଁ ‘ସମ୍ପର୍କ’ ପକ୍ଷରୁ ସମୟୋପଯୋଗୀ ଭାବେ ଏପରି ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଉଛି। ସାଧାରଣ ଲୋକଙ୍କୁ ସହଜ ଓ ସୁଲଭ ଚିକିତ୍ସା ସେବା ପହଞ୍ଚାଇବା ହେଉଛି ସଂଗଠନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ପ୍ରାଚାର୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଆୟୁର୍ବେଦ ଭାରତର ପ୍ରାଚୀନ ଓ ପ୍ରମାଣିତ ଚିକିତ୍ସା ପ୍ରଣାଳୀ, ଯାହା ଆଜି ମଧ୍ୟ ଲୋକମାନଙ୍କ ପାଇଁ ଅତ୍ୟନ୍ତ ପ୍ରାସଙ୍ଗିକ। ଏପରି ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ଲୋକମାନେ ଆୟୁର୍ବେଦିକ ଚିକିତ୍ସା ସେବାର ଲାଭ ଉଠାଇ ପାରିବେ ଏବଂ ସ୍ୱାସ୍ଥ୍ୟ ସଚେତନତା ମଧ୍ୟ ବୃଦ୍ଧି ପାଇବ।

ଶିବିରର ଉଦ୍ଘାଟନ ସିଡିପିଓ ବିନୋଦିନୀ ତ୍ରିପାଠୀ କରିଥିଲେ। ଏହି ଅବସରରେ ରୋଜାଲିନ ମିଶ୍ର, ରଞ୍ଜିତା ପାଢ଼ୀ, ସରକାରୀ ଅଧିବକ୍ତା ସ୍ୱଦେଶ୍ନା ପଣ୍ଡାଡ଼ଃ ସୋନାଲିକା ଜେନା ସହ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ଶିବିରର ସଫଳ ଆୟୋଜନରେ ‘ସମ୍ପର୍କ’ ସଂଗଠନର ଶୁଭ ପ୍ରସାଦ ଶର୍ମା, କୁନା ବାରିକ, ଡ଼ଃ ସ୍ୱେତାଞ୍ଜଳି ବେହେରା, ଡ଼ଃ ସ୍ୱେତପ୍ରଭା ପଣ୍ଡା, ଡ଼ଃ ଦୀପ୍ତିମୟୀ ନାୟକ, ଡ଼ଃ ଶ୍ରୁତି ସୁଧାକର ବାଗୁଲ, ଡ଼ଃ ଯୁଗ୍ମଜ୍ୟୋତି ରାୟ, ଡ଼ଃ ସୋନାଲି ପ୍ରଧାନ, ଡ଼ଃ ଶୁଭସ୍ମିତା ତ୍ରିପାଠୀ, ଡ଼ଃ ରାକେଶ ମିଶ୍ରନନ୍ଦିଘୋଷ ମହାପାତ୍ର ଆଦି ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply