Home / ମୁଖ୍ୟ ଖବର / କୁଶୁପୁର ଯୁବପରିଷଦର ପୂର୍ବତନ ସଭାପତି ସ୍ୱର୍ଗତ କୈଳାସ ଚନ୍ଦ୍ର ପଣ୍ଡାଙ୍କ ବିୟୋଗରେ ଗୋପ ବ୍ଲକରେ ଶୋକର ଛାୟା

କୁଶୁପୁର ଯୁବପରିଷଦର ପୂର୍ବତନ ସଭାପତି ସ୍ୱର୍ଗତ କୈଳାସ ଚନ୍ଦ୍ର ପଣ୍ଡାଙ୍କ ବିୟୋଗରେ ଗୋପ ବ୍ଲକରେ ଶୋକର ଛାୟା

whatsapp image 2026 03 10 at 7.44.55 pm

ପୁରୀ, ୧୦ ମାର୍ଚ୍ଚ ୨୦୨୬: ଗୋପ ବ୍ଲକର କୁଶୁପୁର ଅଞ୍ଚଳର ଅବସରପ୍ରାପ୍ତ ଶିକ୍ଷକ ଏବଂ କୁଶୁପୁର ଯୁବପରିଷଦର ପୂର୍ବତନ ସଭାପତି ସ୍ୱର୍ଗତ କୈଳାସ ଚନ୍ଦ୍ର ପଣ୍ଡାଙ୍କ ସଡ଼କ ଦୁର୍ଘଟଣାଜନିତ ଅକାଳ ବିୟୋଗରେ ସମଗ୍ର ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳି ଯାଇଛି। ସରଳ, ନିଷ୍କପଟ ଓ ଦରଦୀ ହୃଦୟର ଏହି ମହାନୁଭବଙ୍କ ପରଲୋକଗମନ ଗୋପ ବ୍ଲକର ଅନେକ ଲୋକଙ୍କୁ ଗଭୀର ବେଦନା ଦେଇଛି।
ତାଙ୍କ ବିୟୋଗରେ ବିଜେପି ନେତାମାନେ ଓ ସାମ୍ବାଦିକମାନେ ଗଭୀର ଶୋକ ପ୍ରକାଶ କରିଥିବା ସହିତ ତାଙ୍କ ପବିତ୍ର ଆତ୍ମାର ସଦ୍ଗତି ପାଇଁ ପ୍ରାର୍ଥନା କରିଛନ୍ତି।

ସୂଚନା ଅନୁଯାୟୀ, ସ୍ୱର୍ଗତ ପଣ୍ଡାଙ୍କ ବିୟୋଗ ସମ୍ବାଦ ପ୍ରକାଶ ପାଇବା ପରେ କୁଶୁପୁର ଯୁବପରିଷଦର ସମସ୍ତ ସଦସ୍ୟ ଯୁବପରିଷଦ କାର୍ଯ୍ୟାଳୟରେ ଏକତ୍ରିତ ହୋଇ ତାଙ୍କ ପବିତ୍ର ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କରିଥିଲେ ଏବଂ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ମରଶରୀରକୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଂପାଦକ ପ୍ରଶାନ୍ତ ସ୍ୱାଇଁ (ଲୁଲୁ) ଏହି ସନ୍ଦର୍ଭରେ କହିଛନ୍ତି, “ବହୁତ୍ ଚେଷ୍ଟା ସତ୍ତ୍ୱେ ମଧ୍ୟ ଆମେ ଶ୍ରୀ କୈଳାସ ଚନ୍ଦ୍ର ପଣ୍ଡାଙ୍କ ଜୀବନ ବଞ୍ଚାଇ ପାରିଲୁ ନାହିଁ। ତାଙ୍କ ପରଲୋକଗମନର ସମ୍ବାଦ ଆମ ସମସ୍ତଙ୍କୁ ଗଭୀର ଦୁଃଖ ଓ ବେଦନା ଦେଇଛି। ସେ ଜଣେ ସରଳ, ସମ୍ମାନୀୟ ଓ ସଦା ଅନ୍ୟମାନଙ୍କ ପାଇଁ ଚିନ୍ତା କରୁଥିବା ମଣିଷ ଥିଲେ। ତାଙ୍କର ଅଭାବ ସଦା ସର୍ବଦା ଅନୁଭବ ହେବ।”

ଏହା ସହିତ ଗୋପର ପୂର୍ବତନ ସରପଞ୍ଚ ଓ ସାଂସଦ ପ୍ରତିନିଧି ସୁଶାନ୍ତ ସ୍ବାଇଁ ମଧ୍ୟ ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ସ୍ୱର୍ଗତ ପଣ୍ଡାଙ୍କ ପବିତ୍ର ଆତ୍ମାର ସଦ୍ଗତି ପାଇଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

ସୂତ୍ର ଅନୁଯାୟୀ, ସ୍ୱର୍ଗତ ପଣ୍ଡାଙ୍କ ପୁତ୍ର ତଥା ଦୈନିକ ଖବରକାଗଜ ଆଦ୍ୟାଶାର ସାମ୍ବାଦିକ ଜ୍ୟୋତି ରଞ୍ଜନ ପଣ୍ଡା ତାଙ୍କୁ ମୁଖାଗ୍ନି ଦେଇଥିଲେ। ସାମ୍ବାଦିକ ସଚ୍ଚିଦାନନ୍ଦ ଗୋଚ୍ଛାୟତ ସମେତ ଗୋପ ବ୍ଲକର ଅନେକ ବାସିନ୍ଦା ଏହି ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

କୁଶୁପୁର ଯୁବପରିଷଦର ସଭାପତି ଭାବେ ତାଙ୍କ ନେତୃତ୍ୱରେ ଅନେକ ଯୁବକ ଅଞ୍ଚଳର ସାମାଜିକ କାର୍ଯ୍ୟ ପାଇଁ ପ୍ରେରିତ ହୋଇଥିଲେ। ତାଙ୍କ ବିୟୋଗରେ ଏହି ଅଞ୍ଚଳରେ ଦୀର୍ଘ ସମୟ ଧରି ଏକ ଶୂନ୍ୟତା ଅନୁଭବ ହେବ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି।

ସମଗ୍ର ସମାଜ ପକ୍ଷରୁ ପ୍ରଶାନ୍ତ ସ୍ୱାଇଁ କହିଛନ୍ତି, “ଭଗବାନ୍ ତାଙ୍କ ପବିତ୍ର ଆତ୍ମାକୁ ଶାନ୍ତି ଦିଅନ୍ତୁ ଏବଂ ଏହି ଅସହ୍ୟ ଦୁଃଖ ସହିବା ପାଇଁ ପରିବାରବର୍ଗଙ୍କୁ ଶକ୍ତି ପ୍ରଦାନ କରନ୍ତୁ।”

SPREAD YOUR LOVE WITH YOUR FRIENDS AND FAMILY

Leave a Reply