Home / ମୁଖ୍ୟ ଖବର / ଆନ୍ତର୍ଜାତୀୟ ସଂଗୋଷ୍ଠୀ ଆଜି ସଫଳତାର ସହ ଉଦଯାପିତ

ଆନ୍ତର୍ଜାତୀୟ ସଂଗୋଷ୍ଠୀ ଆଜି ସଫଳତାର ସହ ଉଦଯାପିତ

whatsapp image 2026 03 12 at 8.55.22 pm

ପୁରୀ::୧୨/୩/୨୦୨୬ – କେନ୍ଦ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ, ଶ୍ରୀ ସଦାଶିବ ପରିସରସ୍ଥ ହିନ୍ଦୁ ଅଧ୍ୟୟନ କେନ୍ଦ୍ର ଆନୁକୂଲ୍ୟରେ ଆୟୋଜିତ ଦୁଇ ଦିନିଆ ଆନ୍ତର୍ଜାତୀୟ ସଂଗୋଷ୍ଠୀ ଆଜି ସଫଳତାର ସହ ଉଦଯାପିତ ହୋଇଯାଇଛି। “ବିଶ୍ଵବନ୍ଧୁତ୍ୱ ସଂସ୍ଥାପନେ ହିନ୍ଦୁଧର୍ମସ୍ୟ ପ୍ରାସଙ୍ଗିକତା” ଶୀର୍ଷକ ଏହି ସଂଗୋଷ୍ଠୀରେ ଦେଶ ବିଦେଶର ବିଶିଷ୍ଟ ବିଦ୍ୱାନମାନେ ଉଭୟ ଅଫ ଲାଇନ ଓ ଅନ ଲାଇନ ମାଧ୍ୟମରେ ଯୋଗଦେଇ ମାନବିକତା ଓ ବିଶ୍ଵ ଶାନ୍ତି କ୍ଷେତ୍ରରେ ହିନ୍ଦୁଧର୍ମର ମୂଲ୍ୟବୋଧ ଉପରେ ଗଭୀର ଆଲୋକପାତ କରିଥିଲେ। ପରିସରର ଜୟଦେବ ସଭାଗୃହରେ ଅନୁଷ୍ଠିତ ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପରମହଂସ ଶ୍ରୀମଦ୍ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ମହାରାଜ ଯୋଗଦେଇ କହିଥିଲେ ଯେ, “ହିନ୍ଦୁଧର୍ମ କେବଳ ଏକ ଉପାସନା ପଦ୍ଧତି ନୁହେଁ, ବରଂ ଏହା ଏକ ପରିପୂର୍ଣ୍ଣ ଜୀବନ ଦର୍ଶନ। ଆଧ୍ୟାତ୍ମିକତା ମାଧ୍ୟମରେ ହିଁ ବିଶ୍ଵ ଶାନ୍ତି ସମ୍ଭବ ଏବଂ ଶାସ୍ତ୍ରୀୟ ମୂଲ୍ୟବୋଧକୁ ଆପଣେଇଲେ ବିଶ୍ଵରୁ ହିଂସା ଓ ଦ୍ୱେଷ ଦୂର ହୋଇପାରିବ।” ଏହି ଅବସରରେ ସମ୍ମାନିତ ଅତିଥି ଭାବେ ପ୍ରଫେସର ଡମ୍ବରୁଧର ପତି, ଆଲୋକ ବାବା ଏବଂ ବିଶିଷ୍ଟ ସମାଜସେବୀ ଡକ୍ଟର ପ୍ରମୋଦ କୁମାର ଆଚାର୍ଯ୍ୟ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ। ସେହିପରି ସାରସ୍ୱତ ଅତିଥି ଭାବେ ପ୍ରଫେସର ଜ୍ଞାନୀନ୍ଦ୍ର ମିଶ୍ର, ଏବଂ ପ୍ରଫେସର ଖଗେଶ୍ୱର ମିଶ୍ର ଉଦବୋଧନ ଦେଇଥିଲେ। ଦୁଇ ଦିନ ଧରି ଚାଲିଥିବା ଏହି ଆନ୍ତର୍ଜାତୀୟ ସଂଗୋଷ୍ଠୀର ବିଭିନ୍ନ ବୈଷୟିକ ଅଧିବେଶନରେ ଦେଶ ଓ ବିଦେଶରୁ ଯୋଗ ଦେଇଥିବା ପ୍ରତିନିଧିଙ୍କ ଦ୍ୱାରା ଶତାଧିକ ଗବେଷଣାତ୍ମକ ପ୍ରବନ୍ଧ ପାଠ କରାଯାଇଥିଲା, ଯାହା ଆଧୁନିକ ସମାଜରେ ହିନ୍ଦୁଧର୍ମର ଉପଯୋଗିତାକୁ ପ୍ରମାଣିତ କରିଥିଲା। ପରିସରର ନିର୍ଦ୍ଦେଶକ ତଥା ସଂଗୋଷ୍ଠୀର ଅଧ୍ୟକ୍ଷ ପ୍ରଫେସର ପ୍ରଭାତ କୁମାର ମହାପାତ୍ର ନିଜ ଅଭିଭାଷଣରେ ‘ବସୁଧୈବ କୁଟୁମ୍ବକମ୍’ର ଚିନ୍ତାଧାରା ଆଜିର ଯୁଗରେ ଅଧିକ ପ୍ରାସଙ୍ଗିକ ବୋଲି ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଡ. ଜିତେନ୍ଦ୍ର ରାୟଗୁରୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ଡ. ଅମିତ କୁମାର ଉପାଧ୍ୟାୟ ମାନପତ୍ର ପାଠ କରିଥିଲେ। ସିଦ୍ଧାର୍ଥ ଶଙ୍କର ଦାଶ ସଂଗୋଷ୍ଠୀର ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ। ସମଗ୍ର କାର୍ଯ୍ୟକ୍ରମର ଆବାହକ ଥିଲେ ହିନ୍ଦୁ ଅଧ୍ୟୟନ କେନ୍ଦ୍ରର ଅଧ୍ୟାପକ ଡକ୍ଟର ସନ୍ଦୀପ ଚାଟର୍ଜୀ, କାର୍ଯ୍ୟକ୍ରମକୁ ଡ. ସୁଶାନ୍ତ କୁମାର ରାୟ ସଂଯୋଜନା କରିଥିବା ବେଳେ ଡ. ନନ୍ଦିଘୋଷ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ସୂଚନାଯୋଗ୍ୟ ଯେ,ଆଭାସୀ ମାଧ୍ୟମରେ ଏହି ଆଲୋଚନାଚକ୍ରରେ ଆମେରିକାର ଶିକ୍ଷାବିତ୍ ଡ. ଗ୍ୟାରୀ ଏଲ. କିଫନର୍‌, ଫିଜି ବିଶ୍ଵବିଦ୍ୟାଳୟର ସହକାରୀ ପ୍ରାଧ୍ୟାପିକା ପାୟଲ ଶର୍ମା, ଶୋଭନା ଲକ୍ଷ୍ମୀ ଦେବୀ, ଅଟେଲିନି ଭେସିକୁଲା ବାଇ ଏବଂ ପ୍ରବୀଣ ଲତା ପ୍ରମୁଖ ସେମାନଙ୍କ ଗବେଷଣାତ୍ମକ ପ୍ରବନ୍ଧ ଉପସ୍ଥାପନ କରିଥିଲେ। ଇଣ୍ଡୋନେସିଆର ଦ୍ୱୀପାନ୍ତର ସଂସ୍କୃତ ପ୍ରତିଷ୍ଠାନର ସଂଯୋଜକ ଆଇ ମାଡେ ସୁୟାସା ଏବଂ ଆଚାର୍ଯ୍ୟ ବିଶାଳ ପ୍ରସାଦ ଭଟ୍ଟ ହିନ୍ଦୁ ସଂସ୍କୃତି କିଭଳି ଭୌଗୋଳିକ ସୀମା ଅତିକ୍ରମ କରି ବିଶ୍ଵକୁ ଏକ ପରିବାର ଭାବେ ଗଢ଼ିବାରେ ସହାୟକ ହୋଇଛି, ସେ ସମ୍ପର୍କରେ ମତ ରଖିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply