କାକଟପୁର -28/3 କାକଟପୁର ବ୍ଳକ ଅନ୍ତର୍ଗତ ବାଲିଦୋକାନ ନିକଟସ୍ଥ ଜମରା ଗ୍ରାମରେ ଅଷ୍ଟମ ପ୍ରହର ନାମଯଜ୍ଞ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଯାହା ଫଳରେ ପବିତ୍ର ରାମନବମୀ ତିଥିରେ ହରିନାମରେ ଜମରା ଗ୍ରାମ କମ୍ପିଥିଲା। ଜମରା ଗ୍ରାମ କମିଟି, ବନ ସୁରକ୍ଷା ସମିତି, ଦୂଲ୍ଲାଦେଇ ୟୁଥ୍ କ୍ଲବ୍ ଓ ମହିଳା ଗ୍ରୁପ ସହଯୋଗରେ ଗ୍ରାମଦେବୀ ମା ଦୂଲ୍ଲାଦେଇଙ୍କ ପୀଠରେ ତିନି ଦିନ ଧରି ଏହି ମହୋତ୍ସବ ପାଳନ କରାଯାଇଥିଲା। ଅଷ୍ଟମୀ ଦିନ

ଶୁଭ ଅଧିବାସ ଅବସରରେ ଦକ୍ଷିଣେଶ୍ୱର ମହାଦେବଙ୍କ ପୁଷ୍କରିଣୀରୁ ପୂଜାର୍ଚ୍ଚନା ଓ ହୋମକର୍ମ ସହ ଶତାଧିକ ମହିଳା ଓ ପୁରୁଷ ମାନେ ସଂକୀର୍ତ୍ତନ ମଣ୍ଡଳୀ ସହ ଶୋଭାଯାତ୍ରାରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଅଧିବାସ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଶ୍ରୀରାମ ନବମୀ ଦିନ ସକାଳୁ ଅଷ୍ଟମ ପ୍ରହର ହରିନାମ ରସାମ୍ବୃତ ଦିନ ଓ ରାତି ତମାମ ଚାଲିଥିଲା। ୧୦ରୁ ଅଧିକ ସଙ୍କୀର୍ତ୍ତନ ମଣ୍ଡଳୀ ଯୋଗଦେଇ ହରିନାମ ରସାମ୍ବୃତ ପାନ କରିଥିଲେ। ଯାହା ଫଳରେ ରାମନବମୀରେ ହରିନାମରେ କମ୍ପିଥିଲା ଜମରା ଗ୍ରାମ। ଗ୍ରାମର ୫ ଶହରୁ ଉର୍ଦ୍ଧ୍ବ ଗ୍ରାମବାସୀଙ୍କ ସହ ନିକଟ ଅଞ୍ଚଳର ୫ଖଣ୍ଡ ଗ୍ରାମର ଅତିଥି ମାନେ ଯୋଗ ଦେଇଥିଲେ। ଦଶମୀ ତିଥିରେ ସଙ୍କୀର୍ତ୍ତନ ମଣ୍ଡଳୀ ଓ ଯୁବ ପୀଢ଼ି ମାନଙ୍କ ଦ୍ଵାରା ନଗର ସଙ୍କୀର୍ତ୍ତନ ପରେ ପରେ ଦଧିଭାଣ୍ଡ ଭଙ୍ଗା ଓ ଯମୁନା ଗାଧୁଆ ନୀତି ସହ ମହୋତ୍ସବ ସମାପନ ହୋଇଥିଲା। ଏଥିରେ ସମସ୍ତ ଗ୍ରାମ ବାସୀ ମାନେ ସହଯୋଗ କରି ଖୁସି ମାନାଇଥିଲେ।











