ନୟାଗଡ଼,ତା-୩୦.୩.୨୬ରିଖ – ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ – ନୟାଗଡ଼ ବ୍ଲକ୍ ନାଗମୁଣ୍ଡଳୀ ମଧୁକେଶ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ବାର୍ଷିକ ଉତ୍ସବ (ମଧୁକେଶ ଉତ୍ସବ) ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପୃଷ୍ଟି ଙ୍କ ତତ୍ୱାବଧାନରେ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରୋଜିନା ଦାସ ଯୋଗଦେଇ ଜ୍ଞାନ, ବିଜ୍ଞାନ, କଳା ଏବଂ ସଂସ୍କୃତିର ପ୍ରତିଫଳନ ଏକ ସମାଜର ପରିପକ୍ୱତା, ଚିନ୍ତାଧାରା ଏବଂ ଜୀବନଶୈଳୀକୁ ଦର୍ଶାଏ ବୋଲି ବକ୍ତବ୍ୟ

ମାଧ୍ୟମରେ ପ୍ରକାଶ କରିଥିଲେ । ଏଥି ସହ ମୁଖ୍ୟ ବକ୍ତା ତଥା ଜିଲ୍ଲା ଲେଖକ ପରିଷଦର ସଭାପତି ଶ୍ରୀ ପ୍ରଧାନୀ ବୃନ୍ଦାବନ ମହାପାତ୍ର ଯୋଗଦେଇ ଆଚାର-ବ୍ୟବହାର, ଭାଷା-ସାହିତ୍ୟ, ଖାଦ୍ୟ-ପୋଷାକ, କଳା-ସ୍ଥାପତ୍ୟ, ଏବଂ ବିଜ୍ଞାନ-ବୈଷୟିକ ବିଦ୍ୟାର ଏକ ସାମୁହିକ ରୂପ ବୋଲି କହିଥିଲେ। ସମ୍ମାନିତ ଅତିଥି ରୂପେ ପୂର୍ବତନ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀ ନିମାଇଁ ଚରଣ ପ୍ରଧାନ ଯୋଗ ଦେଇ ମାନବ ସଭ୍ୟତାର ଉପାଦାନ ଗୁଡିକ ଇତିହାସ ଏବଂ ମୂଲ୍ୟବୋଧକୁ ସୁରକ୍ଷିତ ରଖିଥାନ୍ତି ବୋଲି କହିଥିବା ବେଳେ ଜ୍ଞାନ-ବିଜ୍ଞାନ ଓ ସଂସ୍କୃତିର ପ୍ରତିଫଳନର ମୁଖ୍ୟ ଦିଗ ସାମାଜିକ ଓ ସାଂସ୍କୃତିକ ଉପାଦାନ ବୋଲି କହିଥିଲେ। ପରମ୍ପରା, ଧର୍ମ-ବିଶ୍ୱାସ, ପର୍ବପର୍ବାଣି, ନୃତ୍ୟ ଓ ସଂଗୀତ ସଂସ୍କୃତିର ମୂଳଦୁଆ। କଳା ଓ ସ୍ଥାପତ୍ୟ , ମନ୍ଦିର ନିର୍ମାଣ, ଶିଳ୍ପକଳା, ଏବଂ ଭାସ୍କର୍ଯ୍ୟ ହେଉଛି କଳାର ପ୍ରତ୍ୟକ୍ଷ ପ୍ରତିଫଳନ। ଯାହା ଓଡ଼ିଶା ଭଳି ସ୍ଥାନରେ କଳା ସଂସ୍କୃତିକୁ ଉଜ୍ଜୀବିତ ରଖିଛି ।ବୈଷୟିକ ଓ ବୈଜ୍ଞାନିକ ବିକାଶ ,ଶିକ୍ଷା, ଜ୍ଞାନ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା ସମାଜର ଆଧୁନିକୀକରଣକୁ ଦର୍ଶାଏ। ସାହିତ୍ୟ ଓ ଚିନ୍ତାଧାରା: ଭାଷା ଓ ସାହିତ୍ୟ ମାଧ୍ୟମରେ ସମାଜର ଚିନ୍ତାଧାରା ପ୍ରତିଫଳିତ ହୁଏ। କୌଣସି ସମାଜରେ ଏହାର ସଭ୍ୟମାନଙ୍କ ଜରିଆରେ ତଥା ସାମୁହିକ ମୂଲ୍ୟବୋଧରେ ଥିବା ପରିପକ୍ଵତା ଓ ମାର୍ଜିତ ଚିନ୍ତାଧାରାର ପ୍ରତିଫଳନ ହେଉଛି ସଂସ୍କୃତି । ଆଚାର ଓ ବ୍ୟବହାର , ଖାଦ୍ୟ ଓ ପୋଷାକ , ଭାଷା ଓ ସାହିତ୍ୟ ଶିକ୍ଷା ଓ ଜ୍ଞାନ, ବିଜ୍ଞାନ , ଓ ବୈଷୟିକ ବିଦ୍ୟା , ଧର୍ମ ଓ ବିଶ୍ଵାସ , ପ୍ରଥା ଓ ପରମ୍ଫରା, ପର୍ବପର୍ବାଣି ଓ ରୀତିନୀତି , ନୃତ୍ୟ ଓ ସଂଗୀତ , ଏବଂ କଳା ଓ ସ୍ଥାପତ୍ୟ ହେଉଛି ସଂସ୍କୃତିର ଉପାଦାନ । ଯେଉଁ ଦେଶରେ ସଂସ୍କୃତି ସେତିକି ମହାନ ଏହି ପରିପ୍ରେକ୍ଷୀରେ ଭାରତୀୟ ସଂସ୍କୃତି ଅତ୍ୟନ୍ତ ଉଚ୍ଚକୋଟୀର । ଅନ୍ୟତମ ସଂମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ସଂସ୍କୃତ ଶିକ୍ଷକ ବିଜୟ କୁମାର ପଣ୍ଡା,ନାଗମୁଣ୍ଡଳୀ ଗ୍ରାମ୍ୟ କମିଟି ସଭାପତି ବେଣୁଧର ସାହୁ ଯୋଗ ଦେଇ ଥିବା ବେଳେ ଶିକ୍ଷକ ଜଗତ କୃଷ୍ଣ ସାହୁ, ଗଙ୍ଗାଧର ସେଠୀ, ରବୀନ୍ଦ୍ର କୁମାର ମହାନ୍ତି, ଯୋଗେନ୍ଦ୍ର ମୁଦୁଲି, ଗଣେଶ ଦୋରା, ସହକାରୀ ଶିକ୍ଷକ ନାରାୟଣ ଭୋଳ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମୁଖ୍ୟ ଅତିଥିଙ୍କ ଗହଣରେ ବିଦ୍ୟାଳୟ ପାଇଁ ସୁନାମ ଆଣିଥିବା ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ମୋ ସ୍କୁଲ ସଦସ୍ୟ, ବିଦ୍ୟାଳୟ ପରିଚାଳନା ସଦସ୍ୟ ତଥା ଅଭିଭାବକ ଉପସ୍ଥିତ ଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ବିଦ୍ୟାଳୟ ପକ୍ଷରୁ ପ୍ରଧାନ ଶିକ୍ଷକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।











