Home / ମୁଖ୍ୟ ଖବର / ନୟାଗଡ଼ରେ ରଜନୀଗନ୍ଧା ସାହିତ୍ୟ ପତ୍ରିକାର ସାରସ୍ବତ ସମାରୋହ ଅନୁଷ୍ଠିତ ।

ନୟାଗଡ଼ରେ ରଜନୀଗନ୍ଧା ସାହିତ୍ୟ ପତ୍ରିକାର ସାରସ୍ବତ ସମାରୋହ ଅନୁଷ୍ଠିତ ।

ନୟାଗଡ଼,ତା-୨୬.୪.୨୬ରିଖ – ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ- ନୟାଗଡ଼ର ମୁକୁଳିତ ରଜନୀଗନ୍ଧା ସାହିତ୍ୟ ପତ୍ରିକାର ବାର୍ଷିକ ସାରସ୍ବତ ସମାରୋହ-୨୦୨୬ ରବିବାର ନୟାଗଡ଼ ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସାହିତ୍ୟ ଏକାଡେମୀ ଓ ରଜନୀଗନ୍ଧା ସାହିତ୍ୟ ପତ୍ରିକା ପକ୍ଷରୁ ଆୟୋଜିତ ଉତ୍ସବରେ ନୟାଗଡ଼ ବିଧାୟକ ଡଃ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ , ମୁଖ୍ୟବକ୍ତା ଭାବେ ସାହିତ୍ୟିକ ସୂର୍ଯ୍ୟ ମିଶ୍ର ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସାହିତ୍ୟିକ ରକ୍ଷକ ନାୟକ, ସାହିତ୍ୟିକ କାଳିପଦ ପଣ୍ଡା, ବିଶିଷ୍ଟ ଗାଳ୍ପିକ ସୁନୀଲ୍ ମିଶ୍ର, ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପିକା ପ୍ରିୟମ୍ବଦା ଦାଶ

ଯୋଗଦେଇଥିଲେ। ପ୍ରଥମ ଅଧିବେଶନରେ ସାହିତ୍ୟିକ ନିର୍ମଳ ଚନ୍ଦ୍ର ଶୂରଦେଓ ସଭାପତିତ୍ବ କରିଥିଲେ। ବକ୍ତାମାନେ କହିଥିଲେ ସାହିତ୍ୟ ଇତିହାସକୁ ଭାଙ୍ଗେ ଓ ଗଢ଼େ । ସାହିତ୍ୟ ଭିତରେ ମିଛର ସ୍ଥାନ ନାହିଁ। ସାହିତ୍ୟିକ ଟିଏ ଯାହା ସତ ତାହା ହିଁ ଦର୍ଶାଇଥାଏ। ଏହି ଅବସରରେ ସାମଗ୍ରିକ ସାହିତ୍ୟ କୃତି ପାଇଁ ଡ. ବିଜୟ କୁମାର ଚୌଧୁରୀଙ୍କୁ ରଜନୀଗନ୍ଧା ସାହିତ୍ୟ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଅତିଥିମାନେ ରଜନୀଗନ୍ଧାର ବାର୍ଷିକ ସଂଖ୍ୟାକୁ ଉନ୍ମୋଚନ କରିଛନ୍ତି।
ସେହିପରି ସାରସ୍ବତ ସାଧନା କ୍ଷେତ୍ରରେ ବିଜୟ କୁମାର ମହାନ୍ତିଙ୍କୁ ରଜନୀଗନ୍ଧା ପ୍ରବନ୍ଧ ସମ୍ମାନ, ତପନ ମହାପାତ୍ରଙ୍କୁ ରଜନୀଗନ୍ଧା ଗଳ୍ପ ସମ୍ମାନ, ଭିକାରୀ ଧଳଙ୍କୁ ରଜନୀଗନ୍ଧା କବିତା ସମ୍ମାନ, କନକ ମଞ୍ଜରୀ ପଟ୍ଟନାୟକଙ୍କୁ ରଜନୀଗନ୍ଧା ଅନୁବାଦ ସମ୍ମାନ, ବିଶ୍ବନାଥ ମହାପାତ୍ରଙ୍କୁ ରଜନୀଗନ୍ଧା ଉପନ୍ୟାସ ସମ୍ମାନ, ନାଟ୍ୟକାର ଗଦାଧର ନନ୍ଦଙ୍କୁ ରଜନୀଗନ୍ଧା ନାଟକ ସମ୍ମାନ ପ୍ରଦାନ କରାଯାଇଛି। ସେହିପରି ଦ୍ଵିତୀୟ ଅଧିବେଶନରେ ଶତାଧିକ କବୟିତ୍ରୀ ଓ କବି ସ୍ବରଚିତ କବିତା ପାଠ କରିଥିଲେ। ନୟାଗଡ଼ ଜିଲ୍ଲା ଲେଖକ ପରିଷଦର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅଧ୍ୟାପିକା ନୀଳିମା ନନ୍ଦ, କବି ପ୍ରଭାତ ମିଶ୍ର, କବି ଶେଖ୍ ଅବଦୁଲ୍ ଖାଲିକ୍ ଓ ନିର୍ମଳ ଚନ୍ଦ୍ର ଶୂରଦେଓ ଅତିଥିଭାବେ ଯୋଗଦେଇଥିଲେ । ନୀଳିମା ନନ୍ଦ, ଗୋପୀନାଥ ସେଠୀ, କ୍ଷଣପ୍ରଭା କର ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply