ପୁରୀ:୩୦/୪/୨୦୨୬ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକରେ ସରକାରୀ ବିଭିନ୍ନ ଯୋଜନାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ହୋଇଥିବା ଅଭିଯୋଗ ଆସିଛି। ଏହାକୁ ନେଇ ଅଞ୍ଚଳରେ ଜନ ଅସନ୍ତୋଷ ଦେଖାଦେଇଥିବା ବେଳେ ଶୀଘ୍ର ତଦନ୍ତ କରି କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।
ଅଭିଯୋଗ ଅନୁସାରେ, ଅନ୍ତଃଦ୍ଵୟ ଗୃହ ଯୋଜନାରେ ପ୍ରାୟ ୩୭୬ଟି ଗୃହ ବଣ୍ଟନରେ ସରକାରୀ ନିୟମକୁ ଅମାନ୍ୟ କରାଯାଇଛି। ପଞ୍ଚାୟତ ଗ୍ରାମସଭାରେ ଅନୁମୋଦିତ ତାଲିକାକୁ ଅବହେଳା କରି ଯୋଗ୍ୟ ହିତାଧିକାରୀଙ୍କୁ ବଞ୍ଚିତ କରାଯାଇଥିବା ବେଳେ ସମ୍ପନ୍ନ ବ୍ୟକ୍ତିମାନଙ୍କୁ ତାଲିକାରେ ସ୍ଥାନ ଦିଆଯାଇଥିବା ଅଭିଯୋଗ ହୋଇଛି। କିଛି ଲୋକ ଲାଞ୍ଚ ଦେଇ ଘର ପାଇଥିବା ମଧ୍ୟ ଅଭିଯୋଗରେ ଉଲ୍ଲେଖ ଅଛି, ଯାହାରୁ ସରକାରୀ କର୍ମଚାରୀଙ୍କ ଭୂମିକା ଉପରେ ପ୍ରଶ୍ନ ଉଠିଛି।
ଏହାସହିତ, ବ୍ଲକର ୩୯ଟି ବାତ୍ୟା ଆଶ୍ରୟସ୍ଥଳୀର ମରାମତି ପାଇଁ ଅନୁମୋଦିତ ପ୍ରାୟ ୨.୨୭ କୋଟି ଟଙ୍କାର କାମକୁ ଦୁଇ ଭାଗରେ ବିଭକ୍ତ କରି ଅନିୟମିତ ଭାବରେ କାର୍ଯ୍ୟାଦେଶ ଦିଆଯାଇଥିବା ଓ ଏଥିରେ ଲକ୍ଷାଧିକ ଟଙ୍କା ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି।
ଅନ୍ୟପଟେ, ୭୦ଟି ଅଙ୍ଗନବାଡ଼ି କେନ୍ଦ୍ରରେ ଲଗାଯାଇଥିବା ଓଟର ପ୍ୟୁରିଫାୟର ମୂଲ୍ୟରେ ମଧ୍ୟ ବ୍ୟାପକ ଅନିୟମିତତା ଦେଖାଯାଇଛି। ଯେଉଁଠାରେ ଏକ ଯନ୍ତ୍ରର ମୂଲ୍ୟ ପ୍ରାୟ ୫,୫୦୦ ଟଙ୍କା ଥିବା ସତ୍ୱେ ତାହାକୁ ୧୭,୦୦୦ ଟଙ୍କା ଦେଖାଯାଇଥିବା ଅଭିଯୋଗ ହୋଇଛି। ଏହା ଫଳରେ କୁନି ପିଲାମାନେ ଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଥିବା କୁହାଯାଇଛି।
ଏହି ସମସ୍ତ ଅନିୟମିତତାରେ କୃଷ୍ଣପ୍ରସାଦ ବ୍ଲକ ବିଡିଓ ଶ୍ରୀ ଅମିୟ କୁମାର ପଣ୍ଡାଙ୍କ ଭୂମିକା ଉପରେ ଗୁରୁତର ଅଭିଯୋଗ ଆଣାଯାଇଛି। ତାଙ୍କ ସହିତ ଇଞ୍ଜିନିୟରିଂ ବିଭାଗର କିଛି ଅଧିକାରୀଙ୍କ ମିଳିଭଗତ ଥିବା କୁହାଯାଉଛି।
ଏହି ଘଟଣାର ଶୀଘ୍ର ତଦନ୍ତ କରି ସାତ ଦିନ ମଧ୍ୟରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି। ନଚେତ୍ ଆନ୍ଦୋଳନ କରିବା ସହ ଆଇନଗତ ପଦକ୍ଷେପ ନେବାକୁ ସଚେତନ କରାଯାଇଛି।
ଏହି ସମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଓ ବିଜୁ ଜନତା ଦଳର ରାଜ୍ୟ ଉପସଭାପତି ସଞ୍ଜୟ କୁମାର ଦାସବର୍ମାଙ୍କ ସହ ବହୁ ସ୍ଥାନୀୟ ପ୍ରତିନିଧି ଓ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ।











