Home / ମୁଖ୍ୟ ଖବର / ଅସ୍ତରଙ୍ଗରେ “ବ୍ୟକ୍ତିତ୍ୱ ବିକାଶ ଶିବିର–୨୦୨୬” ଆୟୋଜିତ ହେବ

ଅସ୍ତରଙ୍ଗରେ “ବ୍ୟକ୍ତିତ୍ୱ ବିକାଶ ଶିବିର–୨୦୨୬” ଆୟୋଜିତ ହେବ

ପୁରୀ, ୦୯/୦୫: ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ, ମହାମାନ୍ୟ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଦିବ୍ୟ ପ୍ରେରଣାରେ, ପୂଜ୍ୟ ମହନ୍ତ ଶ୍ରୀ ରାମକୃଷ୍ଣ ଦାସ ମହାରାଜ ଓ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଙ୍କ ସଂଯୋଜନା ରେଏବ, ପୁରୀ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ାଙ୍କ ମାର୍ଗଦର୍ଶନରେ ଶ୍ରୀ ଶ୍ରୀ ଚୈତନ୍ୟ ଦେବ ଭାଗବତ ପ୍ରଚାର ପ୍ରସାର ସମିତି , ବରପଦା , ଅସ୍ତରଙ୍ଗ ପକ୍ଷରୁ ଆସନ୍ତା ଜୁନ ୦୩ ରୁ ୦୭ ତାରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲାର ବରପଦା, ଅସ୍ତରଙ୍ଗ ଠାରେ ଶ୍ରେଣୀ ୬ଷ୍ଠ ରୁ ୧୧ଶ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ସଂସ୍କାରମୂଳକ “ବ୍ୟକ୍ତିତ୍ୱ ବିକାଶ ଶିବିର–୨୦୨୬” ଆୟୋଜିତ ହେବାକୁ ଯାଉଛି।

ଏହି ଶିବିରର ମୂଳ ଉଦ୍ଦେଶ୍ୟ ହେଉଛି ଯୁବପିଢ଼ୀଙ୍କ ମଧ୍ୟରେ ନୈତିକ ମୂଲ୍ୟବୋଧ, ଚରିତ୍ର ଗଠନ, ଶିଷ୍ଟାଚାର, ସେବାଭାବ, ଆତ୍ମବିଶ୍ୱାସ ଓ ଆଧ୍ୟାତ୍ମିକ ଚେତନାର ବିକାଶ କରିବା। ଏଥିରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ସରକାରୀ ଉଚ୍ଚ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ,ପବ୍ଲିକ ସ୍କୁଲ, ଅନାଥ ଆଶ୍ରମ ଗୁଡିକର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ।

ଏହି ଶିବିରର ଉଦ୍ଘାଟନୀ ଉତ୍ସବ ଜୁନ୍ ୩ ତାରିଖ ରେ ମୁଖ୍ୟ ଅତିଥି ଓ ଉଦ୍ଘାଟକ ଭାବେ ମହାମାନ୍ୟ ଗଜପତି ଶ୍ରୀ ଦିବ୍ୟସିଂହ ଦେବ ଯୋଗଦେବେ। ଜିଲ୍ଲାପାଳ ଙ୍କ ସମେତ ଅନେକ ସନ୍ଥ ମାନେ ଅତିଥି ଭାବେ ଉପସ୍ଥିତ ରହି ଯୁବପିଢ଼ୀଙ୍କୁ ପ୍ରେରଣାଦାୟକ ବାଣୀ ପ୍ରଦାନ କରିବେ।

ଏହି ଅବସରରେ ଶ୍ରୀ ରାଧାବଲ୍ଲଭ ମଠ, ସିଂହଦ୍ୱାର, ପୁରୀ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସାମ୍ବାଦିକ ସମ୍ମିଳନୀକୁ ପୂଜ୍ୟ ମହନ୍ତ ଶ୍ରୀ ରାମକୃଷ୍ଣ ଦାସ ଓ ବିଶିଷ୍ଟ ଆଧ୍ୟାତ୍ମିକ ବକ୍ତା ଓ ରାଷ୍ଟ୍ରୀୟ ଜଗନ୍ନାଥ ସଂସ୍କୃତି ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ଏବଂ ସମିତିର ସଭାପତି ବିନ୍ଦୁସାଗର ସ୍ୱାଇଁ ସମ୍ବୋଧିତ କରିଥିଲେ।

ସେମାନେ କହିଥିଲେ ଯେ, ବର୍ତ୍ତମାନ ସମାଜରେ ଯୁବପିଢ଼ୀଙ୍କ ମଧ୍ୟରେ ନୈତିକ ମୂଲ୍ୟବୋଧ ଓ ସଂସ୍କାରର ଅବକ୍ଷୟ ଚିନ୍ତାର ବିଷୟ ହୋଇପଡ଼ିଛି। ଏପରି ପରିସ୍ଥିତିରେ ଆଧ୍ୟାତ୍ମିକ ଶିକ୍ଷା, ଗୁରୁ-ଶିଷ୍ୟ ପରମ୍ପରା, ଭାରତୀୟ ସଂସ୍କୃତି ଓ ଜଗନ୍ନାଥ ଚେତନା ମାଧ୍ୟମରେ ଯୁବସମାଜକୁ ସଠିକ ଦିଗଦର୍ଶନ ଦେବା ସମୟର ଆବଶ୍ୟକତା। ସେମାନେ ଏହି ଶିବିରକୁ ଏକ “ଯୁବ ସଂସ୍କାର ଆନ୍ଦୋଳନ” ବୋଲି ଅଭିହିତ କରିଥିଲେ।

ସେହିପରି ପୁରୀ ଜିଲ୍ଲାପାଳ ଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନର ସହଯୋଗ ଓ ମାର୍ଗଦର୍ଶନ ମିଳୁଥିବା ସମିତି ପକ୍ଷରୁ ସୂଚନା ଦିଆଯାଇଛି।ଏହି ପାଞ୍ଚ ଦିନ ବ୍ୟାପୀ ଶିବିର କୁ ଭାରତର ପ୍ରସିଦ୍ଧ ଆଚାର୍ଯ୍ୟ ଓ ବିଶିଷ୍ଟ ବ୍ୟକ୍ତି ମାନେ ପରିଚାଳନା କରି ପିଲାମାନଙ୍କୁ ମାର୍ଗଦର୍ଶକ କରାଇବେ।ସମାଜରେ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଓ ସଂସ୍କାର ଜାଗରଣ ଦିଗରେ ଏହି ଶିବିର ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ସମିତିର ସଭାପତି ବିନ୍ଦୁ ସାଗର ସ୍ୱାଇଁ ପ୍ରକାଶ କରିଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply