ପୁରୀ , ୩୦ ମେ (ବ୍ୟୁରୋ): ଓଡ଼ିଆ ସାହିତ୍ୟର ପଞ୍ଚସଖା ଯୁଗର ଅନ୍ୟତମ ପୁରୋଧା, ‘ଦାଣ୍ଡି ରାମାୟଣ’ ଓ ‘ଲକ୍ଷ୍ମୀ ପୁରାଣ’ର ଅମର ରଚୟିତା ମତ୍ତ ବଳରାମ ଦାସଙ୍କ ସ୍ମୃତିପୀଠର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଏକ ଉଚ୍ଚସ୍ତରୀୟ ପ୍ରକଳ୍ପ ପ୍ରସ୍ତାବ ଉପସ୍ଥାପନ କରାଯାଇଛି। ଓଡ଼ିଶା ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ ଅଧୀନରେ ପୁରୀ ଜିଲ୍ଲା ଗୋପ ବ୍ଲକର ଏରବଙ୍ଗ ସ୍ଥିତ ଜନ୍ମପୀଠକୁ ସାମିଲ କରି, ଏହାକୁ ଏକ ସମନ୍ୱିତ ଇକୋ-କଲ୍ଚରାଲ୍ (ପରିବେଶ ଓ ସଂସ୍କୃତି ଭିତ୍ତିକ) ପର୍ଯ୍ୟଟନ ସର୍କିଟ୍ ଭାବେ ଗଢ଼ିତୋଳିବାକୁ ଦାବି ହୋଇଛି।
ପୁରୀ ଜିଲ୍ଲାର ବିଶିଷ୍ଟ କୃଷକ ନେତା ପ୍ରଶାନ୍ତ ସ୍ୱାଇଁ (ଲୁଲୁ) ମାନ୍ୟବର ମୁଖ୍ୟମନ୍ତ୍ରୀ, ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଏବଂ ବିଭାଗୀୟ ସଚିବଙ୍କୁ ଏହି ଆନୁଷ୍ଠାନିକ ପ୍ରସ୍ତାବ ସମର୍ପଣ କରିଛନ୍ତି। ଏହି ପ୍ରସ୍ତାବରେ ବୈଜ୍ଞାନିକ ପଦ୍ଧତିରେ ଐତିହ୍ୟର ସଂରକ୍ଷଣ ଏବଂ ଗ୍ରାମୀଣ ଅର୍ଥନୀତିର ବିକାଶ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।
ଭକ୍ତ ବଳରାମ ଦାସଙ୍କ ଏରବଙ୍ଗ ସ୍ଥିତ ଜନ୍ମପୀଠରେ ଥିବା ପ୍ରାଚୀନ ପୋଥି ଓ ପଞ୍ଚସଖା ସମୟର ବିରଳ କଳାକୃତିର ସୁରକ୍ଷା ପାଇଁ ଏକ ଶୀତତାପ ନିୟନ୍ତ୍ରିତ ‘ଓଡ଼ିଆ ଭାଷା ଓ ଡିଜିଟାଲ୍ ସଂଗ୍ରହାଳୟ’ ନିର୍ମାଣ, ପୀଠ ପରିସରରେ ସୌର ଆଲୋକୀକରଣ ଏବଂ ପରିବେଶ ଅନୁକୂଳ ଜନସୁବିଧା କେନ୍ଦ୍ରର ସ୍ଥାପନ, ଗୋପ ଅଞ୍ଚଳର ପାରମ୍ପରିକ ମୃଣ୍ମୟ ଶିଳ୍ପ (ଟେରାକୋଟା) ଓ କାରିଗରମାନଙ୍କ ଜୀବିକାର ଉନ୍ନତି ପାଇଁ ଏକ ସ୍ୱତନ୍ତ୍ର ‘ସାଂସ୍କୃତିକ ହାଟ’ ପ୍ରତିଷ୍ଠା ସହ ଗୋପ, ଏରବଙ୍ଗ ଏବଂ ବେଦପୁରକୁ ନେଇ ଏକ ‘ତ୍ରିକୋଣ ପର୍ଯ୍ୟଟନ କରିଡର’ ବିକଶିତ କରିବା ଏବଂ ଏହାକୁ ପୁରୀ-କୋଣାର୍କ ‘ସ୍ଵର୍ଣ୍ଣ ତ୍ରିଭୁଜ’ ସହିତ ସଂଯୋଗ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି।
“ଏହି ପ୍ରସ୍ତାବ କେବଳ ଭାବପ୍ରବଣତା ରେ ନୁହେଁ, ବରଂ ସମ୍ପୂର୍ଣ୍ଣ ଭୂମିଗତ ବାସ୍ତବତା ଓ ବୈଜ୍ଞାନିକ ତଥ୍ୟ ଉପରେ ଆଧାରିତ। ଏହି ପୀଠର ବିକାଶ ହେଲେ ପୁରୀ-କୋଣାର୍କ ଆସୁଥିବା ପର୍ଯ୍ୟଟକମାନେ ଏଠାକୁ ଆକର୍ଷିତ ହେବେ। ଫଳରେ ଗୋପ ଅଞ୍ଚଳର ଗ୍ରାମୀଣ ଶିଳ୍ପୀ ଓ ସ୍ଥାନୀୟ ଯୁବପିଢ଼ିଙ୍କ ପାଇଁ ବ୍ୟାପକ ରୋଜଗାରର ସୁଯୋଗ ସୃଷ୍ଟି ହେବ। ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଓ ପର୍ଯ୍ୟଟନ ବିଶେଷଜ୍ଞଙ୍କ ଦ୍ୱାରା ଏକ ଯୌଥ ସ୍ଥଳ ଯାଞ୍ଚ କରାଯାଇ ତୁରନ୍ତ କାର୍ଯ୍ୟାରମ୍ଭ ପାଇଁ ଆମେ ଅନୁରୋଧ କରିଛୁ ବୋଲି ପ୍ରଶାନ୍ତ ସ୍ୱାଇଁ (ଲୁଲୁ) ନିଜ ପ୍ରତିକ୍ରିୟାରେ କହିଛନ୍ତି।
ଓଡ଼ିଆ ଅସ୍ମିତାର ପୁନଃ ପ୍ରତିଷ୍ଠା ଦିଗରେ ଏହି ପଦକ୍ଷେପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ, ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଏବଂ ରାଜ୍ୟ ସଂଗ୍ରହାଳୟର ବିଶେଷଜ୍ଞମାନଙ୍କୁ ନେଇ ଏକ ବୈଷୟିକ ଟିମ୍ ଗଠନ ପୂର୍ବକ ସବିଶେଷ ପ୍ରକଳ୍ପ ରିପୋର୍ଟ ତୁରନ୍ତ ପ୍ରସ୍ତୁତ କରିବାକୁ ସ୍ଥାନୀୟ ଜନସାଧାରଣ ଓ ଗବେଷକମାନେ ଆଶା ପ୍ରକାଶ କରିଛନ୍ତି।











