Home / ମୁଖ୍ୟ ଖବର / ପୁରୀରେ ଆଜିଠାରୁ ଆରମ୍ଭ ହେଲା ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ ଗୋଷ୍ଠୀର ଦ୍ୱିତୀୟ ବୈଠକ

ପୁରୀରେ ଆଜିଠାରୁ ଆରମ୍ଭ ହେଲା ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ ଗୋଷ୍ଠୀର ଦ୍ୱିତୀୟ ବୈଠକ

ପୁରୀ, ୩ ଜୁନ: ଭାରତର ବ୍ରିକ୍ସ-୨୦୨୬ ଅଧ୍ୟକ୍ଷତା ଅବସରରେ ଭାରତ ସରକାରଙ୍କ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନ୍‌ଡିଏମ୍‌ଏ) ପକ୍ଷରୁ ପୁରୀରେ ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ ଗୋଷ୍ଠୀ (DRRG)ର ଦ୍ୱିତୀୟ ବୈଠକ ଆଜିଠାରୁ ଆରମ୍ଭ ହୋଇଛି। ଏହି ବୈଠକ ଜୁନ ୩ରୁ ୫ ତାରିଖ ପର୍ଯ୍ୟନ୍ତ ଚାଲିବ।

ସ୍ଥିରତା, ନବସୃଜନ, ସହଯୋଗ ଓ ସସ୍ଥାୟୀତ୍ୱ ପାଇଁ ନିର୍ମାଣ” ଥିମ୍‌କୁ ନେଇ ଆୟୋଜିତ ଏହି ବୈଠକରେ ବ୍ରାଜିଲ, ଚୀନ, ଇଜିପ୍ଟ, ଇଥିଓପିଆ, ଭାରତ, ଇଣ୍ଡୋନେସିଆ, ଇରାନ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଓ ସଂଯୁକ୍ତ ଆରବ ଏମିରେଟ୍ସ ସମେତ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରମାନଙ୍କର ବରିଷ୍ଠ ଅଧିକାରୀ ଓ ବିଶେଷଜ୍ଞମାନେ ଯୋଗ ଦେଇଛନ୍ତି।

ବୈଠକରେ ସମୁଦାୟ ଭିତ୍ତିକ ବିପଦ ହ୍ରାସ, ବିପର୍ଯ୍ୟୟ ପରିଚାଳନା ପାଇଁ ଆର୍ଥିକ ବ୍ୟବସ୍ଥା, ବହୁମୁଖୀ ବିପଦ ପୂର୍ବ ସତର୍କ ସୂଚନା ପ୍ରଣାଳୀ, ସ୍ଥିର ଭିତ୍ତିଭୂମି, ପ୍ରକୃତି ଆଧାରିତ ସମାଧାନ ଏବଂ ବିଜ୍ଞାନ, ପ୍ରଯୁକ୍ତି ଓ ନବସୃଜନର ବ୍ୟବହାର ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହେବ।

ସାଧାରଣ ବିପର୍ଯ୍ୟୟ ଚ୍ୟାଲେଞ୍ଜ ମୁକାବିଲାରେ ପାରସ୍ପରିକ ଶିକ୍ଷା, ସହଯୋଗ ଓ ଅନୁଭବ ବିନିମୟ ମାଧ୍ୟମରେ ସ୍ଥିର ସମାଜ ଓ ସସ୍ଥାୟୀ ବିପଦ ହ୍ରାସ ଢାଞ୍ଚା ଗଠନ ପାଇଁ ଏହି ବୈଠକ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।

ଘୂର୍ଣ୍ଣିଝଡ଼ ପରିଚାଳନା, ପୂର୍ବ ସତର୍କ ସୂଚନା ପ୍ରସାରଣ, ସୁରକ୍ଷିତ ସ୍ଥାନାନ୍ତରଣ ଓ ସମୁଦାୟ ଭିତ୍ତିକ ପ୍ରତିକ୍ରିୟା ବ୍ୟବସ୍ଥାରେ ଓଡ଼ିଶାର ବିଶ୍ୱସ୍ତରୀୟ ସଫଳତାକୁ ସ୍ୱୀକୃତି ଦେଇ ଏହି ବୈଠକ ପାଇଁ ରାଜ୍ୟକୁ ଆୟୋଜକ ଭାବେ ଚୟନ କରାଯାଇଛି।

କାର୍ଯ୍ୟକ୍ରମର ଅଂଶ ଭାବେ ପ୍ରତିନିଧିମାନେ ରାମଚଣ୍ଡୀ ଠାରେ ଓଡ୍ରାଫ୍ (ODRAF) ପକ୍ଷରୁ ଜଳ ଉଦ୍ଧାର ପ୍ରସ୍ତୁତି ଓ ପ୍ରତିକ୍ରିୟା ପ୍ରଦର୍ଶନୀ ଅବଲୋକନ କରିବେ। ସେହିପରି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (OSDMA) ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଶିକ୍ଷିତ ସ୍ୱେଚ୍ଛାସେବୀମାନଙ୍କ ସହ ଆଲୋଚନା କରି ଉପକୂଳୀୟ ବିପଦ ପରିଚାଳନା କ୍ଷେତ୍ରରେ ଓଡ଼ିଶାର ଶ୍ରେଷ୍ଠ ପଦକ୍ଷେପ ସମ୍ପର୍କରେ ଅବଗତ ହେବେ। ପ୍ରତିନିଧିମାନେ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳୀ କୋଣାର୍କ ମନ୍ଦିର ମଧ୍ୟ ପରିଦର୍ଶନ କରିବେ।

ଏହି ବୈଠକର ଉଦ୍ଘାଟନୀ ଅଧିବେଶନ ଓ ପ୍ରମୁଖ କାର୍ଯ୍ୟକ୍ରମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ଏନ୍‌ଡିଏମ୍‌ଏର ସଦସ୍ୟ ଓ ବିଭାଗ ମୁଖ୍ୟ ଡ଼ଃ କୃଷ୍ଣ ସ୍ୱରୂପ ବତ୍ସାଙ୍କ ସମେତ ଗୃହ ମନ୍ତ୍ରାଳୟ ଓ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଅଧିକାରୀମାନେ ଉପସ୍ଥିତ ରହିବେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply