Home / ମୁଖ୍ୟ ଖବର / ରାଷ୍ଟ୍ରପତି ଭବନରେ ଓଡ଼ିଶାର ସାଂସ୍କୃତିକ ଗୌରବର ଝଲକ : ଚିରସ୍ରୋତା ଖୁଣ୍ଟିଆ ଓ ତାଙ୍କ ଓଡିଶୀ ପରିବାରର ମନୋମୁଗ୍ଧକର ଓଡ଼ିଶୀ ନୃତ୍ୟ ଉପସ୍ଥାପନା

ରାଷ୍ଟ୍ରପତି ଭବନରେ ଓଡ଼ିଶାର ସାଂସ୍କୃତିକ ଗୌରବର ଝଲକ : ଚିରସ୍ରୋତା ଖୁଣ୍ଟିଆ ଓ ତାଙ୍କ ଓଡିଶୀ ପରିବାରର ମନୋମୁଗ୍ଧକର ଓଡ଼ିଶୀ ନୃତ୍ୟ ଉପସ୍ଥାପନା

ନୂଆଦିଲ୍ଲୀ, ଜୁନ ୧୭/୬/୨୦୨୬ : ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ “ରଜ” ଉପଲକ୍ଷେ ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ଆୟୋଜିତ ଏକ ସ୍ୱତନ୍ତ୍ର ସାଂସ୍କୃତିକ ସନ୍ଧ୍ୟାରେ ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି ଓ ପରମ୍ପରାର ଅନନ୍ୟ ଝଲକ ପ୍ରଦର୍ଶିତ ହୋଇଛି। ଏହି ଅବସରରେ ସତ୍ୟବାଦୀ ସଙ୍ଗୀତ ମହାବିଦ୍ୟାଳୟର ଓଡ଼ିଶୀ ନୃତ୍ୟଶିଳ୍ପୀମାନେ ଶ୍ରୀମତୀ ଚିରସ୍ରୋତା ଖୁଣ୍ଟିଆଙ୍କ ନେତୃତ୍ୱରେ ଦୁଇଟି ଉଚ୍ଚକୋଟୀର ନୃତ୍ୟ ଉପସ୍ଥାପନା କରି ଦର୍ଶକଙ୍କ ପ୍ରଶଂସା ସାଉଁଟିଛନ୍ତି।

ମହାମହିମ ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ଭକ୍ତ କବି ସାଲବେଗଙ୍କ ଅମର ରଚନା “ଆହେ ନୀଳ ଶୈଳ” ଉପରେ ଆଧାରିତ ଏକ ଭାବପୂର୍ଣ୍ଣ ଓଡ଼ିଶୀ ନୃତ୍ୟ ଉପସ୍ଥାପିତ ହୋଇଥିଲା। ଜଣେ ମୁସଲିମ ହୋଇ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କ ପ୍ରତି ସାଲବେଗଙ୍କ ଅତୁଟ ଭକ୍ତି, ଦର୍ଶନ ପାଇଁ ତାଙ୍କର ଆକୁଳତା ଓ ପ୍ରଭୁଙ୍କ କୃପାକୁ ନୃତ୍ୟ ଓ ଅଭିନୟ ମାଧ୍ୟମରେ ଅତ୍ୟନ୍ତ ସୁନ୍ଦର ଭାବେ ଉପସ୍ଥାପନ କରାଯାଇଥିଲା। ଏହି ନୃତ୍ୟରେ ଶ୍ରୀମତୀ ଚିରସ୍ରୋତା ଖୁଣ୍ଟିଆଙ୍କ ସହ ଶୁଭଲକ୍ଷ୍ମୀ ରାଉତ, ଲିଜାଲିନ୍ ପ୍ରଧାନ, ଶ୍ରୀତନୟା ଜେନା, ପ୍ରଶାନ୍ତ କୁମାର ସାହୁ,ପ୍ରତ୍ୟୁଷା ପ୍ରିୟଦର୍ଶିନୀ ଓ ରଘୁନାଥ ପ୍ରଧାନ ପ୍ରମୁଖ କଳାକାର ଅଂଶଗ୍ରହଣ କରିଥିଲେ। ଗୁରୁ ଲିଙ୍ଗରାଜ ସ୍ୱାଇଁଙ୍କ ନୃତ୍ୟ ନିର୍ଦ୍ଦେଶନା, ଏହି ପରିବେଷଣକୁ ଅଧିକ ଆକର୍ଷଣୀୟ କରିଥିଲା।

ଏହାପରେ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ‘ରଜ’ ଉପରେ ଆଧାରିତ “ବନସ୍ତେ ଡାକିଲା ଗଜ” ଉପସ୍ଥାପନ କରାଯାଇଥିଲା। ରଜ ପର୍ବର ବିଭିନ୍ନ ପର୍ଯ୍ୟାୟ, ଲୋକଜୀବନ, ପାରମ୍ପରିକ ରୀତିନୀତି, ଦୋଳି ଖେଳ, ପୋଡ଼ପିଠା ଓ ଓଡ଼ିଆ ସଂସ୍କୃତିର ମାଧୁର୍ଯ୍ୟକୁ ନୃତ୍ୟ ମାଧ୍ୟମରେ ଚମତ୍କାର ଭାବରେ ଚିତ୍ରଣ କରାଯାଇଥିଲା। ଏହି ନୃତ୍ୟରେ ଚିରସ୍ରୋତା ଖୁଣ୍ଟିଆ, ଶୁଭଲକ୍ଷ୍ମୀ ରାଉତ, ଲିଜାଲିନ୍ ପ୍ରଧାନ, ସୁଚିସ୍ମିତା ସ୍ୱାଇଁ, ନାଗେନ୍ଦ୍ରନନ୍ଦିନୀ ସାହୁ, ଶ୍ରୀତନୟା ଜେନା, ପ୍ରତ୍ୟୁଷା ପ୍ରିୟଦର୍ଶିନୀ, ପ୍ରଶାନ୍ତ କୁମାର ସାହୁ, ରଘୁନାଥ ପ୍ରଧାନ ଓ ଗୁରୁ ଲିଙ୍ଗରାଜ ସ୍ୱାଇଁ, ଏବଂ ବଦ୍ରି ନାରାୟଣ ଖୁଣ୍ଟିଆ ଅଂଶଗ୍ରହଣ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଶ୍ରୀମତୀ ଚିରସ୍ରୋତା ଖୁଣ୍ଟିଆ ଆକାଶବାଣୀ ଓ ଦୂରଦର୍ଶନର ବି-ହାଇ ଗ୍ରେଡ୍ କଳାକାର ହେବା ସହ ଗୁରୁ ଲିଙ୍ଗରାଜ ସ୍ୱାଇଁଙ୍କର ଜଣେ ବରିଷ୍ଠ ଶିଷ୍ୟା। ତାଙ୍କ ନେତୃତ୍ୱରେ ସତ୍ୟବାଦୀ ସଙ୍ଗୀତ ମହାବିଦ୍ୟାଳୟର ଏହି ଉପସ୍ଥାପନା ରାଷ୍ଟ୍ରପତି ଭବନରେ ଉପସ୍ଥିତ ବିଶିଷ୍ଟ ଅତିଥି ଓ ଦର୍ଶକମାନଙ୍କ ମନକୁ ଗଭୀର ଭାବେ ସ୍ପର୍ଶ କରିଥିଲା।

ଏହି ଗୌରବମୟ ଉପସ୍ଥାପନା ମାଧ୍ୟମରେ ସତ୍ୟବାଦୀ ସଙ୍ଗୀତ ମହାବିଦ୍ୟାଳୟ ଓ ଏହାର କଳାକାରମାନେ ଜାତୀୟ ସ୍ତରରେ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଓ ଜଗନ୍ନାଥ ସଂସ୍କୃତିକୁ ସଫଳତାର ସହ ପ୍ରତିନିଧିତ୍ୱ କରି ରାଜ୍ୟ ତଥା ସତ୍ୟବାଦୀ ପାଇଁ ଗୌରବ ଆଣିଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply