ପୁରୀ, ୧୮ ଜୁନ: ପୁରୀ ଜିଲ୍ଲା ଡେଲାଙ୍ଗ ବନାଞ୍ଚଳ ଅଧୀନ ଅଙ୍କୁଇ ଫରେଷ୍ଟର ରାକେଶ କୁମାର ପଣ୍ଡାଙ୍କୁ ୨୫ ହଜାର ଟଙ୍କା ଘୁଷ ନେବାବେଳେ ଓଡ଼ିଶା ଭିଜିଲାନ୍ସ ଆଜି ହାତେନାତେ ଗିରଫ କରିଛି।
ସୂଚନା ଅନୁସାରେ, ଜଣେ ଟ୍ରାକ୍ଟର ମାଲିକ ନିଜ ଜମିରେ ପକାଇବା ପାଇଁ ଖୋଳା ମାଟି ପରିବହନ କରୁଥିବାବେଳେ ବନ ରାସ୍ତା ବ୍ୟବହାର କରିବାକୁ ଚାହୁଁଥିଲେ। ଫରେଷ୍ଟର ରାକେଶ କୁମାର ପଣ୍ଡା ଏଥିପାଇଁ ୨୫ ହଜାର ଟଙ୍କା ଘୁଷ ଦାବି କରିଥିଲେ। ଘୁଷ ନ ଦେଲେ ଟ୍ରାକ୍ଟରକୁ ଜବତ କରାଯିବ ବୋଲି ସେ ଧମକ ଦେଇଥିବା ଅଭିଯୋଗ ହୋଇଛି।
ଏହାପରେ ଟ୍ରାକ୍ଟର ମାଲିକ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଓଡ଼ିଶା ଭିଜିଲାନ୍ସ ଏକ ସ୍ୱତନ୍ତ୍ର ଜାଲ ବିଛାଇଥିଲା। ଆଜି ଫରେଷ୍ଟର ଶ୍ରୀ ପଣ୍ଡା ଅଭିଯୋଗକାରୀଙ୍କଠାରୁ ୨୫ ହଜାର ଟଙ୍କା ଘୁଷ ନେଉଥିବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଥିଲା। ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ଘୁଷ ଟଙ୍କା ଜବତ କରାଯାଇଛି।
ଘଟଣା ପରେ ଆୟବହିର୍ଭୂତ ସମ୍ପତ୍ତି (ଡିଏ) ଦିଗରୁ ତଦନ୍ତ କରିବା ପାଇଁ ଶ୍ରୀ ପଣ୍ଡାଙ୍କ ସହ ଜଡିତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି।
ଏହି ଘଟଣାରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୧୧, ତାରିଖ ୧୭.୦୬.୨୦୨୬ ଅନୁଯାୟୀ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା ୭ ଅଧୀନରେ ମାମଲା ରୁଜୁ କରାଯାଇଛି। ଘଟଣାର ତଦନ୍ତ ଜାରି ରହିଛି।











