ପୁରୀ, ୨୮/୬/୨୦୨୬ – ପ୍ରତିନିଧି: ଆସନ୍ତା ଦେବସ୍ନାନ ପୂର୍ଣ୍ଣିମା-୨୦୨୬ ଅବସରରେ ଶ୍ରୀକ୍ଷେତ୍ର ପୁରୀକୁ ଲକ୍ଷାଧିକ ଭକ୍ତ ଓ ପର୍ଯ୍ୟଟକଙ୍କ ଆଗମନ ହେବାକୁ ଥିବାରୁ ସେମାନଙ୍କ ସୁରକ୍ଷା, ସୁବିଧା ଏବଂ ଶୃଙ୍ଖଳିତ ବ୍ୟବସ୍ଥା ପାଇଁ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏନେଇ ପୁରୀ ଏସ୍ପି ଶ୍ରୀ ପ୍ରତୀକ ସିଂ ଜନସାଧାରଣଙ୍କୁ ସଚେତନ ଓ ସହଯୋଗୀ ହେବାକୁ ଆହ୍ୱାନ କରିଛନ୍ତି।
ପୁରୀ ଏସ୍ପି କହିଛନ୍ତି ଯେ, ସମସ୍ତ ଭକ୍ତ ଓ ପର୍ଯ୍ୟଟକ ପୋଲିସ, ଲାଇଫଗାର୍ଡ ଏବଂ ସ୍ୱେଚ୍ଛାସେବୀମାନଙ୍କ ନିର୍ଦ୍ଦେଶ ପାଳନ କରି ଉତ୍ସବକୁ ସୁରକ୍ଷିତ ଓ ଶୃଙ୍ଖଳିତ କରିବାରେ ସହଯୋଗ କରନ୍ତୁ। ସମୁଦ୍ର ସ୍ନାନ ପାଇଁ କେବଳ ନିର୍ଦ୍ଧାରିତ ସୁରକ୍ଷିତ ଅଞ୍ଚଳକୁ ବ୍ୟବହାର କରିବା ସହ ଛୋଟ ଶିଶୁମାନଙ୍କ ଉପରେ ସତର୍କ ନଜର ରଖିବାକୁ ପରାମର୍ଶ ଦିଆଯାଇଛି। ବେଳାଭୂମିକୁ ସ୍ୱଚ୍ଛ ରଖିବା, ନିଜ ସାମଗ୍ରୀ ପ୍ରତି ସଚେତନ ରହିବା ଏବଂ ପର୍ଯ୍ୟାପ୍ତ ପାଣି ପିଇ ଶରୀରକୁ ହାଇଡ୍ରେଟେଡ୍ ରଖିବାକୁ ମଧ୍ୟ ଅନୁରୋଧ କରାଯାଇଛି।

ସେହିପରି ଗଭୀର ସମୁଦ୍ର କିମ୍ବା ନିଷିଦ୍ଧ ଅଞ୍ଚଳକୁ ପ୍ରବେଶ ନକରିବା, ରେଡ୍ ଫ୍ଲାଗ୍ ସଚେତନତା ସମୟରେ ସମୁଦ୍ର ସ୍ନାନରୁ ବିରତ ରହିବା, ବେଳାଭୂମିରେ ମଦ୍ୟପାନ ନକରିବା ଏବଂ ସୁରକ୍ଷା ସମ୍ବନ୍ଧୀୟ ଘୋଷଣାକୁ ଗୁରୁତ୍ୱର ସହ ପାଳନ କରିବାକୁ ପୋଲିସ ପକ୍ଷରୁ ସତର୍କ କରାଯାଇଛି।
ଭକ୍ତମାନଙ୍କ ମୂଲ୍ୟବାନ ସାମଗ୍ରୀର ସୁରକ୍ଷିତ ସଂରକ୍ଷଣ ପାଇଁ ପୁରୀ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ସରକାରୀ ଲକର ଓ ଡିପୋଜିଟ୍ କାଉଣ୍ଟର ବ୍ୟବସ୍ଥା କରାଯାଇଛି। ଟେମ୍ପଲ ଅଫିସ ପଛପଟ, ଉତ୍ତର ଦ୍ୱାର, ପଶ୍ଚିମ ଦ୍ୱାର, ଦକ୍ଷିଣ ଦ୍ୱାର, ସୂର୍ଯ୍ୟ କମ୍ପ୍ଲେକ୍ସ, ମରିଚିକୋଟ ଛକ, ଟାଉନ ଥାନା ଏବଂ ମାର୍କେଟ ଛକରେ ଏହି ସୁବିଧା ଉପଲବ୍ଧ ରହିବ। ଦର୍ଶନ କିମ୍ବା ସମୁଦ୍ର ବେଳାଭୂମିକୁ ଯିବା ସମୟରେ ଭକ୍ତମାନଙ୍କୁ ଏହି ସୁବିଧାର ଉପଯୋଗ କରିବାକୁ ଅନୁରୋଧ କରାଯାଇଛି।

ଆପତ୍କାଳୀନ ସହାୟତା ପାଇଁ ୧୧୨ ନମ୍ବର ଏବଂ ଟୁରିଷ୍ଟ ହେଲ୍ପଲାଇନ ୬୩୭୦୯୬୭୧୦୦ ନମ୍ବରରେ ଯୋଗାଯୋଗ କରାଯାଇପାରିବ। ଏହାଛଡ଼ା ପୁରୀ ପୋଲିସର WhatsApp Chatbot ନମ୍ବର ୮୭୬୩୧୯୯୪୦୦ ମାଧ୍ୟମରେ ମଧ୍ୟ ସହାୟତା ମିଳିପାରିବ।
ପୁରୀ ଏସ୍ପି ଶ୍ରୀ ପ୍ରତୀକ ସିଂ କହିଛନ୍ତି ଯେ, ଭକ୍ତମାନଙ୍କ ସୁରକ୍ଷା ଓ ସୁବିଧା ପାଇଁ ପୁରୀ ପୋଲିସ ୨୪×୭ ପ୍ରତିବଦ୍ଧ ରହିଛି। ସମସ୍ତଙ୍କ ସହଯୋଗରେ ଦେବସ୍ନାନ ପୂର୍ଣ୍ଣିମା ମହୋତ୍ସବ ସୁରକ୍ଷିତ, ସୁସଂଗଠିତ ଓ ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।











