ଭୁବନେଶ୍ୱର, ୩ ଜୁଲାଇ: ମଧୁବାବୁ ପେନସନ ଯୋଜନା (MBPY)ରେ ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ପୁରୀ ଜିଲ୍ଲାର ଦୁଇଜଣ ପୂର୍ବତନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (PEO)ଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ସଦର ବ୍ଲକ ଅଧୀନ ଗଡ଼ମୃଗଶିରା ଓ ଜାମରସୁଆଁ ଗ୍ରାମପଞ୍ଚାୟତର ପୂର୍ବତନ ପିଇଓ ସୁଲମାନି ଜାନୀ (ବର୍ତ୍ତମାନ ସଦର ବ୍ଲକ କାର୍ଯ୍ୟାଳୟରେ ସଂଲଗ୍ନ) ଏବଂ କଣାସ ବ୍ଲକ ଅଧୀନ ସାହୁପଡ଼ା ଗ୍ରାମପଞ୍ଚାୟତର ପୂର୍ବତନ ପିଇଓ ଟୁନା ପ୍ରଧାନ (ବର୍ତ୍ତମାନ ଗୋପ ବ୍ଲକ କାର୍ଯ୍ୟାଳୟରେ ସଂଲଗ୍ନ)।
ଭିଜିଲାନ୍ସ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ, ଦୁଇ ଅଭିଯୁକ୍ତ ୨୦୨୨ରୁ ୨୦୨୫ ମଧ୍ୟରେ ନିଜ ନିଜ କାର୍ଯ୍ୟକାଳ ସମୟରେ ମଧୁବାବୁ ପେନସନ ଯୋଜନାରେ ବୃଦ୍ଧ, ଦିବ୍ୟାଙ୍ଗ ଏବଂ ଅସହାୟ ହିତାଧିକାରୀଙ୍କ ପାଇଁ ଆବଣ୍ଟିତ ସରକାରୀ ଅର୍ଥରୁ ମୋଟ ୩୦,୭୮,୬୨୦ ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗ ରହିଛି।
ତଦନ୍ତରେ ଜଣାପଡ଼ିଛି ଯେ, ସୁଲମାନି ଜାନୀ ପ୍ରାୟ ୧୫,୭୪,୮୨୦ ଟଙ୍କା ଏବଂ ଟୁନା ପ୍ରଧାନ ପ୍ରାୟ ୧୫,୦୩,୮୦୦ ଟଙ୍କା ହିତାଧିକାରୀଙ୍କୁ ବଣ୍ଟନ ନକରି ନିଜ ସ୍ୱାର୍ଥରେ ଆତ୍ମସାତ୍ କରିଥିଲେ।
ଏହି ଘଟଣାରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ କେସ୍ ନଂ ୧୩/୨୦୨୬ ଏବଂ ୧୪/୨୦୨୬ ରୁଜୁ କରାଯାଇଛି। ଅଭିଯୁକ୍ତମାନଙ୍କ ବିରୋଧରେ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା ୧୩(୨) ସହ ୧୩(୧)(ଏ) ଏବଂ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୩୧୬(୫) ଅନୁଯାୟୀ ମାମଲା ରୁଜୁ କରାଯାଇଛି।
ଗିରଫ ପରେ ଉଭୟ ଅଭିଯୁକ୍ତଙ୍କୁ ଶୁକ୍ରବାର ଭୁବନେଶ୍ୱର ସ୍ଥିତ ସମ୍ମାନନୀୟ ଅଦାଲତରେ ହାଜର କରାଯାଇଛି। ଏହି ମାମଲାର ତଦନ୍ତ ଜାରି ରହିଛି ବୋଲି ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି।











