ନୟାଗଡ଼,ତା-୭.୭.୨୬ରିଖ-ଭାସ୍କର ଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ- ନୟାଗଡ଼ ଜିଲ୍ଲା ଅଙ୍ଗନବାଡ଼ି ସଂଘ ସଭାନେତ୍ରୀ ଜ୍ୟୋତ୍ସାମୟୀ ପଣ୍ଡାଙ୍କ ଗତକାଲି ସଂନ୍ଧ୍ୟାରେ ପରଲୋକ ଘଟିଥିଲା । ଜ୍ୟୋତ୍ସାମୟୀଙ୍କ ମୃତ୍ୟୁ ପରେ ପରିବାରର ସମ୍ମତିକ୍ରମେ ତାଙ୍କ ଚକ୍ଷୁଦାନ କରାଯାଇଛି । ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରାଯିବା ପରେ ନୟାଗଡ଼ ବ୍ଲକ ପରିସରକୁ ଅଣାଯାଇଥିଲା । ସିଡିପିଓଙ୍କ କାର୍ଯ୍ୟାଳୟ ଠାରେ ବହୁ ଅଙ୍ଗନବାଡ଼ି କର୍ମୀ ଶେଷ ଦର୍ଶନ କରିଥିଲେ । ଏହା ପରେ ତାଙ୍କ କ୍ରିଦାଶପୁର ସ୍ଥିତ ବାସଭବନକୁ ନିଆଯାଇଥିଲା । ସେଠାରେ ବିଧି ଅନୁସାରେ ସମସ୍ତ କାର୍ଯ୍ୟ କରାଯିବା ସହ ହଜାର ହଜାର ଲୋକ ଶେଷ ଦର୍ଶନ କରିଥିଲେ । ବହୁ ଲୋକଙ୍କ ସହ ଶବ ଶୋଭାଯାତ୍ରା କରାଯାଇ ଗାଁ ସ୍ମଶାନରେ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ତାଙ୍କର ଏକ ମାତ୍ର ଝିଅ ଅଳକା ପଣ୍ଡା ମୁଖାଗ୍ନି ଦେଇଥିଲେ । ସେ ନୟାଗଡ଼ ସଦରବ୍ଲକ କ୍ରିଦାଶପୁର ଗ୍ରାମର ଅଙ୍ଗନୱାଡ଼ୀ କର୍ମୀ ଭାବେ କାର୍ଯ୍ୟ କରୁଥିଲେ । ଜ୍ୟୋତ୍ସାମୟୀ ନୟାଗଡ଼ର ପ୍ରମୁଖ କୃଷକ ନେତା ସ୍ୱର୍ଗତ ଜଗନ୍ନାଥ ପଣ୍ଡାଙ୍କ କନ୍ୟା ତଥା ପୂର୍ବତନ ଛାତ୍ର ବିଜେଡି ସଭାପତି ନୀଳମାଧବ ପଣ୍ଡାଙ୍କ ଭଉଣୀ । ଏକ ରାଜନୈତିକ ପରିବାରରେ ଜନ୍ମ ଗ୍ରହଣ କରିଥିବା ଜ୍ୟୋତ୍ସାମୟୀ ନୟାଗଡ଼ ଜିଲ୍ଲାର ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ଥିଲେ । ସୋମବାର ସେ କ୍ରିଦାଶପୁର ସ୍ଥିତ ବାସଭବନରୁ ତାଙ୍କ ସ୍ୱାମୀ ମାନସ କୁମାର ପଣ୍ଡାଙ୍କ ବାଇକରେ ବସି ଏକ ସାମାଜିକ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିଲେ । ଗାଁ ନିକଟରେ ଅସାବଧନତା କାରଣରୁ ବାଇକରୁ ଖସି ପଡ଼ିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା । ଜିଲ୍ଲା ପରିଷଦ ସଦସ୍ୟ କ୍ଷୀରୋଦ ମହାପାତ୍ର, ସୁବାଷ ଚନ୍ଦ୍ର କହଁର, କ୍ରିଦାଶପୁର ସରପଞ୍ଚ ସଞ୍ଜୁବାଳା ବିଶ୍ୱାଳଙ୍କ ସମେତ ବହୁ ରାଜନୈତିକ ବ୍ୟକ୍ତି ତାଙ୍କୁ ଶେଷ ଦର୍ଶନ କରିଥିଲେ ।
ଅଙ୍ଗନବାଡ଼ି ଜିଲ୍ଲା ସଭାନେତ୍ରୀ ଜ୍ୟୋତ୍ସାମୟୀଙ୍କ ଚକ୍ଷୁ ଦାନ କଲେ ପରିବାର ଲୋକେ।ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଶେଷକୃତ୍ୟ।ଝିଅ ଦେଲା ମୁଖାଗ୍ନି ।











