Home / ମୁଖ୍ୟ ଖବର / ୧୦୬ ଦିନର ନୀରବ ପଦଯାତ୍ରା : ମହାପ୍ରଭୁଙ୍କ ଘୋଷଯାତ୍ରା ପୂର୍ବରୁ ପ୍ରଭୁଙ୍କ ପାଦପଦ୍ମରେ ନୀରବ ପ୍ରାର୍ଥନା, ସମତା ଓ ଅଧିକାରର ଅବିଚଳ ସଙ୍କଳ୍ପ

୧୦୬ ଦିନର ନୀରବ ପଦଯାତ୍ରା : ମହାପ୍ରଭୁଙ୍କ ଘୋଷଯାତ୍ରା ପୂର୍ବରୁ ପ୍ରଭୁଙ୍କ ପାଦପଦ୍ମରେ ନୀରବ ପ୍ରାର୍ଥନା, ସମତା ଓ ଅଧିକାରର ଅବିଚଳ ସଙ୍କଳ୍ପ

ପୁରୀ (୧୫/୦୭) : ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପନ ଦାବିରେ ଚାଲିଥିବା ନୀରବ ସଚେତନତା ପଦଯାତ୍ରା ଆଜି କ୍ରମାଗତ ୧୦୬ତମ ଦିନରେ ପହଞ୍ଚିଛି। ଆସନ୍ତାକାଲି ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା ଥିବାବେଳେ ଆଜିର ପଦଯାତ୍ରା ଏକ ସ୍ୱତନ୍ତ୍ର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା। ପ୍ରତିବାଦର ସ୍ୱର ନୁହେଁ, ବରଂ ପ୍ରଭୁଙ୍କ ପାଦପଦ୍ମରେ ନୀରବ ପ୍ରାର୍ଥନା, ସମତା ଓ ଭକ୍ତଙ୍କ ଅଧିକାର ପାଇଁ ଏକ ବିନମ୍ର ନିବେଦନ ହିଁ ଏହି ପଦଯାତ୍ରାର ମୂଳ ବାର୍ତ୍ତା ଥିଲା। ଗତ ଏପ୍ରିଲ ୧ ତାରିଖ ଉତ୍କଳ ଦିବସରେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଆରମ୍ଭ ହୋଇଥିବା ଏହି ନୀରବ ଅଭିଯାନ ପ୍ରତିଦିନ ଭକ୍ତ ସାଲବେଗ ପୀଠରୁ ବାହାରି ଶ୍ରୀମନ୍ଦିର ସିଂହଦ୍ୱାରରେ ପହଞ୍ଚୁଛି। ୧୦୬ ଦିନ ଧରି ଅବିରତ ଚାଲିଥିବା ଏହି ଶାନ୍ତ, ଅହିଂସକ ଓ ଆଧ୍ୟାତ୍ମିକ ଯାତ୍ରା ଆଜି ଭକ୍ତଙ୍କ ଆସ୍ଥା, ସମତା, ଅଧିକାର ଓ ଆତ୍ମସମ୍ମାନର ଏକ ଜୀବନ୍ତ ପ୍ରତୀକରେ ପରିଣତ ହୋଇଛି।

ଆସନ୍ତାକାଲି ଘୋଷଯାତ୍ରାରେ ମହାପ୍ରଭୁ ନିଜ ଭକ୍ତଙ୍କ ନିକଟକୁ ଯିବେ। ଏହି ପବିତ୍ର ଅବସର ପୂର୍ବରୁ ପଦଯାତ୍ରୀମାନେ ନୀରବ ଭାବେ ପ୍ରାର୍ଥନା କରିଥିଲେ ଯେ, ଯେଉଁ ପ୍ରଭୁ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖନ୍ତି, ତାଙ୍କ ଦ୍ୱାରରେ ମଧ୍ୟ ସମସ୍ତ ଭକ୍ତ ସମାନ ସମ୍ମାନ ଓ ଅଧିକାର ପାଆନ୍ତୁ। ଜଗନ୍ନାଥ ସଂସ୍କୃତିର ମୂଳମନ୍ତ୍ର ହେଉଛି ସମତା, ସର୍ବଜନୀନତା ଓ ମାନବିକତା। ସେହି ଆଦର୍ଶ ଅକ୍ଷୁଣ୍ଣ ରହୁ— ଏହା ହିଁ ଏହି ଅଭିଯାନର ଅନ୍ତର୍ନିହିତ ପ୍ରାର୍ଥନା।

ପ୍ରତିଦିନର ଭଳି ଆଜି ମଧ୍ୟ ପଦଯାତ୍ରୀମାନେ ନୀରବତାରେ ଏକ ଗଭୀର ପ୍ରଶ୍ନ ଉଠାଇଥିଲେ— “ଯିଏ ସମଗ୍ର ବିଶ୍ୱର ନାଥ, ତାଙ୍କ ଦ୍ୱାରରେ କୌଣସି ଭକ୍ତ କାହିଁକି ନିଜକୁ ପର ବୋଲି ଅନୁଭବ କରିବେ?” ଏହି ପ୍ରଶ୍ନ କାହା ବିରୋଧରେ ନୁହେଁ; ଏହା ପ୍ରଭୁଙ୍କ ଚରଣରେ ଏକ ବିନମ୍ର ନିବେଦନ ଏବଂ ଜଗନ୍ନାଥ ସଂସ୍କୃତିର ମହାନ ଆଦର୍ଶ ପ୍ରତି ଏକ ଆତ୍ମିକ ଆହ୍ୱାନ। ୧୦୬ ଦିନର ଏହି ଯାତ୍ରାରେ ହଜାର ହଜାର ପଦଚିହ୍ନ ରାସ୍ତାରେ ମିଶିଯାଇଛି, କିନ୍ତୁ ପ୍ରତ୍ୟେକ ପଦକ୍ଷେପ ଏକ ଆଶାର ଦୀପ ଜଳାଇଛି। ପ୍ରତ୍ୟେକ “ଜୟ ଜଗନ୍ନାଥ” ଧ୍ୱନିରେ ଭକ୍ତଙ୍କ ଆଖିର ଲୁହ, ହୃଦୟର ବିଶ୍ୱାସ ଓ ସମତାର ସ୍ୱପ୍ନ ପ୍ରତିଧ୍ୱନିତ ହୋଇଛି। ଏହି ପଦଯାତ୍ରାର ଏକମାତ୍ର ସଂକଳ୍ପ— ପ୍ରଭୁଙ୍କ ଦ୍ୱାରରେ କୌଣସି ଭକ୍ତ ନିଜକୁ ଅବହେଳିତ କିମ୍ବା ପର ବୋଲି ଅନୁଭବ ନକରନ୍ତୁ।

ଆଜିର ପଦଯାତ୍ରାରେ ସର୍ବଶ୍ରୀ ସର୍ବଶ୍ରୀ ଶିଶିରକାନ୍ତ ଶତପଥୀ, ହରିଶଙ୍କର ମିଶ୍ର, ଗଦାଧର ମହାରଣା, ସୁବାଷ ପଟ୍ଟନାୟକ, ଯାଦବାନନ୍ଦ ରାୟ, କିଶୋର ଚନ୍ଦ୍ର ଦାସ, ଚକ୍ରଧର ମହାପାତ୍ର, ରଞ୍ଜିତ ବେହେରା, ଲିଙ୍ଗରାଜ ସାହୁ, କାହ୍ନୁ ଚରଣ ପ୍ରଧାନ, ବର୍ଷା ଦାଶ, ବନିତା ଦୀକ୍ଷିତ, ମମତା ସ୍ବାଇଁ, ଶିବସୁନ୍ଦର ମିଶ୍ର, ମନୋରଞ୍ଜନ ରଣସିଂହ, ମାନସ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଏହି ନୀରବ ଅଭିଯାନ ପ୍ରତି ସମର୍ଥନ ଜଣାଇଥିଲେ।

ପଦଯାତ୍ରାର ଆବାହକ ଶ୍ରୀ ସ୍ୱାଧୀନ କୁମାର ପଣ୍ଡା କହିଥିଲେ ଯେ, ଏହି ଅଭିଯାନ କୌଣସି ବ୍ୟକ୍ତି, ସଂସ୍ଥା କିମ୍ବା ବ୍ୟବସ୍ଥା ବିରୋଧରେ ନୁହେଁ। ଏହା ମହାପ୍ରଭୁଙ୍କ ଚରଣରେ ଏକ ନୀରବ ପ୍ରାର୍ଥନା, ଯେପର୍ଯ୍ୟନ୍ତ ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପିତ ନହେବ, ସେପର୍ଯ୍ୟନ୍ତ ଏହି ଅହିଂସକ ଓ ଶାନ୍ତ ପଦଯାତ୍ରା ଅବ୍ୟାହତ ରହିବ।

ଘୋଷଯାତ୍ରା ପୂର୍ବ ସନ୍ଧ୍ୟାରେ ପଦଯାତ୍ରୀମାନେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ— “ହେ କାଳିଆ ସାଆନ୍ତ, ତୁମ ଦ୍ୱାରକୁ ଆସୁଥିବା ପ୍ରତ୍ୟେକ ଭକ୍ତଙ୍କୁ ସମାନ ସ୍ନେହ, ସମାନ ସମ୍ମାନ ଓ ସମାନ ଅଧିକାର ମିଳୁ। ତୁମ ସମ୍ମୁଖରେ କେହି ବଡ଼ ନୁହେଁ, କେହି ଛୋଟ ନୁହେଁ। ତୁମେ ସମସ୍ତଙ୍କ ଜଗନ୍ନାଥ।” ଜୟ ଶ୍ରୀଜଗନ୍ନାଥ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply