Home / ମୁଖ୍ୟ ଖବର / ରଥଯାତ୍ରା ଅବସରରେ ପୁରୀ ସମୁଦ୍ରକୂଳରେ ୧୦୦ ବାଲୁକା ରଥ ସହ ସୁଦର୍ଶନ ପଟ୍ଟନାୟକଙ୍କ ଅନନ୍ୟ ବାଲୁକା କଳା

ରଥଯାତ୍ରା ଅବସରରେ ପୁରୀ ସମୁଦ୍ରକୂଳରେ ୧୦୦ ବାଲୁକା ରଥ ସହ ସୁଦର୍ଶନ ପଟ୍ଟନାୟକଙ୍କ ଅନନ୍ୟ ବାଲୁକା କଳା

ପୁରୀ, ଜୁଲାଇ ୧୫: ପବିତ୍ର ଶ୍ରୀଗୁଣ୍ଡିଚା ରଥଯାତ୍ରା ଅବସରରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ସମୁଦ୍ରକୂଳରେ ଏକ ଆକର୍ଷଣୀୟ ବାଲୁକା କଳାକୃତି ନିର୍ମାଣ କରିଛନ୍ତି। ଏହି କଳାକୃତିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ସହ ୧୦୦ଟି କ୍ଷୁଦ୍ର ବାଲୁକା ରଥ ନିର୍ମାଣ କରାଯାଇଛି। ଏହାରେ “ଜୟ ଜଗନ୍ନାଥ, ଶୁଭ ରଥଯାତ୍ରା” ବାର୍ତ୍ତା ପ୍ରଦର୍ଶିତ ହୋଇଛି।

ଏହି ବାଲୁକା କଳାକୃତି ମାଧ୍ୟମରେ ଶ୍ରୀଜଗନ୍ନାଥ ସଂସ୍କୃତିର ଅନନ୍ୟ ଭକ୍ତ ତଥା ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ ସନ୍ଥକବି ବଳରାମ ଦାସଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଯାଇଛି। ପରମ୍ପରା ଅନୁଯାୟୀ, ରଥଯାତ୍ରାରେ ସାମିଲ ହୋଇପାରିନଥିବା ବେଳେ ବଳରାମ ଦାସ ସମୁଦ୍ରକୂଳରେ ବାଲିରେ ଏକ ରଥ ନିର୍ମାଣ କରି ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିଲେ। ଏହି ଘଟଣା ଆଜି ମଧ୍ୟ ଜଗନ୍ନାଥ ସଂସ୍କୃତିରେ ଅଟୁଟ ଭକ୍ତିର ପ୍ରତୀକ ଭାବେ ସ୍ମରଣୀୟ ରହିଛି।

ସୁଦର୍ଶନ ପଟ୍ଟନାୟକଙ୍କ ଏହି କଳାକୃତିରେ ମହାପ୍ରଭୁ ଜଗନ୍ନାଥଙ୍କ ସହ ତିନି ରଥର ସୁନ୍ଦର ଚିତ୍ରଣ କରାଯାଇଥିବା ବେଳେ ୧୦୦ଟି କ୍ଷୁଦ୍ର ବାଲୁକା ରଥ ରଥଯାତ୍ରାରେ ସାମିଲ ହେଉଥିବା କୋଟି କୋଟି ଭକ୍ତଙ୍କ ଆସ୍ଥା ଓ ଭକ୍ତିଭାବର ପ୍ରତୀକ ଭାବେ ସ୍ଥାନ ପାଇଛି। ସୁଦର୍ଶନ ସ୍ୟାଣ୍ଡ ଆର୍ଟ ଇନଷ୍ଟିଟ୍ୟୁଟର ଛାତ୍ରଛାତ୍ରୀମାନଙ୍କ ସହଯୋଗରେ ଏହି ବିଶାଳ ବାଲୁକା କଳାକୃତି ନିର୍ମାଣ କରାଯାଇଛି।

ଏହି ଅବସରରେ ସୁଦର୍ଶନ ପଟ୍ଟନାୟକ କହିଛନ୍ତି, “ଶ୍ରୀଗୁଣ୍ଡିଚା ରଥଯାତ୍ରା କେବଳ ଏକ ପର୍ବ ନୁହେଁ, ଏହା ପ୍ରତ୍ୟେକ ଭକ୍ତଙ୍କ ହୃଦୟକୁ ଭକ୍ତି, ବିଶ୍ୱାସ ଓ ଆନନ୍ଦରେ ପରିପୂର୍ଣ୍ଣ କରୁଥିବା ଏକ ଦିବ୍ୟ ଯାତ୍ରା। ଏହି ବାଲୁକା କଳାକୃତି ମାଧ୍ୟମରେ ମୁଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚରଣରେ ମୋର ଭକ୍ତି ଅର୍ପଣ କରୁଛି ଏବଂ ବିଶ୍ୱରେ ଶାନ୍ତି, ସମୃଦ୍ଧି ଓ ସମଗ୍ର ମାନବଜାତିର କଲ୍ୟାଣ କାମନା କରୁଛି। ଜୟ ଜଗନ୍ନାଥ।”

ଉଲ୍ଲେଖଯୋଗ୍ୟ ଯେ, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବିଶ୍ୱର ୬୫ରୁ ଅଧିକ ଅନ୍ତର୍ଜାତୀୟ ବାଲୁକା କଳା ପ୍ରତିଯୋଗିତା ଓ ଉତ୍ସବରେ ଅଂଶଗ୍ରହଣ କରି ଭାରତ ପାଇଁ ଅନେକ ସମ୍ମାନ ଆଣିଛନ୍ତି। ସେ ବାଲୁକା କଳା ମାଧ୍ୟମରେ ଭାରତୀୟ ସଂସ୍କୃତିର ପ୍ରଚାର-ପ୍ରସାର ସହିତ ଏଚ୍‌ଆଇଭି/ଏଡ୍ସ, କୋଭିଡ୍-୧୯, ବିଶ୍ୱ ଉଷ୍ମତା ବୃଦ୍ଧି, ଆତଙ୍କବାଦ, ପ୍ଲାଷ୍ଟିକ ପ୍ରଦୂଷଣ ଏବଂ ପରିବେଶ ସଂରକ୍ଷଣ ଭଳି ବିଭିନ୍ନ ସାମାଜିକ ଓ ପରିବେଶଗତ ପ୍ରସଙ୍ଗରେ ସଚେତନତା ସୃଷ୍ଟି କରିଆସୁଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply