ସାକ୍ଷୀଗୋପାଳ:୨୪/୭/୨୦୨୬ ନବଦିନ ଯାତ୍ରାରେ ଆସି ଚନ୍ଦନ ମଣ୍ଡପରେ ଅବସ୍ଥାନ କରିଥିବା ଠାକୂରଅଜା ଶ୍ରୀ ସିଦ୍ଧ ବଳରାମ ଦେବ ଶୁକ୍ରବାର ଵକୁଳବନ ସ୍ଥିତ ନିଜ ମନ୍ଦିର କୁ ରଥରେ ବାହୁଡି ଯାଇଛନ୍ତି। ଫେରିବା ବାଟରେ ସାକ୍ଷୀଗୋପାଳ ଠାକୁରଙ୍କ ମହାସୁଆର ସ୍ବର୍ଗତ ଦାଶରଥି ଖୁଣ୍ଟିଆ ଙ୍କ ଘରେ ପୋଢପିଠା ଭୋଗଲାଗି କରାଯାଇଥିଲା। ବିରି, ଅରୁଆ ଚାଉଳ, ଗୁଡ, ନଡିଆ, ଅଳେଇଚ, ଲବଙ୍ଗ, ଗୋଲମରିଛ ଆଦି ମଶଲା ଗୁଣ୍ଡ , ଭଲଘିଅ, କର୍ପୁର ମିଶ୍ରଣ କରି ମହାସୁଆର ଘର କୁଳବଧୁ ମାନେ ଅଜାଙ୍କ ପାଇଁ ଶ୍ରଦ୍ଧାରେ ପୋଡପିଠା ପ୍ରସ୍ତୁତି କରିଥିଲେ। ଦୈନନ୍ଦିନ ଦେବନୀତି ମଧ୍ୟରେ ମଙ୍ଗଳ ଆଳତୀ, ଅବକାଶ, ବାଳ ଭୋଗ ପରେ ମଧ୍ୟାହ୍ନରେ ଚକା ଛାଡ଼ ଖେଚୁଡ଼ି ଭୋଗ ଅନୁଷ୍ଠିତ ହୋଇଥିଲା l ଅପରାହ୍ନରେ ଛେରା ପହରା ନୀତି ପରେ ଘଣ୍ଟ ମର୍ଦ୍ଦଳ, ସଂକୀର୍ତ୍ତନ, କାହାଳୀ, ମହୁରୀ ଓ ତେଲିଙ୍ଗି ଵାଦ୍ୟ ବଜାଇ ଠାକୁରଙ୍କ

ପହଣ୍ଡି କରାଯାଇ ରଥାରୁଢ଼ କରାଯାଇଥିଲା l ଶ୍ରଦ୍ଧାଳୁ ଓ ଛୋଟ ଛୋଟ ପିଲାମାନେ ଚନ୍ଦନ ମଣ୍ଡପ ନିକଟରୁ ରଥ ଟାଣି ନେଇଥିଲେ l ନବ ଦିନ ଅଵସ୍ଥାନ ସମୟରେ ଆଖପାଖ ଲୋକେ ଆଡପ ମଣ୍ଡପ ଭୋଗ ଲାଗି କରିବା ସହିତ କିଛି କିଛି ଶ୍ରଦ୍ଧାଳୁ ପ୍ରତ୍ୟହ ଆଡପ ଦର୍ଶନ କରିଥିଲେ। ସାକ୍ଷୀଗୋପାଳ ମନ୍ଦିର ପ୍ରଶାସନ ତରଫରୁ ଏହି ସୁସଜ୍ଜିତ ରଥ ନିର୍ମାଣ କରାଯାଇଥିଲା l ସେବାୟତ ଲୋକନାଥ ମହାପାତ୍ର, ସୋମନାଥ ମହାପାତ୍ର, ରାଧାନାଥ ମହାପାତ୍ର, ଚନ୍ଦ୍ରଶେଖର ମହାପାତ୍ର, ରାକେଶ ମହାପାତ୍ର, ଦେବଶକ୍ତି ମହାପାତ୍ର ଙ୍କ ସମେତ ଅନ୍ୟମାନେ ଠାକୁରଙ୍କ ଦେବନୀତି ସମ୍ପାଦନା କରିଥିଲେ l ରଥଟଣା ସମୟରେ ମନ୍ଦିର ସୁପରଭାଇଜର ବିଶ୍ବନାଥ ମହାପାତ୍ର, ମନୋରଞ୍ଜନ ମହାନ୍ତି, ଗଣେଶ ଚ୍ୟୈଧୁରୀ, ସଞ୍ଜୀବ ବିଶ୍ବାଳ ପ୍ରମୁଖ କର୍ମଚାରୀ ଙ୍କ ସହିତ ମାଳି ସେବାୟତ, କାହାଳିଆ, ବିଶ୍ଵକର୍ମା, ମଣ୍ଡଣି ସୁଆଁସିଆ, ଵାଜାଵାଲା, ଭୋଇ ସେଵାୟତ ମାନେ ରଥଚଳା କାର୍ଯ୍ୟରେ ସହଯୋଗ କରିଥିଲେ। ସତ୍ୟବାଦୀ ଥାନା ପୋଲିସ ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରେ। ରାଜ୍ୟ ସରକାରଙ୍କ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଏବଂ ସତ୍ୟବାଦୀ ସଂସ୍କୃତି ସୁରକ୍ଷା ମଞ୍ଚ ପକ୍ଷରୁ ଚଳିତ ବର୍ଷ ରଥଯାତ୍ରା କୁ ସାଂସ୍କୃତିକ ଧାରାରେ ଅଧିକ ଆକର୍ଷଣୀୟ କରାଯାଇଥିଲା।










