କାକଟପୁର, ତା. ୨୮/୦୭:(ତୁଷାର ଦୀକ୍ଷିତ ) କାକଟପୁର ଥାନା ଅନ୍ତର୍ଗତ ବାଁବରଡ଼ା ଗ୍ରାମରେ ଘରେ ପଶି ମୋଟର ସାଇକେଲ, ଇନଭର୍ଟର ବ୍ୟାଟେରୀ ଓ ଇନଭର୍ଟର ମେସିନ ଚୋରି ଘଟଣାର ପର୍ଦ୍ଦାଫାଶ କରି କାକଟପୁର ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଜଣେ ନାବାଳକଙ୍କୁ କିଶୋର ନ୍ୟାୟ ପରିଷଦ, ପୁରୀଙ୍କ ନିକଟରେ ହାଜର କରିଛି। କାକଟପୁର ପୋଲିସ ପକ୍ଷରୁ ସୂଚନା ଅନୁଯାୟୀ, ବାଁବରଡ଼ା ଗ୍ରାମର ସରୋଜିନୀ ମଲ୍ଲ (୩୯)ଙ୍କ ଏତଲା ଅନୁଯାଇ ଗତ ୨୫ ଜୁଲାଇ ମଧ୍ୟରାତ୍ରୀରେ ପରିବାର ସଦସ୍ୟମାନେ ଶୋଇଥିବା ବେଳେ କିଛି ଦୁର୍ବୃତ୍ତ ଘରେ ପଶି ବାହାର ପଟୁ କୋଠରୀର କବାଟ ବନ୍ଦ କରି ଦେଇଥିଲେ। ପରେ ପଡ଼ୋଶୀଙ୍କ ସହାୟତାରେ କବାଟ ଖୋଲି ବାହାରକୁ ଆସି ଦେଖିଥିଲେ ଯେ ତାଙ୍କ ଭାଇଙ୍କ ହିରୋ ଗ୍ଲାମର ମୋଟର ସାଇକେଲ (ନଂ- OD-13F-3639), ଏକ ଭି-ଗାର୍ଡ ଇନଭର୍ଟର ବ୍ୟାଟେରୀ, ଇନଭର୍ଟର ମେସିନ ସମେତ ଅନ୍ୟାନ୍ୟ ଘରୋଇ ସାମଗ୍ରୀ ଚୋରି ହୋଇଯାଇଛି। ଏହି ଅଭିଯୋଗକୁ ଆଧାର କରି କାକଟପୁର ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତକାଳରେ ପୋଲିସ ବାଲିଆପିଛା ଗ୍ରାମର କୁନା କାଣ୍ଡି (୨୧), ସୁହାନପୁର (ବଣୁଆସାହି)ର ରାଜେଶ ଗୋଛାୟତ (୧୯) ଏବଂ ଚଣ୍ଡିକୁଦ ଗ୍ରାମର ହାପି ଦଳାଇ (୩୦)ଙ୍କୁ ଗିରଫ କରିଥିଲା। ହାପି ଦଳାଇ ଚୋରି ସାମଗ୍ରୀ ଗ୍ରହଣ କରିଥିବା ଅଭିଯୋଗ ରହିଛି। ଏହାସହ ଜଣେ ନାବାଳକଙ୍କ ସମ୍ପୃକ୍ତି ମଧ୍ୟ ସାମ୍ନାକୁ ଆସିଥିବାରୁ ତାଙ୍କୁ କିଶୋର ନ୍ୟାୟ ପରିଷଦ, ପୁରୀଙ୍କ ନିକଟରେ ହାଜର କରାଯାଇଛି। ଅଭିଯୁକ୍ତ ମାନଙ୍କ ନିକଟରୁ ଚୋରି ହୋଇଥିବା ହିରୋ ଗ୍ଲାମର ମୋଟର ସାଇକେଲ, ଏକ ଭି-ଗାର୍ଡ ଇନଭର୍ଟର ବ୍ୟାଟେରୀ ଓ ଏକ ଭି-ଗାର୍ଡ ଇନଭର୍ଟର ମେସିନ ଜବତ କରାଯାଇଛି। ମଙ୍ଗଳବାର ଅଭିଯୁକ୍ତମାନଙ୍କୁ ସ୍ଥାନୀୟ ଅଦାଲତରେ ହାଜର କରାଯିବା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ବୋଲି କାକଟପୁର ଥାନା ଆଇଆଇସି ବସନ୍ତ କୁମାର ସାହୁ ସୂଚନା ଦେଇଛନ୍ତି
ଘରେ ପଶି ଚୋରି ଘଟଣାରେ ଜଣେ ନାବାଳକଙ୍କ ସମେତ ୩ ଗିରଫ,











