ଭୁବନେଶ୍ୱର, ୨୮ ଜୁଲାଇ: ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ପରିସ୍ଥିତିର ସମୀକ୍ଷା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଛି। ଜନସାଧାରଣଙ୍କ ଧନଜୀବନର ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ସମସ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନ ସମନ୍ୱୟରେ କାର୍ଯ୍ୟ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ବୈତରଣୀ ଓ ଜଳକା ନଦୀର ଜଳସ୍ତର କେତେକ ସ୍ଥାନରେ ବିପଦସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ବ୍ରାହ୍ମଣୀ ଓ ସୁବର୍ଣ୍ଣରେଖା ନଦୀର ଜଳସ୍ତର ମଧ୍ୟ ଚିନ୍ତାଜନକ ରହିଛି। ବିଶେଷକରି ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ଷା ଓ ବନ୍ୟାର ପ୍ରଭାବ ଦେଖାଦେଇଛି। ଆଗାମୀ ୧୨ ଘଣ୍ଟା ପରିସ୍ଥିତି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଥିବାରୁ ଏହି ଜିଲ୍ଲାଗୁଡ଼ିକ ଉପରେ ଅଧିକ ନଜର ରଖାଯାଇଛି।
ପରିସ୍ଥିତିର ନିରନ୍ତର ନିରୀକ୍ଷଣ ପାଇଁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟକୁ ରାତିସାରା ଖୋଲା ରଖିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ତଳିଆ ଅଞ୍ଚଳରେ ଜଳସ୍ତର ବଢ଼ୁଥିବାରୁ ଆବଶ୍ୟକ ସ୍ଥାନରେ ଲୋକଙ୍କୁ ଶୀଘ୍ର ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବାକୁ ପ୍ରଶାସନକୁ କୁହାଯାଇଛି।
ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ଏନ୍ଡିଆର୍ଏଫ୍ ଏବଂ ଓଡ୍ରାଫ୍ ଟିମ୍କୁ ମୁତୟନ କରାଯାଇଛି। ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଓ ବିଡିଓମାନଙ୍କୁ ନିରନ୍ତର ସ୍ଥିତି ଉପରେ ନଜର ରଖିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। ପୋଲିସ ପକ୍ଷରୁ ରାତ୍ରିକାଳୀନ ପାଟ୍ରୋଲିଂ ବଢ଼ାଯାଇଥିବା ବେଳେ ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ମହିଳା ପୋଲିସ କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି।
ବନ୍ୟା ଆଶ୍ରୟସ୍ଥଳୀଗୁଡ଼ିକରେ ପ୍ରଭାବିତ ଲୋକଙ୍କ ପାଇଁ ରନ୍ଧାଖାଦ୍ୟ ସହ ଆବଶ୍ୟକ ସୁବିଧା ଉପଲବ୍ଧ କରାଯାଉଛି। ଲୋକମାନେ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ହେବା ପରେ ସେମାନଙ୍କ ଘର ଓ ଧନସମ୍ପତ୍ତିର ସୁରକ୍ଷା ନିଶ୍ଚିତ କରିବାକୁ ପୋଲିସକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସ୍ୱାସ୍ଥ୍ୟ, ପଶୁସମ୍ପଦ ସମେତ ଅନ୍ୟାନ୍ୟ ବିଭାଗକୁ ମଧ୍ୟ ଜରୁରୀ ପରିସ୍ଥିତି ପାଇଁ ପ୍ରସ୍ତୁତ ରଖାଯାଇଛି। ଗୃହପାଳିତ ପଶୁଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା କରାଯିବା ସହ ଆବଶ୍ୟକ ପରିମାଣର ଗୋଖାଦ୍ୟ ମହଜୁଦ ରଖାଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ସର୍ପାଘାତର ଆଶଙ୍କାକୁ ଦୃଷ୍ଟିରେ ରଖି ଆବଶ୍ୟକ ଔଷଧ ଓ ଇଞ୍ଜେକ୍ସନ୍ ମହଜୁଦ ରଖାଯାଇଛି।
ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ଘରବାଡ଼ି ଓ ଚାଷଜମି ପାଇଁ ନିୟମ ଅନୁସାରେ ଶୀଘ୍ର କ୍ଷତିପୂରଣ ପ୍ରଦାନ କରିବାକୁ ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ୨୪ ଘଣ୍ଟା ସ୍ଥିତି ଉପରେ ନଜର ରଖିବା ସହ ଜିଲ୍ଲାସ୍ତରୀୟ ନିୟନ୍ତ୍ରଣ କକ୍ଷଗୁଡ଼ିକ ସହ ନିରନ୍ତର ଯୋଗାଯୋଗରେ ରହିଛି।
ବନ୍ୟା ମୁକାବିଲା, ପ୍ରସ୍ତୁତି, ସ୍ଥାନାନ୍ତରଣ ଓ ଉଦ୍ଧାର କାର୍ଯ୍ୟକୁ ଆହୁରି ସୁବ୍ୟବସ୍ଥିତ କରିବା ପାଇଁ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲା ଲାଗି ତିନିଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି। ଭଦ୍ରକ ପାଇଁ ସୁଧାଂଶୁ ମୋହନ ସାମଲ, ବାଲେଶ୍ୱର ପାଇଁ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ଯାଜପୁର ପାଇଁ ପି. ଅନ୍ୱେଷା ରେଡ୍ଡୀଙ୍କୁ ଦାୟିତ୍ୱ ଦିଆଯାଇଛି।
ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ପୋଲିସ ଡିଜି ୱାଇ.ବି. ଖୁରାନିଆ, ଅଗ୍ନିଶମ ବିଭାଗର ଡିଜି ସୁଧାଂଶୁ ଷଡ଼ଙ୍ଗୀ, ସ୍ୱତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ, ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମାଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।
ବନ୍ୟା ପରିସ୍ଥିତିକୁ ନେଇ ଲୋକମାନେ ଭୟଭୀତ ନହୋଇ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶ ଓ ସହାୟତା ଗ୍ରହଣ କରିବାକୁ ମନ୍ତ୍ରୀ ସୁରେଶ ପୂଜାରୀ ଅନୁରୋଧ କରିଛନ୍ତି। ଜନସାଧାରଣଙ୍କ ଧନଜୀବନର ସୁରକ୍ଷା ପାଇଁ ସରକାର ଓ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସେ କହିଛନ୍ତି।











