Home / ମୁଖ୍ୟ ଖବର / ପୁରୀରେ ନିର୍ବାଚନୀ ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର ସମୀକ୍ଷା, ଅଗ୍ରଗତିରେ ସନ୍ତୋଷ ପ୍ରକାଶ କଲେ ପର୍ଯ୍ୟବେକ୍ଷକ

ପୁରୀରେ ନିର୍ବାଚନୀ ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର ସମୀକ୍ଷା, ଅଗ୍ରଗତିରେ ସନ୍ତୋଷ ପ୍ରକାଶ କଲେ ପର୍ଯ୍ୟବେକ୍ଷକ

ପୁରୀ, ୩୧ ଜୁଲାଇ: ପୁରୀ ଜିଲ୍ଲାରେ ଚାଲିଥିବା ନିର୍ବାଚନୀ ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି ଜିଲ୍ଲାର ନିର୍ବାଚନୀ ତାଲିକା ପର୍ଯ୍ୟବେକ୍ଷକ ତଥା କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ (MSME) ବିଭାଗର କମିଶନର-କମ୍-ସଚିବ ରଶ୍ମିତା ପଣ୍ଡା (IAS) ଏବଂ ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଅନାମିକା ସିଂହ

ଜିଲ୍ଲା ଗସ୍ତ ଅବସରରେ ସେମାନେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଦିବ୍ୟଜ୍ୟୋତି ପରିଡ଼ା, ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଶରତ ଚନ୍ଦ୍ର ବେହେରା, ଜିଲ୍ଲାର ଛଅଜଣ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO), ଡେପୁଟି କଲେକ୍ଟର (ନିର୍ବାଚନ) ରୁନିତା ପ୍ରଧାନ ଓ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନଙ୍କ (AERO) ସହ ଏକ ସମୀକ୍ଷା ବୈଠକ କରିଥିଲେ।

ବୈଠକରେ SIR କାର୍ଯ୍ୟର ଅଗ୍ରଗତି, ନୋଟିସ ଜେନେରେସନ୍, ଶୁଣାଣି ପ୍ରକ୍ରିୟା ଓ ଆଗାମୀ କାର୍ଯ୍ୟଯୋଜନା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ନିର୍ବାଚନୀ ତାଲିକା ପୁନରୀକ୍ଷଣ, ଇଲେକ୍ଟର ମ୍ୟାପିଂ ଏବଂ ବିଭିନ୍ନ ଅସଙ୍ଗତି ସମ୍ପର୍କରେ ଏକ ବିସ୍ତୃତ ଉପସ୍ଥାପନା ପ୍ରଦାନ କରିଥିଲେ।

ପରେ ପର୍ଯ୍ୟବେକ୍ଷକ ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧି ଏବଂ ବୁଥ୍ ଲେଭେଲ୍ ଏଜେଣ୍ଟ (BLA)ମାନଙ୍କ ସହ ଆଲୋଚନା କରି ସେମାନଙ୍କ ମତାମତ ଗ୍ରହଣ କରିଥିଲେ।

ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ୧୦୭–ପୁରୀ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଏକ ଶୁଣାଣି କେନ୍ଦ୍ର ପରିଦର୍ଶନ କରି BLO, BLO ସୁପରଭାଇଜର ଏବଂ ପୁରୀ ପୌରପାଳିକାର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ-କମ୍-AERO ଅର୍ଜିତ ନାୟକଙ୍କ ସହ ଆଲୋଚନା କରିଥିଲେ। ସେଠାରେ ଶୁଣାଣି ପ୍ରକ୍ରିୟା ଏବଂ କ୍ଷେତ୍ରସ୍ତରରେ ଚାଲିଥିବା SIR କାର୍ଯ୍ୟର ମଧ୍ୟ ସମୀକ୍ଷା କରାଯାଇଥିଲା।

ସମୀକ୍ଷା ପରେ ନିର୍ବାଚନୀ ତାଲିକା ପର୍ଯ୍ୟବେକ୍ଷକ ଏବଂ ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଉଭୟେ SIR କାର୍ଯ୍ୟର ଅଗ୍ରଗତିରେ ସନ୍ତୋଷ ପ୍ରକାଶ କରିଥିଲେ। ସେମାନେ BLOମାନଙ୍କ ନିଷ୍ଠାପୂର୍ଣ୍ଣ କାର୍ଯ୍ୟ, ସମଗ୍ର ପ୍ରକ୍ରିୟା ପ୍ରତି ସେମାନଙ୍କ ଆନ୍ତରିକତା ଏବଂ ୧୦୭–ପୁରୀ ବିଧାନସଭା ନିର୍ବାଚନମଣ୍ଡଳୀରେ କରାଯାଇଥିବା ସୁବ୍ୟବସ୍ଥିତ ଶୁଣାଣି ବ୍ୟବସ୍ଥାକୁ ଭୂୟସୀ ପ୍ରଶଂସା କରିଥିଲେ।

SPREAD YOUR LOVE WITH YOUR FRIENDS AND FAMILY

Leave a Reply