Home / ମୁଖ୍ୟ ଖବର / ଶ୍ରୀମନ୍ଦିର ସମ୍ମୁଖରେ ନକଲି ଗୁମାସ୍ତା ସାଜି ଟଙ୍କା ଆଦାୟ, ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ସିଂହଦ୍ୱାର ପୋଲିସ

ଶ୍ରୀମନ୍ଦିର ସମ୍ମୁଖରେ ନକଲି ଗୁମାସ୍ତା ସାଜି ଟଙ୍କା ଆଦାୟ, ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ସିଂହଦ୍ୱାର ପୋଲିସ

ପୁରୀ, ୩୦ ଜୁଲାଇ: ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଭକ୍ତମାନଙ୍କୁ ପ୍ରତାରଣା କରି ଅବୈଧ ଭାବେ ଟଙ୍କା ଆଦାୟ କରୁଥିବା ଦୁଇ ନକଲି ଗୁମାସ୍ତାଙ୍କୁ ସିଂହଦ୍ୱାର ଥାନା ପୋଲିସ ଗିରଫ କରିଛି। ଅଭିଯୁକ୍ତମାନେ ନିଜକୁ ଶ୍ରୀମନ୍ଦିରର ଗୁମାସ୍ତା ବୋଲି ପରିଚୟ ଦେଇ ଭକ୍ତମାନଙ୍କଠାରୁ ଟଙ୍କା ଆଦାୟ କରୁଥିବା ଅଭିଯୋଗ ରହିଛି।

ଏହି ଘଟଣାରେ ସିଂହଦ୍ୱାର ଥାନାରେ କେସ୍ ନଂ–୧୮୬/୨୦୨୬ ରୁଜୁ କରାଯାଇଛି।

ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ରାଜେଶ କୁମାର ତ୍ରିପାଠୀ, ପିତା–ଚରଣ ପ୍ରସାଦ ମହାପାତ୍ର, ଅବକାଶ ଲେନ୍, କୁମ୍ଭାରପଡ଼ା, ପୁରୀ ଏବଂ ନୃସିଂହ ପ୍ରସାଦ ମହାପାତ୍ର (୨୪), ପିତା–ରମେଶ ଚନ୍ଦ୍ର ମହାପାତ୍ର, ଗିରିନାରିବନ୍ତା, ଲୋକନାଥ ରୋଡ଼, ବାସେଳିସାହି ଥାନା ଅନ୍ତର୍ଗତ, ପୁରୀ।

ପୋଲିସ ସୂଚନା ଅନୁଯାୟୀ, ଉଭୟ ଅଭିଯୁକ୍ତ ଶ୍ରୀମନ୍ଦିର ନିକଟରେ ନିଜକୁ ଗୁମାସ୍ତା ବୋଲି ପରିଚୟ ଦେଇ ଭକ୍ତମାନଙ୍କୁ ଭ୍ରମିତ କରି ଅବୈଧ ଭାବେ ଟଙ୍କା ଆଦାୟ କରୁଥିଲେ। ଏହି ଘଟଣାରେ ସେମାନଙ୍କର ଆଉ କୌଣସି ସମ୍ପୃକ୍ତି ରହିଛି କିମ୍ବା ଅନ୍ୟ ସହଯୋଗୀ ଜଡ଼ିତ ଅଛନ୍ତି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।

ପୁରୀ ପୋଲିସ ପକ୍ଷରୁ କୁହାଯାଇଛି ଯେ, ଶ୍ରୀଜଗନ୍ନାଥ ଧାମକୁ ଆସୁଥିବା ପ୍ରତ୍ୟେକ ଭକ୍ତଙ୍କୁ ସୁରକ୍ଷିତ ଓ ନିର୍ବିଘ୍ନ ଦର୍ଶନ ସୁବିଧା ଯୋଗାଇବା ପାଇଁ ପୋଲିସ ପ୍ରତିବଦ୍ଧ। ଶ୍ରୀମନ୍ଦିର ସେବାୟତ କିମ୍ବା ଗୁମାସ୍ତା ବୋଲି ପରିଚୟ ଦେଇ ପ୍ରତାରଣା କରୁଥିବା କିମ୍ବା ଅବୈଧ ଟଙ୍କା ଆଦାୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।

ପୋଲିସ ସମସ୍ତ ଭକ୍ତଙ୍କୁ ସତର୍କ ରହିବାକୁ ଅନୁରୋଧ କରିବା ସହ କୌଣସି ସନ୍ଦେହଜନକ ବ୍ୟକ୍ତି କିମ୍ବା ଘଟଣା ଦେଖିଲେ ତୁରନ୍ତ ନିକଟସ୍ଥ ପୋଲିସ କର୍ମଚାରୀ କିମ୍ବା ପୋଲିସ କଣ୍ଟ୍ରୋଲ୍ ରୁମ୍‌କୁ ସୂଚନା ଦେବାକୁ ପରାମର୍ଶ ଦେଇଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply