Home / ମୁଖ୍ୟ ଖବର / ପୁରୀ ଜିଲ୍ଲାର ଚାଷୀଙ୍କୁ ଆଶ୍ୱସ୍ତ ହେବାକୁ ପ୍ରଶାନ୍ତ ସ୍ଵାଇଁଙ୍କ ଅନୁରୋଧ

ପୁରୀ ଜିଲ୍ଲାର ଚାଷୀଙ୍କୁ ଆଶ୍ୱସ୍ତ ହେବାକୁ ପ୍ରଶାନ୍ତ ସ୍ଵାଇଁଙ୍କ ଅନୁରୋଧ

ପୁରୀ : ପ୍ରାକୃତିକ ଦୁର୍ବିପାକ ଓ ବନ୍ୟା ଯୋଗୁଁ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚାଷଜମି ଓ ଫସଲ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଚାଷୀମାନେ ମାନସିକ ଭାବେ ଭାଙ୍ଗି ନ ପଡ଼ିବା ପାଇଁ ପୂର୍ବତନ ରାଜ୍ୟ ସଂପାଦକ, ବିଜେପି କୃଷକ ମୋର୍ଚ୍ଚା, ଓଡ଼ିଶା ତଥା ପୁରୀ ଜିଲ୍ଲା ଧାନ ସଂଗ୍ରହ କମିଟିର ଚାଷୀ ପ୍ରତିନିଧି ପ୍ରଶାନ୍ତ ସ୍ଵାଇଁ (ଲୁଲୁ) ଅନୁରୋଧ କରିଛନ୍ତି।

ସେ କହିଛନ୍ତି, “ବିପଦ ସମୟରେ ଚାଷୀ ଭାଇ ଓ ଭଉଣୀମାନେ ଧୈର୍ଯ୍ୟ ହରାନ୍ତୁ ନାହିଁ। ବିରୋଧିଙ୍କ କୌଣସି ଗୁଜବ, ଅପପ୍ରଚାର କିମ୍ବା ଭ୍ରମାତ୍ମକ ସୂଚନାରେ ବିଶ୍ୱାସ କରନ୍ତୁ ନାହିଁ। ସରକାରୀ ଭାବେ କ୍ଷୟକ୍ଷତିର ଆକଳନ ଓ ସହାୟତା ପ୍ରକ୍ରିୟା ଚାଲିଛି।”

ପ୍ରଶାନ୍ତ ସ୍ଵାଇଁଙ୍କ ଅନୁଯାୟୀ, ଦୀର୍ଘମିଆଦୀ ଫସଲ ବନ୍ୟାରେ ନଷ୍ଟ ହୋଇଥିବା ଚାଷୀଙ୍କ ପାଇଁ ୭୫ ଦିନିଆ ସ୍ୱଳ୍ପକାଳୀନ ବିହନ ଯୋଗାଣ, ବନ୍ୟାରେ ନଷ୍ଟ ହୋଇଥିବା ତଳି ଓ ଶ୍ରମର କ୍ଷତିପୂରଣ ଏବଂ କ୍ଷେତ୍ରସ୍ତରରେ କ୍ଷୟକ୍ଷତିର ସଠିକ୍ ଆକଳନ ଭଳି ପଦକ୍ଷେପ ଚାଷୀଙ୍କୁ ପୁନର୍ବାର ଚାଷକାର୍ଯ୍ୟକୁ ଫେରିବାରେ ସହାୟକ ହେବ।

ସେ ଆହୁରି କହିଛନ୍ତି ଯେ, କୃଷି ବିଭାଗ ଓ ସ୍ଥାନୀୟ ପ୍ରଶାସନର କର୍ମଚାରୀମାନେ କ୍ଷେତ୍ର ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରୁଥିବାରୁ ଚାଷୀମାନେ ତାଙ୍କୁ ସହଯୋଗ କରନ୍ତୁ। “ପୁରୀ ଜିଲ୍ଲାର ପ୍ରତ୍ୟେକ କ୍ଷତିଗ୍ରସ୍ତ ଚାଷୀଙ୍କ ହିତ ଓ ଅଧିକାର ସୁରକ୍ଷିତ ରହିବା ଆମର ପ୍ରାଥମିକତା। ଚାଷୀ ଭାଇମାନେ ଆଶ୍ୱସ୍ତ ରୁହନ୍ତୁ, ଧୈର୍ଯ୍ୟ ଓ ସାହସର ସହିତ ଏହି ବିପଦର ମୁକାବିଲା କରନ୍ତୁ,” ବୋଲି ପ୍ରଶାନ୍ତ ସ୍ଵାଇଁ ଅନୁରୋଧ କରିଛନ୍ତି।

ସେହିପରି, ଗୁଜବରେ କାନ ନଦେଇ ସରକାରୀ ସୂଚନା ଓ ପ୍ରଶାସନର ନିର୍ଦ୍ଦେଶକୁ ଅନୁସରଣ କରିବା ସହ ଚାଷୀମାନେ ନିଜ ଅଭିଯୋଗ ଓ କ୍ଷୟକ୍ଷତି ସମ୍ପର୍କରେ ସମ୍ପୃକ୍ତ ଅଧିକାରୀଙ୍କୁ ଅବଗତ କରାଇବାକୁ ସେ ଆହ୍ୱାନ ଦେଇଛନ୍ତି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply