ପୁରୀ, ୧ ଅଗଷ୍ଟ: କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଶ୍ରୀ ସଦାଶିବ କ୍ୟାମ୍ପସ, ପୁରୀର ଜଣେ ପୂର୍ବତନ ଛାତ୍ର ଲକ୍ଷ୍ମୀ ନାରାୟଣ କର ବିଶ୍ୱବିଦ୍ୟାଳୟ ପ୍ରଶାସନ ବିରୋଧରେ ଗୁରୁତର ଅଭିଯୋଗ ଆଣି ଏହି ସମଗ୍ର ଘଟଣାର ଏକ ସ୍ୱାଧୀନ ଓ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।
ଲକ୍ଷ୍ମୀ ନାରାୟଣ କରଙ୍କ କହିବା ଅନୁଯାୟୀ, ଗତ ଦୁଇ ବର୍ଷ ଧରି ସେ ଓ ତାଙ୍କ ସହପାଠୀମାନେ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ମୌଳିକ ସୁବିଧା, ଛାତ୍ରବୃତ୍ତି, ପୁସ୍ତକାଳୟ, ପାନୀୟ ଜଳ, ପରିମଳ ବ୍ୟବସ୍ଥା, ଭିତ୍ତିଭୂମି ବିକାଶ ଓ ପ୍ରଶାସନିକ ସ୍ୱଚ୍ଛତା ସମ୍ପର୍କରେ ବାରମ୍ବାର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଅବଗତ କରିଥିଲେ। କ୍ୟାମ୍ପସରେ କଥିତ ଆର୍ଥିକ ଅନିୟମିତତା ସମ୍ପର୍କରେ ମଧ୍ୟ ସେମାନେ ତଦନ୍ତ ଦାବି କରିଥିଲେ। ତେବେ ସେମାନଙ୍କ ଅଭିଯୋଗ ଅନୁଯାୟୀ, ପ୍ରଶାସନ ପକ୍ଷରୁ ଆଶ୍ୱାସନ ମିଳିଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିଲା।
ଅଭିଯୋଗରେ କୁହାଯାଇଛି ଯେ, ପରେ ଛାତ୍ରଛାତ୍ରୀମାନେ ସ୍ଥାନୀୟ ପୋଲିସର ଉପସ୍ଥିତିରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ। ପୋଲିସ ଓ ବିଶ୍ୱବିଦ୍ୟାଳୟ ପ୍ରଶାସନର ଆଶ୍ୱାସନ ପରେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଥିଲେ ମଧ୍ୟ ପ୍ରତିଶ୍ରୁତି ପାଳନ ହୋଇନଥିଲା।
ଏହା ପରେ ଲକ୍ଷ୍ମୀ ନାରାୟଣ କର ହିନ୍ଦୁ ଅଧ୍ୟୟନରେ ଏମ୍.ଏ. ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପ୍ରବେଶ ପରୀକ୍ଷାରେ EWS ବର୍ଗରେ ରାଙ୍କ–୧ ହାସଲ କରିଥିଲେ। ସେହିପରି ତାଙ୍କ ସହପାଠୀ ସନତ କୁମାର ତ୍ରିପାଠୀ ସାଧାରଣ ବର୍ଗରେ ରାଙ୍କ–୧୧ ପାଇଥିଲେ। ଉଭୟେ ଡକ୍ୟୁମେଣ୍ଟ ଭେରିଫିକେସନ୍ ସମ୍ପୂର୍ଣ୍ଣ କରିଥିଲେ ମଧ୍ୟ ଚୂଡ଼ାନ୍ତ ନାମାଙ୍କନରୁ ବଞ୍ଚିତ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି। ସେମାନଙ୍କ ଦାବି ଅନୁଯାୟୀ, ନିମ୍ନ ମେରିଟ୍ ଥିବା କେତେକ ପ୍ରାର୍ଥୀଙ୍କୁ ପ୍ରବେଶ ଦିଆଯାଇଥିଲା।
ବିଶ୍ୱବିଦ୍ୟାଳୟ ପକ୍ଷରୁ ପୂର୍ବରୁ ହୋଇଥିବା ଛାତ୍ର ଆନ୍ଦୋଳନକୁ ଆଧାର କରି Code of Conduct ଉଲ୍ଲଂଘନ ଅଭିଯୋଗରେ ପ୍ରବେଶ ବାତିଲ୍ କରାଯାଇଥିବା କୁହାଯାଇଥିବା ବେଳେ, ଲକ୍ଷ୍ମୀ ନାରାୟଣ କର ଏହି ସମସ୍ତ ଅଭିଯୋଗକୁ ମିଥ୍ୟା ଓ ଭିତ୍ତିହୀନ ବୋଲି ଦାବି କରିଛନ୍ତି। ସମଗ୍ର ଘଟଣା ସ୍ଥାନୀୟ ପୋଲିସର ଉପସ୍ଥିତିରେ ଘଟିଥିବାରୁ କ୍ୟାମ୍ପସର CCTV ଫୁଟେଜ୍ ଏବଂ ପୋଲିସ ରେକର୍ଡ ଯାଞ୍ଚ କରାଗଲେ ସତ୍ୟ ପଦାକୁ ଆସିପାରିବ ବୋଲି ସେ କହିଛନ୍ତି।
ଅଭିଯୋଗରେ ଆହୁରି କୁହାଯାଇଛି ଯେ, ଏହି ଘଟଣା ପରେ ସେମାନଙ୍କୁ କ୍ୟାମ୍ପସରେ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା। ଏପରିକି ଟ୍ରାନ୍ସଫର ସାର୍ଟିଫିକେଟ୍ (TC) ଓ କଣ୍ଡକ୍ଟ ସାର୍ଟିଫିକେଟ୍ (CC) ଆଣିବାକୁ ଯାଇଥିବା ବେଳେ ମଧ୍ୟ ପ୍ରଥମେ କ୍ୟାମ୍ପସକୁ ପ୍ରବେଶ କରିବାକୁ ଦିଆଯାଇନଥିଲା। ବହୁ ଅନୁରୋଧ ପରେ ସେଗୁଡ଼ିକ ମିଳିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରୋଭିଜନାଲ୍ ସାର୍ଟିଫିକେଟ୍ ପ୍ରଦାନ କରାଯାଇନଥିବାରୁ ତାଙ୍କ ଶୈକ୍ଷଣିକ କ୍ଷତି ଘଟିଥିବା ସେ ଦାବି କରିଛନ୍ତି।
ଲକ୍ଷ୍ମୀ ନାରାୟଣ କରଙ୍କ କହିବା ଅନୁଯାୟୀ, ଏହି ସମସ୍ତ ବିଷୟ ନେଇ ସେ କୁଳପତି, କୁଳସଚିବ, ଏକାଡେମିକ ଡିନ୍, UGC ଅଧ୍ୟକ୍ଷ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାସହ ସେ ଓଡ଼ିଶା ମାନବାଧିକାର ଆୟୋଗ (OHRC)ରେ ମଧ୍ୟ ଅଭିଯୋଗ କରିଥିଲେ। କେସ୍ ନଂ–୨୩୪୪/୨୦୨୬ରେ ଆୟୋଗ ବିଶ୍ୱବିଦ୍ୟାଳୟକୁ ଅଭିଯୋଗର ନିରପେକ୍ଷ ଯାଞ୍ଚ କରିବାକୁ ସୁପାରିଶ କରିଥିବା ସେ ଦାବି କରିଛନ୍ତି। ତେବେ ତାଙ୍କ ଅଭିଯୋଗ ଅନୁଯାୟୀ, ସେହି ସୁପାରିଶର ଯଥାର୍ଥ କାର୍ଯ୍ୟକାରିତା ହୋଇନଥିଲା।
ଲକ୍ଷ୍ମୀ ନାରାୟଣ କର କହିଛନ୍ତି ଯେ, ତାଙ୍କ ଉଦ୍ଦେଶ୍ୟ କୌଣସି ବ୍ୟକ୍ତି କିମ୍ବା ସଂସ୍ଥାର ଭାବମୂର୍ତ୍ତି କ୍ଷୁଣ୍ଣ କରିବା ନୁହେଁ; ବରଂ ସମଗ୍ର ଘଟଣାର ସ୍ୱାଧୀନ ଓ ସ୍ୱଚ୍ଛ ତଦନ୍ତ ମାଧ୍ୟମରେ ସତ୍ୟ ପଦାକୁ ଆସୁ ଏବଂ ଯଦି ତାଙ୍କ ବିରୋଧରେ ଅଭିଯୋଗ ଭିତ୍ତିହୀନ ବୋଲି ପ୍ରମାଣିତ ହୁଏ, ତେବେ ମେରିଟ୍ ଆଧାରରେ ତାଙ୍କ ପ୍ରବେଶ ପୁନଃସ୍ଥାପନ କରାଯାଉ। ଏହାସହ କୌଣସି ଅଧିକାରୀ କ୍ଷମତାର ଦୁରୁପଯୋଗ କରିଥିଲେ ତାଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି।
ସେ ସମସ୍ତ ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍ ଓ ଡିଜିଟାଲ୍ ଗଣମାଧ୍ୟମକୁ ଏହି ଘଟଣାର ନିରପେକ୍ଷ ଅନୁସନ୍ଧାନ କରି ପ୍ରକୃତ ସତ୍ୟକୁ ଲୋକଙ୍କ ସମ୍ମୁଖରେ ଆଣିବାକୁ ଅନୁରୋଧ କରିଛନ୍ତି।
(ବିଶେଷ ଦ୍ରଷ୍ଟବ୍ୟ: ଉପରୋକ୍ତ ଖବରରେ ଉଲ୍ଲେଖିତ ସମସ୍ତ ତଥ୍ୟ ପୂର୍ବତନ ଛାତ୍ର ଲକ୍ଷ୍ମୀ ନାରାୟଣ କରଙ୍କ ଅଭିଯୋଗ ଓ ବକ୍ତବ୍ୟ ଉପରେ ଆଧାରିତ। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ଅଭିଯୋଗ ସମ୍ପର୍କରେ ସ୍ୱତନ୍ତ୍ର ପ୍ରତିକ୍ରିୟା ମିଳିନାହିଁ।)











