ପୁରୀ ୨୯/୮ ସଡକକୁ ସୁରକ୍ଷିତ ରଖାଯାଇପାରିଲେ ସଡ଼କ ସୁରକ୍ଷା ସହଜ ହୋଇ ପାରିବ। ସଡକ ର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ ହେବା ଉଚିତ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ। ଆଜି ଅପରାହ୍ନରେ ସର୍କିଟ ହାଉସ ଠାରେ ପରିବହନ ବିଭାଗ ପକ୍ଷରୁ ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଶ୍ରୀ ଭୋଇ ସଡକ ସୁରକ୍ଷା ପାଇଁ ଥିବା ନିୟମ,ମାର୍ଗଦର୍ଶିକା କୁ ଅନୁପାଳନ କରାଗଲେ ନିଶ୍ଚିତ ଭାବେ ଦୁର୍ଘଟଣା ହ୍ରାସ ପାଇବ ବୋଲି କହିଥିଲେ।ଏସ ପି ପ୍ରତୀକ ସିଂ ଜାତୀୟ ରାଜପଥ କର୍ତ୍ତୃପକ୍ଷ, ପୂର୍ତ୍ତ ବିଭାଗ, ପୋଲିସ ବିଭାଗ, ପରିବହନ ବିଭାଗ, ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ଧରପଗଡ ଜାରି ରଖିବା,ଲୋକ ମାନଙ୍କୁ ସଚେତନ କରାଇବା, ଦୁର୍ଘଟଣା ପ୍ରବଣ ସ୍ଥାନ ଓ କାରଣ ଚିହ୍ନଟ କରି ବୈଜ୍ଞାନିକ ପଦ୍ଧତିରେ ଏହାର ନିରାକରଣ ଉପରେ ସେ ଗୁରୁତ୍ୱ ଦେଇଥିଲେ। ପରସ୍ପର ସୁସମନ୍ୱୟ ରଖି କାର୍ଯ୍ୟ କଲେ ସଡକ ସୁରକ୍ଷା ସଫଳ ହେବା ସହ ଅନେକ ମୂଲ୍ୟବାନ ଜୀବନ ରକ୍ଷା ହୋଇ ପାରିବ ବୋଲି ଶ୍ରୀ ସିଂ କହିଥିଲେ।
ରାସ୍ତା ର ମଧ୍ୟ ସ୍ଥାନ ରେ ଗଛ,ଘାସ ଇତ୍ୟାଦି ଖାଇବା ଲୋଭରେ ଗୋରୁଗାଈ ମାନେ ଆସୁଛନ୍ତି, ସେଠାରେ ଶୋଉଛନ୍ତି।ଯାହା ଫଳରେ ଦୁର୍ଘଟଣା ହେଉଛି।ତେଣୁ ଏହାର ନିରାକରଣ ପାଇଁ ଗୋରୁଗାଈ ଖାଉ ନ ଥିବା ଗଛ ଲଗାଇବା,ଦୁଇ ପଟେ ଗୋରୁଗାଈ ନ ପଶିବା ପରି ବାଡ ବ୍ୟବସ୍ଥା କରିବା,ବିନା ହେଲମେଟ ଓ ଦ୍ରୁତ ଗାଡି ଚାଳନା ଯାଞ୍ଚ, ଗୋରୁଗାଈ ଙ୍କ ବେକରେ ରାତିରେ ଉଜ୍ଜ୍ୱଳ ଦିଶୁଥିବା ରେଡିୟମ କଲର ବେଲ୍ଟ ଲଗାଇବା, ସଚେତନତା ସାଇନ ଏଜ ଲଗାଇବା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।ଦୁର୍ଘଟଣା ଗ୍ରସ୍ତ ଙ୍କୁ ସାହାଯ୍ୟ କ୍ଷେତ୍ରରେ ଥିବା ବ୍ୟବସ୍ଥା ସମ୍ପର୍କରେ,ସଡକ ସୁରକ୍ଷା ସମ୍ପର୍କରେ ଜନ ସଚେତନତା ସୃଷ୍ଟି ପାଇଁ ବ୍ୟବସ୍ଥା କରାଯିବାକୁ ପରାମର୍ଶ ଦିଆଯାଇଥିଲା।
ପ୍ରାରମ୍ଭରେ ଆଞ୍ଚଳିକ ପରିବହନ ଅଧିକାରୀ ଅମିତ ରଣା ସମସ୍ତଙ୍କୁ ସ୍ୱାଗତ କରିବା ସହ ଜିଲ୍ଲାର ତଥ୍ୟ ଉପସ୍ଥାପନ କରିଥିଲେ।
ଜିଲ୍ଲାରେ ୨୦୨୬ ଜୁଲାଇ ମାସ ସୁଦ୍ଧା ୨୭୭ ଟି ରାସ୍ତା ଦୁର୍ଘଟଣା ହୋଇଥିବା ବେଳେ ୮୯ ଜଣଙ୍କ ର ମୃତ୍ୟୁ ଘଟିଛି।୨୦୨୫ ରେ ଜୁଲାଇ ସୁଦ୍ଧା ୩୭୪ ଟି ଦୁର୍ଘଟଣା ଘଟିଥିବା ବେଳେ ୧୩୩ ଜଣଙ୍କ ର ମୃତ୍ୟୁ ଘଟିଥିଲା।୨୦୨୬ ଜୁଲାଇ ସୁଦ୍ଧା ୭୫୪୨ ବିନା ହେଲମେଟ କ୍ଷେତ୍ରରେ ,ଦ୍ରୁତ ଗତିରେ ଗାଡି ଚାଳନା କ୍ଷେତ୍ରରେ ୨୪୫୬ ମାମଲା, ସିଟବେଲ୍ଟ ଉଲ୍ଲଘଂନ କ୍ଷେତ୍ରରେ ୧୬୫ ଜଣ,ଗାଡି ଚାଳନା ବେଳେ ମୋବାଇଲ ବ୍ୟବହାର କ୍ଷେତ୍ରରେ ୧୦୩୧ ଜଣ, ମାଦକ ଦ୍ରବ୍ୟ ସେବନ କରି ଗାଡି ଚାଳନା କ୍ଷେତ୍ରରେ ୧୨୯୬ ଜଣ,ଭୁଲ ସାଇଟରେ ଗାଡି ଚାଳନା ପାଇଁ ୮୦ ଜଣ, ଅନ୍ୟାନ୍ୟ ମୋଟର ଯାନ ସମ୍ପର୍କିତ ଉଲ୍ଲଘଂନ କ୍ଷେତ୍ରରେ ୩୭୪୦୫ ଚିହ୍ନଟ କରାଯାଇଥିଲା।ଏହି ସମସ୍ତ ଘଟଣାରେ ମୋଟ ୫୦୧୦୬ ଇ ଚାଲାଣ କରାଯାଇଛି ଓ ୧୩୫୧ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଇଛି ବୋଲି ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।।
ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ପୁରୀ ମହାନଗର ନିଗମର ଯୁଗ୍ମ କମିଶନର ଅଭିମନ୍ୟୁ ବେହେରା, ଅତିରିକ୍ତ ଏସପି ସଚିନ ପଟେଲ,
ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଏନ ଆଇ ସିର ଡିଆଇଓ ଦୁର୍ଗା ପ୍ରସାଦ ଜେନା,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଗୋବିନ୍ଦ ହେମ୍ବ୍ରମ, ବସ ମାଲିକ ସଂଘର ସଭାପତି ଲୋକନାଥ ପାଣି,ସମ୍ପାଦକ, ଟୁରିଷ୍ଟ ବସ ମାଲିକ ସଂଘ ସଭାପତି, ସମ୍ପାଦକ ପୁରୀ ବେସରକାରୀ ବସ ମାଲିକ ସଂଘର ପ୍ରତିନିଧି, ଟାଉନ ବସ ମାଲିକ ସଂଘର ପ୍ରତିନିଧି,ଜାତୀୟ ରାଜପଥ ପ୍ରତିନିଧି, ଏଆରଟିଓ ଦେବାଶିଷ ପଣ୍ଡା,ଅନ୍ୟାନ୍ୟ ବିଭାଗର ଅଧିକାରୀ,ବସ ମାଲିକ ସଂଘର ପ୍ରତିନିଧି ଓ ସଦସ୍ୟ ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଶେଷରେ ଏମଭିଆଇ ବାମଦେବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ଜିଲ୍ଲା ସଡକ ସୁରକ୍ଷା କମିଟି ସମୀକ୍ଷା ବୈଠକ ଅନୁଷ୍ଠିତ।











