Home / ମୁଖ୍ୟ ଖବର / ପୁରୀ ପୋଲିସ୍ ପକ୍ଷରୁ ବରିଷ୍ଠ ନାଗରିକ ସମ୍ମିଳନୀ ଓ ସଚେତନତା କାର୍ଯ୍ୟକ୍ରମ

ପୁରୀ ପୋଲିସ୍ ପକ୍ଷରୁ ବରିଷ୍ଠ ନାଗରିକ ସମ୍ମିଳନୀ ଓ ସଚେତନତା କାର୍ଯ୍ୟକ୍ରମ

ପୁରୀ : ୫/୯/୨୬ – ବରିଷ୍ଠ ନାଗରିକମାନଙ୍କ ସୁରକ୍ଷା, ସମ୍ମାନ, ସୁସ୍ଥତା ଓ ସୁରକ୍ଷିତ ଜୀବନଯାପନକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ପୁରୀ ପୋଲିସ୍ ପକ୍ଷରୁ ଆଜି ଟାଉନ ଥାନା କନଫରେନ୍ସ ହଲ୍‌ରେ ଏକ ବରିଷ୍ଠ ନାଗରିକ ସମ୍ମିଳନୀ ଓ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଛି। ପୁରୀ ଏସ୍ପି ଶ୍ରୀ ପ୍ରତୀକ ସିଂଙ୍କ ନେତୃତ୍ୱରେ ଆୟୋଜିତ ଏହି ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଦେବ ପ୍ରତାପ, ସିଟି ଡିଏସ୍ପି ଶ୍ରୀ ରଶ୍ମିରଂଜନ ମହାପାତ୍ର, ସାଇବର ଡ଼ିଏସପି ଶ୍ରୀ ରାଜକୁମାର ପରିଡାଙ୍କ ସମେତ ପୁରୀ ସହର ଉପବିଭାଗ ଅଧୀନସ୍ଥ ସମସ୍ତ ଥାନାର ଆଇଆଇସିମାନେ ଉପସ୍ଥିତ ରହିଥିଲେ। ବରିଷ୍ଠ ନାଗରିକମାନେ ମଧ୍ୟ ଏଥିରେ ଯୋଗଦେଇ ନିଜ ନିଜ ସମସ୍ୟା, ଅସୁବିଧା ଓ ମତାମତ ପୋଲିସ୍ ସମ୍ମୁଖରେ ରଖିଥିଲେ। ବରିଷ୍ଠ ନାଗରିକମାନଙ୍କ ସୁରକ୍ଷା ଓ ସେମାନଙ୍କ ସମସ୍ୟାର ତ୍ୱରିତ ସମାଧାନ ପାଇଁ ପୁରୀ ଜିଲ୍ଲାର ପ୍ରତ୍ୟେକ ଥାନାରେ ବରିଷ୍ଠ ନାଗରିକ ସେଲ୍ କାର୍ଯ୍ୟକ୍ଷମ ରହିଛି। ପ୍ରତ୍ୟେକ ଥାନାର ବରିଷ୍ଠ ନାଗରିକ ସେଲ୍‌କୁ ଜଣେ ନୋଡାଲ ଅଧିକାରୀଙ୍କ ନେତୃତ୍ୱରେ ସମ୍ପୃକ୍ତ ଥାନାର ଅନ୍ୟାନ୍ୟ ସହାୟକ କର୍ମଚାରୀମାନେ ପରିଚାଳନା କରୁଛନ୍ତି। ବରିଷ୍ଠ ନାଗରିକମାନେ ଆବଶ୍ୟକ ଫର୍ମ ପୂରଣ କରି ଏହି ସେଲ୍‌ରେ ନିଜକୁ ପଞ୍ଜୀକୃତ କରିପାରୁଛନ୍ତି। ପଞ୍ଜୀକରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ସମ୍ପୃକ୍ତ ବରିଷ୍ଠ ନାଗରିକଙ୍କୁ ତାଙ୍କର ପରିଚୟ ନିମନ୍ତେ ବରିଷ୍ଠ ନାଗରିକ କାର୍ଡ ପ୍ରଦାନ କରାଯାଉଛି।
ପଞ୍ଜୀକୃତ ବରିଷ୍ଠ ନାଗରିକମାନଙ୍କ ଘରକୁ ସମ୍ପୃକ୍ତ ଥାନାର ବରିଷ୍ଠ ନାଗରିକ ସେଲ୍‌ର ସଦସ୍ୟମାନେ ଅତି କମରେ ସପ୍ତାହକୁ ଥରେ ଯାଇ ସେମାନଙ୍କ ସୁରକ୍ଷା ଓ ସୁସ୍ଥତା ସମ୍ପର୍କରେ ଖବର ନେଉଛନ୍ତି। ଏହାସହିତ ନିୟମିତ ଫୋନ୍ କଲ୍ ମାଧ୍ୟମରେ ମଧ୍ୟ ସେମାନଙ୍କ ସହ ଯୋଗାଯୋଗ ରଖାଯାଇ ସେମାନଙ୍କ ସୁସ୍ଥତା ଓ ଆବଶ୍ୟକତା

ବିଷୟରେ ଜାଣିବାର ବ୍ୟବସ୍ଥା ରହିଛି। ପୁରୀ ଜିଲ୍ଲାରେ ମେ ୨୦୨୬ ସୁଦ୍ଧା ୯,୬୪୦ ଜଣ ବରିଷ୍ଠ ନାଗରିକ ବରିଷ୍ଠ ନାଗରିକ ସେଲ୍‌ରେ ପଞ୍ଜୀକୃତ ହୋଇସାରିଛନ୍ତି। ପଞ୍ଜୀକରଣ ସମ୍ପୂର୍ଣ୍ଣ କରିଥିବା ସମସ୍ତ ବରିଷ୍ଠ ନାଗରିକଙ୍କୁ ବରିଷ୍ଠ ନାଗରିକ କାର୍ଡ ପ୍ରଦାନ କରାଯାଇଛି। ଏହା ବ୍ୟତୀତ ଜୁନ୍, ଜୁଲାଇ ଓ ଅଗଷ୍ଟ ୨୦୨୬ ମାସରେ ମିଳିଥିବା ୪୬୫ଟି ଆବେଦନ ବର୍ତ୍ତମାନ ଅନୁମୋଦନ ପାଇଁ ପ୍ରକ୍ରିୟାଧୀନ ରହିଛି। ବରିଷ୍ଠ ନାଗରିକଙ୍କ କୌଣସି ଅଭିଯୋଗ, ଅସୁବିଧା କିମ୍ବା ସୁରକ୍ଷା ସମ୍ପର୍କିତ ସମସ୍ୟା ଥିଲେ, ବରିଷ୍ଠ ନାଗରିକ ସେଲ୍ ପକ୍ଷରୁ ତାହାକୁ ପ୍ରାଥମିକତା ଭିତ୍ତିରେ ଗ୍ରହଣ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯାଉଛି।ପଞ୍ଜୀକୃତ ବରିଷ୍ଠ ନାଗରିକମାନଙ୍କ ସହ ପ୍ରତି ମାସରେ ସଭା ଆୟୋଜନ କରାଯାଉଛି। ଏହି ସଭାରେ ସେମାନଙ୍କ ବିଭିନ୍ନ ସମସ୍ୟା ଓ ଅସୁବିଧା ଶୁଣିବା ସହ ତାହାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ଏହି ଅବସରରେ ବରିଷ୍ଠ ନାଗରିକମାନଙ୍କୁ ଆର୍ଥିକ ସାକ୍ଷରତା, ଅନଲାଇନ୍ ଆର୍ଥିକ ଠକେଇରୁ ସୁରକ୍ଷା, ସାଇବର ଠକେଇ, ଅଜଣା ବ୍ୟକ୍ତିଙ୍କ ସହ କିପରି ସତର୍କତାର ସହ ବ୍ୟବହାର କରିବେ ଏବଂ ନିଜକୁ ସୁରକ୍ଷିତ ରଖିବାର ବିଭିନ୍ନ ଉପାୟ ସମ୍ପର୍କରେ ସଚେତନ କରାଯାଉଛି। ସମ୍ମିଳନୀରେ ପୁରୀ ଏସ୍ପି ଶ୍ରୀ ପ୍ରତୀକ ସିଂ ବରିଷ୍ଠ ନାଗରିକମାନଙ୍କୁ ବର୍ତ୍ତମାନ ସମୟରେ ବଢ଼ିଚାଲିଥିବା ସାଇବର ଠକେଇ, ଅନଲାଇନ୍ ଫ୍ରଡ୍, ଫେକ୍ କଲ୍, OTP ଠକେଇ, KYC ଅପଡେଟ୍ ନାମରେ ଠକେଇ ଆଦି ସମ୍ପର୍କରେ ବିସ୍ତୃତ ଭାବେ ସଚେତନ କରିଥିଲେ। ସେ ଅଜଣା ଫୋନ୍ କଲ୍, ଲିଙ୍କ୍ କିମ୍ବା ସନ୍ଦେହଜନକ ମେସେଜ୍‌ରେ ପ୍ରତିକ୍ରିୟା ନ ଦେବା ସହ କୌଣସି ପରିସ୍ଥିତିରେ OTP, PIN, ପାସୱାର୍ଡ, ବ୍ୟାଙ୍କ ଖାତା ସୂଚନା କିମ୍ବା ଅନ୍ୟାନ୍ୟ ବ୍ୟକ୍ତିଗତ ତଥ୍ୟ ଅଜଣା ବ୍ୟକ୍ତିଙ୍କ ସହ ସେୟାର୍ ନ କରିବାକୁ ପରାମର୍ଶ ଦେଇଥିଲେ। ବରିଷ୍ଠ ନାଗରିକମାନଙ୍କ ଘରୋଇ ସୁରକ୍ଷା ପାଇଁ ମଧ୍ୟ ପୁରୀ ପୋଲିସ୍ ପକ୍ଷରୁ ନିୟମିତ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଘରେ ନିଯୁକ୍ତ ଘରୋଇ ସହାୟକ/କର୍ମଚାରୀଙ୍କ ପରିଚୟ ଯାଞ୍ଚ, ଘରର ଦ୍ୱାର-ଝରକା ଓ ଅନ୍ୟାନ୍ୟ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବା, ଅଜଣା ବ୍ୟକ୍ତିଙ୍କୁ ଘର ଓ ବ୍ୟକ୍ତିଗତ ସୂଚନା ନ ଦେବା ଏବଂ ସନ୍ଦେହଜନକ ବ୍ୟକ୍ତି କିମ୍ବା ଘଟଣା ସମ୍ପର୍କରେ ତୁରନ୍ତ ପୋଲିସ୍‌କୁ ଜଣାଇବାକୁ ପରାମର୍ଶ ଦିଆଯାଉଛି। ଏସ୍ପି ଶ୍ରୀ ପ୍ରତୀକ ସିଂ ବରିଷ୍ଠ ନାଗରିକମାନଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ ପୁରୀ ପୋଲିସ୍ ସବୁବେଳେ ସେମାନଙ୍କ ସହ ଅଛି। କୌଣସି ସମସ୍ୟା, ଅସୁବିଧା, ଆର୍ଥିକ ଠକେଇ, ସନ୍ଦେହଜନକ ଘଟଣା କିମ୍ବା ସୁରକ୍ଷା ସମ୍ପର୍କିତ ଆଶଙ୍କା ହେଲେ ବିଳମ୍ବ ନ କରି ପୋଲିସ୍‌କୁ ସୂଚନା ଦେବାକୁ ସେ ଅନୁରୋଧ କରିଥିଲେ। ସେ ଆହୁରି କହିଥିଲେ ଯେ ବରିଷ୍ଠ ନାଗରିକମାନଙ୍କ ସୁରକ୍ଷା, ସମ୍ମାନ ଓ ସୁଖସୁବିଧା ପାଇଁ ପୁରୀ ପୋଲିସ୍ ସଦା ସଚେତନ ଓ ପ୍ରତିବଦ୍ଧ। ଆବଶ୍ୟକ ସମୟରେ ତୁରନ୍ତ ସହାୟତା ପାଇଁ ୧୧୨ ଏବଂ ୬୩୭୦୯୭୨୧୦୦ ନମ୍ବରରେ ଯୋଗାଯୋଗ କରିବାକୁ ସେ ସୂଚନା ଦେଇଥିଲେ।
ବରିଷ୍ଠ ନାଗରିକମାନଙ୍କ ସହ ପୋଲିସ୍‌ର ନିୟମିତ ଯୋଗାଯୋଗ, ଘରକୁ ଯାଇ ସୁରକ୍ଷା ଯାଞ୍ଚ, ଅଭିଯୋଗର ତ୍ୱରିତ ସମାଧାନ ଏବଂ ନିୟମିତ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ “ବରିଷ୍ଠ ନାଗରିକଙ୍କ ସୁରକ୍ଷା – ପୁରୀ ପୋଲିସ୍‌ର ପ୍ରାଥମିକତା” ବାର୍ତ୍ତାକୁ ଆହୁରି ସୁଦୃଢ଼ କରାଯାଉଛି। ଏହି ସମ୍ମିଳନୀ ବରିଷ୍ଠ ନାଗରିକମାନଙ୍କ ମଧ୍ୟରେ ଉତ୍ସାହ ଓ ଆତ୍ମବିଶ୍ୱାସ ସୃଷ୍ଟି କରିବା ସହ ପୋଲିସ୍ ଓ ବରିଷ୍ଠ ନାଗରିକଙ୍କ ମଧ୍ୟରେ ସମନ୍ୱୟ ଓ ବିଶ୍ୱାସକୁ ଆହୁରି ମଜବୁତ କରିଛି।

SPREAD YOUR LOVE WITH YOUR FRIENDS AND FAMILY

Leave a Reply