ପୁରୀ, ୫/୯ : ଦାବି ପୂରଣ ହୋଇନାହିଁ, ତେଣୁ ସଂଘର୍ଷ ବି ଥମିନାହିଁ। ଏକ ଦାବିକୁ ନେଇ ୧୫୮ ଦିନ ଧରି ପୁରୀର ରାସ୍ତାରେ ଚାଲିଛନ୍ତି ସତ୍ୟାଗ୍ରହୀ। ହାତରେ ନାହିଁ କୌଣସି ପତାକାର ଶକ୍ତି, ନାହିଁ ହିଂସାର ପଥ—ସତ୍ୟ, ଅହିଂସା ଓ ନୈତିକ ଅଧିକାରକୁ ଆଧାର କରି ଜାରି ରହିଛି ଏହି ଅଭିଯାନ। ପୁରୀବାସୀଙ୍କ ଦାବି ସ୍ପଷ୍ଟ—ଶ୍ରୀମନ୍ଦିରରେ ପୂର୍ବପରି ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ ପାଇଁ ସ୍ଥାୟୀ, ସ୍ୱତନ୍ତ୍ର ଓ ମର୍ଯ୍ୟାଦାପୂର୍ଣ୍ଣ ବ୍ୟବସ୍ଥା। ଏହି ଦାବିକୁ ନେଇ ଗତ ୧ ଏପ୍ରିଲରୁ ଭକ୍ତ ସାଲବେଗ ପୀଠରୁ ଆରମ୍ଭ ହୋଇଥିବା ସଚେତନତା ପଦଯାତ୍ରା ଆଜି ୧୫୮ ଦିନରେ ପହଞ୍ଚିଛି। ଏହି ଦୀର୍ଘ ଯାତ୍ରାର ପ୍ରତ୍ୟେକ ଦିନ ପୁରୀବାସୀଙ୍କ ଏକ କଥାକୁ ଆହୁରି ସ୍ପଷ୍ଟ କରିଛି—ମହାପ୍ରଭୁଙ୍କ ସହ ପୁରୀବାସୀଙ୍କ ସମ୍ପର୍କକୁ କେବଳ ଏକ ସାଧାରଣ ଦର୍ଶନ ବ୍ୟବସ୍ଥାର ପ୍ରଶ୍ନ ଭାବେ ଦେଖାଯାଇପାରିବ ନାହିଁ। ଏହା ପୁରୀର ଜୀବନଧାରା, ଧାର୍ମିକ ପରମ୍ପରା ଓ ସାମୂହିକ ଭାବନାର ଅଂଶ। ଆଜି ମଧ୍ୟ ଭକ୍ତ ସାଲବେଗ ପୀଠରେ ସତ୍ୟାଗ୍ରହୀମାନେ ଏକାଠି ହୋଇଥିଲେ। ସେଠାରୁ ଶ୍ରୀମନ୍ଦିର ଅଭିମୁଖେ ପଦଯାତ୍ରା କରି ପତିତପାବନଙ୍କ ଦର୍ଶନ କରିଥିଲେ। ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା ଥିଲା—ପୁରୀବାସୀଙ୍କ ଏହି ନ୍ୟାୟସଙ୍ଗତ ଦାବିର ଶୀଘ୍ର ସମାଧାନ ହେଉ ଏବଂ ଦର୍ଶନର ମର୍ଯ୍ୟାଦାପୂର୍ଣ୍ଣ ବ୍ୟବସ୍ଥା ଫେରିଆସୁ। ସତ୍ୟାଗ୍ରହୀମାନଙ୍କ କହିବା କଥା, ଆନ୍ଦୋଳନ ଦୀର୍ଘ ହୋଇପାରେ, କିନ୍ତୁ ଲକ୍ଷ୍ୟରୁ ଦୃଷ୍ଟି ହଟିବ ନାହିଁ। କୌଣସି ବ୍ୟକ୍ତି କିମ୍ବା ଦଳକୁ ଟାର୍ଗେଟ କରିବା ଏହି ଆନ୍ଦୋଳନର ଉଦ୍ଦେଶ୍ୟ ନୁହେଁ। ଗଣତାନ୍ତ୍ରିକ ଉପାୟରେ ନିଜର ଅଧିକାର ଓ ସ୍ୱାଭିମାନର କଥା ସରକାର ଓ ସମାଜ ସମ୍ମୁଖରେ ରଖିବା ହିଁ ଏହି ଯାତ୍ରାର ମୂଳ ଉଦ୍ଦେଶ୍ୟ।ପଦଯାତ୍ରାର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି, “୧୫୮ ଦିନ ହେଲାଣି, କିନ୍ତୁ ପୁରୀବାସୀଙ୍କ ଦାବି ଓ ଆମର ମନୋବଳ ଦୁହିଁ ଅଟୁଟ ରହିଛି। ଆମେ ଅହିଂସାକୁ ଆମର ମାର୍ଗ କରିଛୁ। ଆମର ଦାବି ନ୍ୟାୟସଙ୍ଗତ ଏବଂ ଆମର ସଂକଳ୍ପ ଦୃଢ଼। ସ୍ଥାୟୀ ସମାଧାନ ନହେବା ପର୍ଯ୍ୟନ୍ତ ଏହି ପଦଯାତ୍ରା ଜାରି ରହିବ।”
ଆଜିର ଏହି ସଚେତନତା ସତ୍ୟାଗ୍ରହ ପଦଯାତ୍ରାରେ ସର୍ବଶ୍ରୀ ହରିଶଙ୍କର ମିଶ୍ର, ଚକ୍ରଧର ମହାପାତ୍ର, ବିଶ୍ଵନାଥ ମିଶ୍ର, ନୃସିଂହନାଥ ନାୟକ, ମନୋରଞ୍ଜନ ରଣସିଂହ, ସନ୍ଧ୍ୟାରାଣୀ ମିଶ୍ର, ଅରୁଣା ପଟ୍ଟନାୟକ, ଅଞ୍ଜୁଵାଳା ମହାନ୍ତି, ଭାରତୀ ମହାନ୍ତି, ବୈଶାଳୀ, ସୀତା ନାୟକ, ମମତା ସ୍ବାଇଁ, ପ୍ରଫୁଲ୍ଲ କୁମାର ସାହୁ, ଯାଦବାନନ୍ଦ ରାୟ, ରମେଶ ଚନ୍ଦ୍ର ମହାନ୍ତି, କାହ୍ନୁ ଚରଣ ପ୍ରଧାନ, କିଶୋର ଚନ୍ଦ୍ର ଦାସ, ସନ୍ତୋଷ ସେନାପତି, ବାପିନା ସାମନ୍ତରାୟ, ସୁବାଷ ପଟ୍ଟନାୟକ ଓ ମାନସ ପଟ୍ଟନାୟକଙ୍କ ସମେତ ବହୁ ସତ୍ୟାଗ୍ରହୀ ସାମିଲ ହୋଇଥିଲେ।
୧୫୮ ଦିନର ପଦଯାତ୍ରା ଏବେ ପୁରୀର ରାସ୍ତାରେ ଏକ ଅବିରତ ପ୍ରଶ୍ନ—ପୁରୀବାସୀଙ୍କ ଦାବି କେବେ ଶୁଣାଯିବ?
ଉତ୍ତର ମିଳିନଥିବା ପର୍ଯ୍ୟନ୍ତ ପଦଯାତ୍ରା ଚାଲିବ। ଦାବି ପୂରଣ ହେବା ପର୍ଯ୍ୟନ୍ତ ସତ୍ୟାଗ୍ରହ ଚାଲିବ। ଅହିଂସାର ପଥରେ ସ୍ୱାଭିମାନର ଏହି ସଂଘର୍ଷ ଜାରି ରହିବ।
୧୫୮ ଦିନର ସ୍ୱର ଗୋଟିଏ— “ପୁରୀବାସୀଙ୍କ ସମ୍ମାନଜନକ ଦର୍ଶନ ଅଧିକାର ନିଶ୍ଚିତ କର।” ଜୟ ଶ୍ରୀଜଗନ୍ନାଥ। 🙏











