କାକଟପୁର :୧୮/୧୦/୨୦୨୬ -( ତୁଷାର ଦୀକ୍ଷିତ )- ପୁରୀ ଜିଲ୍ଲା ର କାକଟପୁର ମା ମଙ୍ଗଳା ଙ୍କ ପାଇଁ ପ୍ରସିଦ୍ଧ। ମା ମଙ୍ଗଳା ରାଜ୍ୟ ର ପ୍ରସିଦ୍ଧ ଅଷ୍ଟଚଣ୍ଡୀ ଙ୍କ ମଧ୍ୟରୁ ଅନ୍ୟତମ ହୋଇଥିବାରୁ କାକଟପୁର ଏକ ପ୍ରମୁଖ ଶକ୍ତି ପୀଠ ଭାବେ ଜଣାଶୁଣା। ମା’ ମଙ୍ଗଳା ଙ୍କ ମନ୍ଦିର ସହିତ ଜଗନ୍ନାଥ ସଂସ୍କୃତି ର ରହିଛି ନିବିଡ଼ ସମ୍ପର୍କ। ଲୋକ ବିଶ୍ଵାସ ରହିଛି ଯେ, ପ୍ରତିଦିନ ରାତି ରେ ମା’ ମଙ୍ଗଳା ଶ୍ରୀକ୍ଷେତ୍ର ଯାଇ ଚତୁର୍ଦ୍ଧା ମୂର୍ତ୍ତୀ ଙ୍କ ଭଲ ମନ୍ଦ ବୁଝି ଆସିଥାନ୍ତି।ଚତୁର୍ଦ୍ଧାମୂର୍ତ୍ତି ଙ୍କ ନବ କଳେବର ଉତ୍ସବ ସମୟ ରେ ପୁରୀ ରୁ ଦଇତାପତି ସେବକ ମାନେ ଆସି ମା’ମଙ୍ଗଳା ଙ୍କ ନିକଟରେ ଦାରୁ ମାନଙ୍କ ଠିକଣା ଜାଣିବାକୁ ଗୁହାରିଆ ପଡ଼ିଥାନ୍ତି। ଏଣୁ ମା’ ମଙ୍ଗଳା ଙ୍କୁ ପରମ ବୈଷ୍ଣବୀ ଯୋଗମାୟା/ ମହାମାୟା /ଜଗତ ଜନନୀ ବୋଲି ବିବେଚନା କରାଯାଇ ଆସୁଛି। ମଙ୍ଗଳା ପୀଠ ବୈଷ୍ଣବୀ ପୀଠ ର ମାନ୍ୟତା ପାଇଥିଲେ ମଧ୍ୟ ଆଶ୍ୱିନ ମାସ ରେ ତାଙ୍କୁ ଦୁର୍ଗତିନାସିନୀ ଦୁର୍ଗା ଭାବେ ବିବେଚନା କରାଯାଇ ଭକ୍ତି ଓ ନିଷ୍ଠାର ସହିତ ଶାରଦୀୟ ପାର୍ବଣ ପୂଜା ଅନୁଷ୍ଠିତ ହୋଇଥାଏ। ମାତୃ ଭକ୍ତ ମାନଙ୍କ ମତରେ ଯେ ମଙ୍ଗଳା ସେ ଦୁର୍ଗା ସେ ହିଁ କାଳୀ। ସେ ହିଁ ଲକ୍ଷ୍ମୀ, ସେ ହିଁ ସରସ୍ଵତୀ, ସେ ହିଁ ପାର୍ବତୀ। ଆଶ୍ୱିନ ମାସ ମୂଳାଷ୍ଟମୀ ତିଥିଠାରୁ ମା ‘ମଙ୍ଗଳା ଙ୍କ ମନ୍ଦିର ରେ ଶାରଦୀୟ ପାର୍ବଣ ପୂଜା ଆରମ୍ଭ ହୋଇ ବିଜୟା ଦଶମୀ/ଦଶହରା ଦିନ ଶେଷ ହୋଇଥାଏ। ଶାରଦୀୟ ପାର୍ବଣ ପୂଜା ର ପ୍ରଥମ ଦିନ ଅର୍ଥାତ ମୂଳାଷ୍ଟମୀ ଦିନ କଳସ ପୂଜା ଆରମ୍ଭ ହୋଇ ସହସ୍ର କୁମ୍ଭାଭିଷେକ ନୀତି ଅନୁଷ୍ଠିତ ହୋଇଥାଏ।ପ୍ରତ୍ୟେକ ଦିନ ମା ଙ୍କ ସ୍ନାନ ମାର୍ଜଣା ସମୟ ରେ ମନ୍ଦିର କବାଟ ବନ୍ଦ ରହୁ ଥିବା ବେଳେ ଏହି ଦିନ କିନ୍ତୁ କବାଟ ଖୋଲା ରହେ। ଭକ୍ତ ଓ ଶ୍ରଦ୍ଧାଳୁ ମାନେ ମାଙ୍କ ସ୍ନାନ ଓ ସମ୍ପୂର୍ଣ ଅବୟବ ଦେଖିବାର ସୌଭାଗ୍ୟ ପାଇଥାନ୍ତି। ସ୍ନାନ ପରେ ସୂର୍ଯ୍ୟ ପୂଜା, ବଲ୍ଲଭ ନୀତି ଅନୁଷ୍ଠିତ ହୁଏ। ସଂଧ୍ୟା କୁ ସକାଳ ଧୂପ ଅନୁଷ୍ଠିତ ହୋଇଥାଏ। ପରେ ସଂଧ୍ୟା ଆଳତୀ, ପୁନଃ ସ୍ନାନ ମାର୍ଜଣା ନୀତି ଓ ମା ଙ୍କ ବେଶ ଅନୁଷ୍ଠିତ ହୋଇଥାଏ। ମାତୃ ଭକ୍ତ ମାନେ ମା ଙ୍କୁ ଦର୍ଶନ ଓ ପୁଜାର୍ଚ୍ଚନା କରିଥାନ୍ତି। ରାତି ପ୍ରାୟ ୩ ଟା ରେ ରାତ୍ର ଧୂପ ଓ ବଡ଼ ସିଂହାର ନୀତି କରାଯାଇ ମନ୍ଦିର ପହୁଡ଼ ପଡିଥାଏ। ମନ୍ଦିର ରେ ପ୍ରତିଦିନ ପ୍ରାତଃରେ ମନ୍ଦିର ପୁରୋହିତ ଙ୍କ ଦ୍ଵାରା ଜପ ଓ ମଧ୍ୟାର୍ଣ୍ଣ ରେ ସପ୍ତସତୀ ଚଣ୍ଡୀପାଠ ହୋଇଥାଏ। ମୂଳାଷ୍ଟମୀ ତିଥି ଠାରୁ ଚତୁର୍ଥୀ ତିଥି ପର୍ଯ୍ୟନ୍ତ ମାଙ୍କ ନାଲି ଓ କଳା କଲି ବେଶ ଅନୁଷ୍ଠିତ ହୋଇଥାଏ। ଏହା ମା ଙ୍କର କୌଣସି ସ୍ୱତନ୍ତ୍ର ବେଶ ନୁହେଁ। ମା ଙ୍କ ପଛ ପଟେ ସୁନ୍ଦର ନାଲି ଓ କଳା ଧଡ଼ି ଥିବା ଶାଢ଼ୀ କୁ ସଜ୍ଜିତ କରାଯାଇଥାଏ। ମହିଷାସୁର କୁ ଦେବୀ ଦୂର୍ଗା ବଧ କରିବାକୁ ଯିବା ପୁର୍ବରୁ ଯେଉଁ ସବୁ କାର୍ଯ୍ୟ କରିଥିବା ଚଣ୍ଡୀ ପୁରାଣ ରେ ବର୍ଣ୍ଣନା କରାଯାଇଛି ସେହି ଅନୁସାରେ ପଞ୍ଚମୀ ତିଥି ଠାରୁ ମା ମଙ୍ଗଳା ଙ୍କୁ ବିଭିନ୍ନ ବେଶ ରେ ସଜ୍ଜିତ କରାଯାଇ ଥାଏ। ପଞ୍ଚମୀ ତିଥି ଠାରୁ ମହାଷ୍ଟମୀ ଦିନ ପର୍ଯ୍ୟନ୍ତ ବିଳମ୍ବିତ ରାତିରେ ମା ଙ୍କ ଚଳନ୍ତି ପ୍ରତିମା ଙ୍କୁ ଏକ ସୁସଜ୍ଜିତ ବିମାନ ରେ ପାର୍ବଣ ମଣ୍ଡପ କୁ ନିଆ ଯାଇ ରତ୍ନଗିରି ବିଜେ ନୀତି ଅନୁଷ୍ଠିତ କରା ଯାଇଥାଏ। ଏହାକୁ ମା ଙ୍କ ଭ୍ରମଣ ନୀତି ବୋଲି କୁହା ଯାଇ ଥାଏ। ବିଶ୍ଵାସ ରହିଛି ଯେ ମା ମହିଷାସୁର କୁ ଠାବ କରିବାକୁ ଭ୍ରମଣ କରିଥାନ୍ତି।ଅମାବାସ୍ୟା ପର ଦିନ ମା ଙ୍କୁ ପାଦପଦ୍ମ (କାଠ ରେ ତିଆରି ଗୋଡ଼) ଲାଗି ହୋଇଥାଏ।ପଞ୍ଚମୀ ତିଥି ରେ ମା ଙ୍କୁ ତୀରକମାଣ ବା ରଘୁନାଥ ବେଶ ରେ ସଜ୍ଜିତ କରାଯାଇ ଥାଏ। ପାଦପଦ୍ମ ଲାଗି ସହିତ ମା ଙ୍କ ହାତ ରେ ଧନୁ, ତୀର, କମାଣ ଆଦି ଅସ୍ତ୍ରଶସ୍ତ୍ର ଲାଗି କରା ଯାଇ ଥାଏ। ଷଷ୍ଠୀ ତିଥି ରେ ମା ଙ୍କ କାତି ଖର୍ପର ବେଶ ଅନୁଷ୍ଠିତ ହୋଇଥାଏ। ପୁର୍ବରୁ ମାଙ୍କ ନିକଟରେ ଲାଗି ହୋଇଥିବା ଅସ୍ତ୍ର ଶସ୍ତ୍ର ସହିତ ଏକ ଖଣ୍ଡା (କାତି), ଖର୍ପର (ବର୍ଚ୍ଛା), ସରା (ରକ୍ତ ସଂଗ୍ରହ ପାତ୍ର) ଲାଗି କରା ଯାଇଥାଏ। ମହାସପ୍ତମୀ ତିଥି ରେ ମା ଙ୍କ ପ୍ରସିଦ୍ଧ ସିଂହବାହିନୀ ବେଶ ଅନୁଷ୍ଠିତ ହୋଇଥାଏ। ପୂର୍ବରୁ ମା ଙ୍କ ନିକଟରେ ଲାଗି ହୋଇଥିବା ଅସ୍ତ୍ର ଶସ୍ତ୍ର ସହିତ ଏକ କାଠ ରେ ନିର୍ମିତ ସିଂହ କୁ ମା ଙ୍କ ନିକଟରେ ଏପରି ଲାଗି କରାଯାଏ ଯେ, ଲାଗେ ଯେପରି ମା ସିଂହ ଉପରେ ଉପବେଶନ କରିଛନ୍ତି। ମହିଷାସୁର ସହିତ ଯୁଦ୍ଧ ପୁର୍ବରୁ ମା ଦୂର୍ଗା ସିଂହ କୁ ବାହନ ରୂପେ ପାଇଥିଲେ। ସେଥିପାଇଁ ମା ମଙ୍ଗଳା ଙ୍କୁ ସିଂହ ବାହିନୀ ବେଶ ରେ ସଜ୍ଜିତ କରାଯାଇଥାଏ। ଶାରଦୀୟ ପାର୍ବଣ ପୂଜା ରେ ମା ଙ୍କ ଅନୁଷ୍ଠିତ ବେଶ ଗୁଡ଼ିକ ମଧ୍ୟରୁ ଏହି ବେଶ ପ୍ରସିଦ୍ଧ ଅଟେ। ଏହି ଦିନ ମାଙ୍କ ମନ୍ଦିର ରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାବେଶ ଦେଖିବାକୁ ମିଳେ। ମହାଷ୍ଟମୀ ଦିନ ମା ଙ୍କୁ ମହିଷାମର୍ଦ୍ଦିନୀ ବେଶ ରେ ସଜ୍ଜିତ କରାଯାଇଥାଏ। କାଠ ଓ ମାଟି ରେ ନିର୍ମିତ ମହିଷାସୁର କୁ ମା ଙ୍କ ପାଦତଳେ ବାମ ପାର୍ଶ୍ୱରେ ସଜ୍ଜିତ କରାଯାଇ ମା ଙ୍କ ହାତରେ ଏକ ତ୍ରିଶୂଳ କୁ ଏପରି ଲାଗି ହୋଇଥାଏ ଯେ, ତ୍ରିଶୂଳ ଟି ମହିଷାସୁର ର ବକ୍ଷ ( ଛାତି) ଭେଦ କରିଛି। ଏହି ବେଶ ରେ ମା ଙ୍କ ଶାନ୍ତ ସରଳ ଆଖି ଦ୍ବୟ ନାଲି ପଡ଼ି ଭୟଙ୍କର ଦେଖାଯାଏ।
ବିଳମ୍ବିତ ରାତିରେ ସନ୍ଧି ପୂଜା ଓ କୁଷ୍ମାଣ୍ଡ ବଳି ନୀତି ଅନୁଷ୍ଠିତ ହୋଇଥାଏ। ଅତୀତ ରେ ମା ଙ୍କ ସମ୍ମୁଖ ରେ ମହିଷ ( ମଇଁଷି) ବଳି ଦିଆ ଯାଉଥିଲା କିନ୍ତୁ ଏବେ ଆଉ ସେ ପ୍ରଥା ନାହିଁ। କୁଷ୍ମାଣ୍ଡ ବଳି ଦିଆ ଯାଉଛି। ମହା ନବମୀ ତିଥି ରେ ମା ଙ୍କ ଉଗ୍ର ରୂପ କୁ ଶାନ୍ତ କରିବାକୁ ଶାନ୍ତି ପୂଜା ଓ ମା ଙ୍କ ଶାନ୍ତି ବେଶ ଅନୁଷ୍ଠିତ ହୋଇ ଥାଏ। ବର୍ଷକ ମଧ୍ୟରେ ଏହି ଦିନ କେବଳ ମା ଙ୍କୁ ନାଲି ରଙ୍ଗର ମନ୍ଦାର ବଦଳରେ ଧଳା ରଙ୍ଗର ମନ୍ଦାର ଓ ଫୁଲ ଲାଗି ହେଉଥିବା ବେଳେ ମା ଙ୍କୁ ଧଳା ରଙ୍ଗର ଶାଢ଼ୀ ପିନ୍ଧା ଯାଇଥାଏ।
ମା ଙ୍କ ନିକଟରେ ଦହି ପଖାଳ ଭୋଗ ଲାଗି କରାଯାଏ। ଦଶହରା ବା ବିଜୟା ଦଶମୀ ଦିନ ମା ଙ୍କ ଚଳନ୍ତି ପ୍ରତିମା ଙ୍କୁ ସୁସଜ୍ଜିତ ବିମାନରେ ରଙ୍ଗୀନ ଆଲୋକ, ବାଦ୍ୟ ଓ ଆତସବାଜି ର ପଟୁଆର ରେ ନିକଟସ୍ଥ ସମେଶ୍ୱର ଶମ୍ଭୁ ମନ୍ଦିର କୁ ନିଆଯାଇ ସେଠାରେ ହର ଦୂର୍ଗା ଭେଟ ନୀତି ଅନୁଷ୍ଠିତ ହୋଇ ଥାଏ। ଏମିତି ଭାବେ ମୂଳାଷ୍ଟମୀ ତିଥି ଠାରୁ ଆରମ୍ଭ ହୋଇଥିବା ମା ମଙ୍ଗଳା ଙ୍କ ଶାରଦୀୟ ପାର୍ବଣ ପୂଜା ର ପରି ସମାପ୍ତି ଘଟିଥାଏ।
ଶାରଦୀୟ ପାର୍ବଣ ପୂଜା ସମୟ ରେ ମା ଙ୍କ ନିକଟରେ ପୁଜା ପାଇ ଆସୁଥିବା ମା ଦୁର୍ଗା ଙ୍କ ଉଦ୍ଦେଶ୍ୟ ରେ ଆମିଷ ଭୋଗ ଅର୍ପଣ କରାଯାଏ ଯାହା ସ୍ଵତନ୍ତ୍ର ଭାବେ ସେବକ ମାନଙ୍କ ଦ୍ବାରା ପ୍ରସ୍ତୁତ କରା ଯାଇଥାଏ।
ଏମାନେ ଯାହା କୁହନ୍ତି
ମା’ ମଙ୍ଗଳା ହେଉଛନ୍ତି କରୁଣାମୟୀ ଓ ଦୁଃଖନାଶିନୀ। ପାର୍ବଣ ପୂଜା ଅବସରରେ ମା’ଙ୍କ ପୀଠରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପାରମ୍ପରିକ ରୀତିନୀତି ଅନୁଯାୟୀ କୋଠଭୋଗ, ସ୍ୱତନ୍ତ୍ର ପୂଜାର୍ଚ୍ଚନା ଏବଂ ଶୋଡ଼ଷ ଉପଚାର ନୀତି କରାଯାଉଛି। ମାଆଙ୍କର ଏହି ଶୋଡ଼ଷ ଉପଚାର ପୂଜାର ବିଶେଷ ମାହାତ୍ମ୍ୟ ରହିଛି। ଏହି ସମୟରେ ମା’ଙ୍କୁ ଆନ୍ତରିକତାର ସହ ପୂଜା କଲେ ଭକ୍ତଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ରଘୁନାଥ ଦୀକ୍ଷିତ
ଷୋଡଶ ଉପଚାର ପୂଜାପଣ୍ଡା
ମା’ଙ୍କ ପୂଜାନୀତିକୁ ପାରମ୍ପରିକ ବିଧିବିଧାନ ଅନୁଯାୟୀ ସମ୍ପନ୍ନ କରିବା ସହ ଭକ୍ତମାନଙ୍କ ଆଧ୍ୟାତ୍ମିକ ଭାବନାକୁ ସମ୍ମାନ ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ପାର୍ବଣ ପୂଜା ସମୟରେ ସେବାୟତମାନେ ନିଜ ନିଜର ପାରମ୍ପରିକ ସେବା ଓ ଦାୟିତ୍ୱକୁ ନିଷ୍ଠାର ସହ ନିର୍ବାହ କରିବା ସହିତ ମନ୍ଦିରର ଶୃଙ୍ଖଳା ଓ ପବିତ୍ରତା ବଜାୟ ରଖିଥାନ୍ତି । ଭକ୍ତମାନେ ମଧ୍ୟ ଧୈର୍ଯ୍ୟ ଓ ଶୃଙ୍ଖଳାର ସହ ମା’ଙ୍କ ଦର୍ଶନ କରିବା ସହ ଏହି ପବିତ୍ର ପରମ୍ପରାର ସୁରକ୍ଷାରେ ସହଯୋଗ କରିଥାନ୍ତି l

ମନୋରଞ୍ଜନ ପଣ୍ଡା
ସଭାପତି, ସେବାୟତ ନିଯୋଗ
ମା’ ମଙ୍ଗଳାଙ୍କ ପାର୍ବଣ ପୂଜା ଆମର ଧାର୍ମିକ ବିଶ୍ୱାସ, ଆଧ୍ୟାତ୍ମିକ ଚେତନା ଓ ଓଡ଼ିଆ ସଂସ୍କୃତିର ଏକ ଅନନ୍ୟ ପରମ୍ପରା। ଏହି ପବିତ୍ର ଅବସରରେ ମା’ଙ୍କ ଦର୍ଶନ ଓ ଆଶୀର୍ବାଦ ଲାଭ କରିବା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଭକ୍ତମାନଙ୍କ ଆଗମନ ହୋଇଥାଏ। ଭକ୍ତମାନଙ୍କ ଧାର୍ମିକ ଭାବନାକୁ ସମ୍ମାନ ଦେବା ସହ ପାର୍ବଣ ପୂଜାର ନୀତିକାନ୍ତି ଶୃଙ୍ଖଳିତ, ଶାନ୍ତିପୂର୍ଣ୍ଣ ଓ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥାଏ

ନିରଞ୍ଜନ ପାତ୍ର
ଟ୍ରଷ୍ଟି ତଥା ସ୍ଥାନୀୟ ଅତିରିକ୍ତ ତହସିଲଦାର
ମା’ ମଙ୍ଗଳାଙ୍କ ପବିତ୍ର ପାର୍ବଣ ପୂଜା ଅବସରରେ ଦେଶର ବିଭିନ୍ନ ସ୍ଥାନରୁ ଅନେକ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ ପାଇଁ କାକଟପୁର ଆସିଥାନ୍ତି। ଏହି ସମୟରେ ଶ୍ରଦ୍ଧାଳୁମାନେ କିପରି ଶାନ୍ତିଶୃଙ୍ଖଳାର ସହ ମା’ଙ୍କ ଦର୍ଶନ କରିପାରିବେ, ସେଥିପାଇଁ ପୁଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଓ ଭିଡ଼ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦିଆଯାଏ । ମନ୍ଦିର ପରିସର ଓ ଏହାର ଆଖପାଖ ଅଞ୍ଚଳରେ ଶୃଙ୍ଖଳା ବଜାୟ ରଖିବା ସହ ଯାତାୟାତକୁ ସୁଗମ କରିବା ଦିଗରେ ପୁଲିସ ସଜାଗ ରହିଥାଏ l

ବସନ୍ତ କୁମାର ସାହୁ
ଆଇଆଇସି,କାକଟପୁର ଥାନା.











